ମମତାଙ୍କ ପରେ ଇଣ୍ଡିଆ ମେଣ୍ଟକୁ ଝଟକା ଦେବାକୁ ଆପ୍ ପ୍ରସ୍ତୁତ । ପଞ୍ଜାବରେ ଏକାକୀ ଲଢିବା ନେଇ ସଂକେତ ଦେଲେ ଭଗୱନ୍ତ ମାନ୍ ।

93

କନକ ବ୍ୟୁରୋ : ଇଣ୍ଡିଆ ମେଣ୍ଟକୁ ମମତା ବାନାର୍ଜୀ ଝଟକା ଦେବା ପରେ ଏବେ ପଞ୍ଜାବରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିପାରେ । ପଶ୍ଚିମବଙ୍ଗରେ ମମତା ବାର୍ନାଜୀ ଏକାକୀ ଲଢିବା ନେଇ ଘୋଷଣା କରିବା ପଞ୍ଜାବରେ ମଧ୍ୟ ଆପ୍ ଏକାକୀ ଲଢିବା ନେଇ ସଂକେତ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ଭଗୱନ୍ତ କହିଛନ୍ତି, ପଞ୍ଜାବରେ ଆପ୍ ଦଳ ୧୩ଟି ଆସନରେ ନିର୍ବାଚନ ଜିତିବ ।

ମିଳିଥିବା ସୂଚନା ମୁତାବକ, ପଞ୍ଜାବରେ ଆପ୍ ଏକାକୀ ନିର୍ବାଚନ ଲଢିବା ପ୍ରସ୍ତାବକୁ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସବୁଜ ସଂକେତ ଦେଇଛନ୍ତି । ସିଟ୍ ଭାଗବଣ୍ଟାକୁ ନେଇ କଂଗ୍ରେସର ଯେଉଁ ଆଭିମୁଖ୍ୟ ରହିଛି ତାହାକୁ ଦାୟୀ କରିପାରେ ଆପ୍ । ଖୁବଶୀଘ୍ର ପଞ୍ଜାବରେ ଏକାକୀ ଲଢିବା ନେଇ ଘୋଷଣା କରିପାରେ ଆପ୍ ।

ଏହାପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକାକୀ ଲଢିବା ନେଇ ଘୋଷଣା କରିଥିଲେ । ମମତା କହିଛନ୍ତି, ମୁଁ ଯାହା ବି ପରାମର୍ଶ ଓ ପ୍ରସ୍ତାବ ଦେଇଥିଲି ତାହାକୁ ଗ୍ରହଣ କରାଯାଇନାହିଁ । ଯେଉଁଥିପାଇଁ ପଶ୍ଚିମବଙ୍ଗରେ ଆମେ ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ମମତା । ଆଗକୁ ପଶ୍ଚିମବଙ୍ଗ ଦେଇ ଯାତ୍ରା ଯିବ, କିନ୍ତୁ ଏବାବଦରେ ଆମ ଦଳକୁ ସୌଜନ୍ୟତା ଦୃଷ୍ଟିରୁ ମଧ୍ୟ ଜଣାଗଲା ନାହିଁ । ଏହାପୂର୍ବରୁ ପଶ୍ଚିମବଙ୍ଗରେ କଂଗ୍ରେସକୁ ମାତ୍ର ୨ଟି ସିଟ୍ ଦେବାକୁ କହିଥିଲେ ମମତା । ଗତ ନିର୍ବାଚନରେ କଂଗ୍ରେସ ଯେଉଁ ୨ଟି ଆସନରେ ବିଜୟୀ ହୋଇଥିଲା ସେହି ୨ ଆସନକୁ ବାଦ୍ ଦେଲେ ଅନ୍ୟ ଆସନରେ ଟିଏମସି ଲଢିବ ବୋଲି ସ୍ପଷ୍ଟ କରିଥିଲେ ମମତା । ଯାହାକୁ ନେଇ କଂଗ୍ରେସ ଓ ଟିଏମସି ମତାନ୍ତର ଦେଖିବାକୁ ମିଳିଥିଲା ।