ପଶ୍ଚିମବଙ୍ଗରେ ସମସ୍ତ ଲୋକସଭା ଆସନରେ ଏକାକୀ ଲଢିବ ଟିଏମସି । ସେପଟେ ପଂଜାବର ସମସ୍ତ ୧୩ ଆସନରେ ଏକୁଟିଆ ଲଢିବାକୁ ଘୋଷଣା କଲା ଆମ ଆଦମୀ ପାର୍ଟି

64

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଇଣ୍ଡିଆ ମେଂଟକୁ ଶକ୍ତ ଝଟକା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକାକୀ ଲୋକସଭା ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏକା ନିର୍ବାଚନ ଲଢିବ । ମମତାଙ୍କ ଏହି ଘୋଷଣା ସହିତ ଇଣ୍ଡିଆ ମେଂଟର ଭାଗ୍ୟ ଓ ଭବିଷ୍ୟତ ଉପରକୁ ସଂକଟ ମାଡି ଆସିଛି ।

ମମତା କହିଛନ୍ତି ସେ ଯାହା ବି ପ୍ରସ୍ତାବ ଦେଇଥିଲେ, ତାକୁ ଖାରଜ କରିଦିଆଯାଇଛି । ତେଣୁ ପଶ୍ଚିମବଙ୍ଗରେ ଏକାକୀ ଲଢ଼ିବାକୁ ତୃଣମୂଳ କଂଗ୍ରେସ ନିଷ୍ପତ୍ତି ନେଇଛି । ଏହାଛଡା ରାହୁଲ ଗାନ୍ଧୀଙ୍କ ନାମ ନନେଇ ଟାର୍ଗେଟ କରିଛନ୍ତି ମମତା ବାନାର୍ଜୀ । କହିଛନ୍ତି ଏବେ ପଶ୍ଚିମବଙ୍ଗରେ ଭାରତଯୋଡ଼ ନ୍ୟାୟଯାତ୍ରା ହେବାକୁ ଯାଉଛି । ଶିଷ୍ଟାଚାର ଦୃଷ୍ଟିରୁ ନ୍ୟାୟଯାତ୍ରାକୁ ନେଇ ତାଙ୍କୁ କୌଣସି ସୂଚନା ଦିଆଗଲା ନାହିଁ । ଏପରିକି ତାଙ୍କ ସହ କୌଣସି ଆଲୋଚନା କରାଯାଇନାହିଁ । ଯାହା ମେଂଟ ଧର୍ମରେ ସଂପୂର୍ଣ୍ଣ ଭୁଲ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ମମତା ।

ଆସନ ଭାଗବଂଟାକୁ ନେଇ ପ୍ରଥମ ଦିନରୁ ଟିଏମସି ଓ କଂଗ୍ରେସ ମଧ୍ୟରେ ବିବାଦ ଥିଲା । ପଶ୍ଚିମବଙ୍ଗ ପାଇଁ କଂଗ୍ରେସ ୧୦ରୁ ୧୨ ଆସନ ଦାବି କରୁଥିବାବେଳେ ଟିଏମସି କେବଳ ୨ଟି ଆସନ ଅଫର କରିଥିଲା । ଯାହାକୁ ନେଇ ମମତା ବାର୍ନାଜୀଙ୍କୁ ସିଧାସଳଖ ଟାର୍ଗେଟ କରିଆସୁଥିଲେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ । ଏପରିକି ଦୁଇ ଦିନ ପୂର୍ବରୁ କଂଗ୍ରେସକୁ ପରାର୍ମଶ ଦେଇ ମମତା କହିଥିଲେ କଂଗ୍ରେସ ୩୦୦ ଆସନରେ ଏକାକୀ ଲଢ଼ିବା ସକ୍ଷମ । କଂଗ୍ରେସକୁ ସେ ନିଜର ପୂର୍ଣ୍ଣ ସହଯୋଗ ଦେବେ    । ଯେଉଁ ଆସନରେ କଂଗ୍ରେସ ଲଢ଼ିବ ସେହି ଆସନରୁ ଓହରିବ ଟିଏମସି । ଏଥିସହ ମମତା କହିଥିଲେ ଆଂଚଳିକ ଦଳମାନଙ୍କ ପାଇଁ କିଛି ନିର୍ଦ୍ଦିଷ୍ଟ ଆସନ ଛାଡ଼ିବା ଉଚିତ ।

କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ପଞ୍ଜାବରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଇଣ୍ଡିଆ ମେଂଟକୁ ପଂଜାବରେ ଝଟକା । ପଂଜାବର ସମସ୍ତ ୧୩ ଲୋକସଭା ଆସନରେ ଏକାକୀ ଲଢ଼ିବ ଆମ ଆଦମୀ ପାର୍ଟି । ଏନେଇ ଘୋଷଣା କରିଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ମମତା ବାର୍ନାଜୀ ପଶ୍ଚିମବଙ୍ଗରେ ଟିଏମସି ଏକାକୀ ଲଢ଼ିବା ନେଇ ଘୋଷଣା କରିବାର କିଛି ସମୟ ପରେ ଆମ ଆଦମୀ ନିଜ ନିଷ୍ପତି ଜଣାଇଛି । ହଠାତ ଦୁଇ ବଡ ସହଯୋଗୀଙ୍କ ଏଭଳି ନିଷ୍ପତିକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ହୁଏତ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଂଟ ଭାଙ୍ଗିବା ଆଶଙ୍କା ବଢ଼ିଛି । ପୂର୍ବରୁ ପଂଜାବ ଆପ ସରକାର ଏକାକୀ ଲଢିବା ନେଇ ଇଙ୍ଗିତ କରିଥିଲେ । ତେବେ ଆମ ଆଦମୀ ପାର୍ଟି ଓ ତୃଣମୁଳ କଂଗ୍ରେସର ନିଷ୍ପତିରୁ ସ୍ପଷ୍ଟ ଜଣାପଡୁଛି ଇଣ୍ଡିଆ ମିଳିତ ମଂଚରେ ସବୁ କିଛି ଠିକ ଚାଲିନି ।