ଚର୍ଚ୍ଚାରେ ଭିକ୍ଷୁକଙ୍କ ଭଗବତ୍ ପ୍ରେମ । ପେଟକୁ ନିଅଂଟ ଭିକ୍ଷାବୃତି ପଇସା, ହେଲେ ମନ୍ଦିର ଗଢିବା ନିଶାରେ ବିଭୋର ଖୋର୍ଦ୍ଧା ବାଘମାରୀର ରଘୁ ରାଉତ

222

କନକ ବ୍ୟୁରୋ : ସାଧାରଣ ବ୍ୟକ୍ତିଟିଏ ଯଦି ୧୦ ଟଙ୍କା ରୋଜଗାର କରେ ପ୍ରାୟ ୯ ଟଙ୍କା ନିଜ ପାଇଁ, ନହେଲେ ନିଜ ପରିବାର ପାଇଁ ଖର୍ଚ୍ଚ କରେ । ହେଲେ ମନ୍ଦିର ପ୍ରାଙ୍ଗଣରେ ବସିଥିବା ଏହି ବୃଦ୍ଧଙ୍କ ମହତ ଉଦେଶ୍ୟ ଜାଣିଲେ ଆପଣ ବି ଆଶ୍ଚଯ୍ୟ ହୋଇଯିବେ । ଦିବ୍ୟାଙ୍ଗ ବୃଦ୍ଧା ଜଣଙ୍କ ଭିକ ମାଗି ଯେଉଁ ଦୁଇ ପଇସା ରୋଜଗାର କରିଛନ୍ତି ସେଥିରେ ଠାକୁରଙ୍କ ପାଇଁ ଦେଉଳ ତୋଳୁଛନ୍ତି ।

ରଘୁ ରାଉତ । ଘର ଗଂଜାମ ଜିଲ୍ଲାରେ । ହେଲେ ବର୍ତମାନର ଠିକଣା ଖୋର୍ଦ୍ଧା ଜିଲ୍ଲା ବାଘମାରି । ଜନ୍ମରୁ ଦୁନିଆର ଆଲୋକ ଦେଖିନାହାନ୍ତି ରଘୁ । ତାଙ୍କ କହିବା ଅନୁସାରେ, ଦୃଷ୍ଟିଶକ୍ତି ନଥିବାରୁ ଘର ଲୋକ ପର କରିଦେଲେ । କିନ୍ତୁ କେବେ ସେ ଜୀବନ ଯୁଦ୍ଧରେ ହାରି ନାହାନ୍ତି । ବାବା ଆଖଣ୍ଡଳମଣୀଙ୍କୁ ଭରସା କରି ଭିକ ମାଗି ସାରା ଜୀବନ ଅତିବାହିତ କରୁଛନ୍ତି । ଆଉ ସେହି ଭିକ ଟଙ୍କାରେ ବାଘମାରି ହଟକେଶ୍ୱର ମହାଦେବ ମନ୍ଦିର ପରିସରରେ ଏକ ଶନି ମନ୍ଦିର ତିଆରି କରୁଛନ୍ତି ।