କନକ ବ୍ୟୁରୋ : ପଞ୍ଜାବ ରାଜନୀତିର ଫଳାଫଳ ଏଥର ସମସ୍ତଙ୍କୁ ଚକିତ କରିଛି । ପଞ୍ଜାବ ରାଜନୀତି ମୈଦାନରେ ଚିତପଟାଙ୍ଗ ମାରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନି । ଆପର ପ୍ରଚଣ୍ଡ ଝଡରେ କଂଗ୍ରେସର ହାତ ଉଠି ପାରିନଥିବା ବେଳେ ଦଳର ଦୁଇ ହେଭିୱେଟ ଚରଣଜିତ୍ ସିଂ ଚନ୍ନି ଓ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ପରାଜିତ ହୋଇଛନ୍ତି । ଅନ୍ୟପଟେ ପଞ୍ଜାବରେ ଆପର ଉଡିଛି ବିଜୟ ବାନା । ଆପ ଉପରେ ଆଶା ଠାରୁ ଅଧିକ ଭରସା କରିଛନ୍ତି ପଞ୍ଜାବବାସୀ । ମ୍ୟାଜିକ ନମ୍ବର ଠାରୁ ଯଥେଷ୍ଟ ଅଧିକ ଆସନ ହାତେଇବାରେ ସକ୍ଷମ ହୋଇଛି ଆପ୍ । ଏପରିକି ପଞ୍ଜାବରେ ଆପ ମୁଖ୍ୟମନ୍ତ୍ରୀ ଚେହେରା କରିଥିବା ଭଗୱନ୍ତ୍ ମାନ ମଧ୍ୟ ବଡ ବିଜୟ ହାସଲ କରିଛନ୍ତି । ନିର୍ବାଚନ ସମୟରେ ଭଗୱନ୍ତ ମାନଙ୍କୁ ଆପ୍ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ।

Advertisment

ଆପର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଧୁରୀ ଆସନରୁ ୫୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଆଉ ଏହି ବିଜୟ ପରେ ଭଗୱନ୍ତ ମାନ୍ କହିଛନ୍ତି, , ଏଥର ରାଜଭବନ ନୁହେଁ ଭଗତ ସିଂଙ୍କ ଜନ୍ମମାଟିରେ ଶପଥ ନେବୁ । ପୂର୍ବ ଘୋଷଣା ଅନୁଯାୟୀ, ଭଗୱନ୍ତ ହିଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତେବେ ଶପଥଗ୍ରହଣ ପୂର୍ବରୁ ଭଗୱନ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ସୁରକ୍ଷା ପ୍ରଦାନ କରାଯାଏ ତାହା ପ୍ରଦାନ କରାଯାଇଛି ।

ଭଗୱନ୍ତ ମାନ୍ କହିଛନ୍ତି, କୌଣସି ସରକାରୀ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ନୁହେଁ ବରଂ ଭଗତ ସିଂ ଓ ବି.ଆର ଆମ୍ବେଦକରଙ୍କ ଫଟୋ ରହିବ । ପଞ୍ଜାବରେ ଅନେକ ବଡ ଚେହେରା ଏଥର ପରାଜିତ ହୋଇଛନ୍ତି । ଲୋକେ ଆମକୁ ଅଦ୍ଭୁତପୂର୍ବ ସମର୍ଥନ ଜଣାଇଛନ୍ତି । ଆଉ ଏହାର ପ୍ରତିବଦଳରେ ପଞ୍ଜାବବାସୀଙ୍କୁ ଆପ୍ ସରକାର ଅନେକ କିଛି ଭେଟି ଦେବ । ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଓ ନିଯୁକ୍ତି କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ । ମହିଳାଙ୍କ ସୁରକ୍ଷା ଓ ଚାଷୀଙ୍କ ଆୟକୁ ବଢାଇବା ଦିଗରେ ସରକାର ଅନେକ ପଦକ୍ଷେପ ନେବ । ଆଉ ମାସଟିଏ ମଧ୍ୟରେ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଥିବା ଅନୁଭବ କରିପାରିବେ ପଞ୍ଜାବବାସୀ ।ପଞ୍ଜାବରେ କେବଳ ଆପ୍ ବିପୁଳ ବିଜୟ ହାସଲ କରିନାହିଁ ବରଂ ଅନ୍ୟ ଦଳର ଅନେକ ହେଭିୱେଟ ଚେହେରା ମଧ୍ୟ ପରାଜିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସମେତ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ, ଶିରୋମଣୀ ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲ ମଧ୍ୟ ପରାଜିତ ହୋଇଛନ୍ତି ।

ଏହାପୂର୍ବରୁ ଚନ୍ନିଙ୍କ ପରାଜୟ ନେଇ ଜାତୀୟ ଗଣମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ପ୍ରମୁଖ କେଜ୍ରିୱାଲ ଯେଉଁ କଥା ଲେଖିକି ଦେଇଥିଲେ ତାହା ସଠିକ୍ ପ୍ରମାଣିତ ହୋଇଛି । କେଜ୍ରିୱାଲ କହିଥିଲେ, ମୁଖ୍ୟମନ୍ତ୍ରୀ ଚନ୍ନି ଦୁଇଟି ଆସନରୁ ପରାଜିତ ହେବେ, ଏହା ମୁଁ ଲେଖିକି ଦେଉଛି । ସେହିଭଳି ଆପ୍ ପଞ୍ଜାବରେ ପ୍ରଚଣ୍ଡ ବହୁମତ ହାସଲ କରିବ ଏବଂ ଭଗୱନ୍ତ ସିଂ ମାନ ମଧ୍ୟ ବଡ ବ୍ୟବଧାନରେ ବିଜୟୀ ହେବେ ବୋଲି କେଜ୍ରିୱାଲ କହିଥିଲେ ।