କନକ ବ୍ୟୁରୋ: ମେଳଣ ଉତ୍ସବ କହିଲେ, ସମସ୍ତେ ପ୍ରାୟ ବୁଝନ୍ତି ଦୋଳ ମେଲଣକୁ । ବିଭିନ୍ନ ସ୍ଥାନରୁ ସୁସଜିତ ବିମାନରେ ରାଧାକୃଷ୍ଣଙ୍କୁ ଶୋଭାଯାତ୍ରାରେ ଆଣି ଗୋଟିଏ ସ୍ଥାନରେ ରଖି ପୂଜାର୍ଚ୍ଚନା କରିବାକୁ । ହେଲେ କଟକ ଜିଲ୍ଲା ସାଲେପୁର ଓ ମାହାଙ୍ଗା ଅଂଚଳରେ ପାଳନ ହୁଏ ଭାଗବତ ମେଲଣ । ଏଠି ବିମାନରେ ରାଧାକୃଷ୍ଣ ନୁହେଁ ପ୍ରଭୁ ଜଗନ୍ନାଥଙ୍କୁ ବିଜେ କରାଯାଏ । ଭାଗବତର ପ୍ରଚାର ପ୍ରସାର ସହ ଭକ୍ତି ଭାବନା ଓ ଭାଇଚାରା ବଜାୟ ରଖିଛି ଏହି ନିଆରା ମେଲଣ । କିମ୍ବଦନ୍ତି କହେ, ନଅଙ୍କ ଦୃଭିକ୍ଷ ସମୟରୁ ଏହି ମେଳଣ ହୋଇଆସୁଛି ।

Advertisment

ଭାଗବତ । ଏଇ ଶବ୍ଦ ସହ ଯୋଡି ହୋଇଛି ଭାବବେଗ । ଭାଗବତ ଉଚାରଣ କରିବା ମାତ୍ରେ ମନରେ ଜାଗ୍ରତ ହୁଏ ଭକ୍ତିଭାବ । ପ୍ରାୟ ସବୁ ହିନ୍ଦୁଙ୍କ ଠାକୁର ଘରେ ନିହାତି ଭାଗବତଟିଏ ଥିବ । ଆଗରୁ ଗାଁରେ ଭାଗବତ ଟୁଙ୍ଗି ଥିଲା । ଯଦିଓ ସମୟ କ୍ରମେ ଗାଁରୁ ଭାଗବତ ଟୁଙ୍ଗି ହଜି ଯାଉଛି । କିନ୍ତୁ କଟକ ଜିଲ୍ଲାର ମାହାଙ୍ଗା ଓ ସାଲେପୁର ଅଂଚଳରେ ଗାଁର ଭାଗବତ ଟୁଙ୍ଗି ରହିଛି । ସବୁଦିନ ସକାଳ ଓ ସଂଧ୍ୟାରେ ପୂଜାର୍ଚ୍ଚନା ସହ ଭାଗବତ ପାଠ କରାଯାଉଛି । ବର୍ଷକୁ ଥରେ ଭାଗବତ ମେଳଣ କରାଯାଉଛି ।

କାର୍ତିକ ମାସ ପୂର୍ଣ୍ଣିମାରୁ ମାର୍ଗଶୀର ମାସ ୮ ଦିନ ଯଏଁ ଭାଗବତ ମେଳଣ ଉତ୍ସବ ଅନୁଷ୍ଠିତ ହୁଏ । ଜଗତନାଥ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ବିମାନରେ ବିଜେ କରାଯାଏ । ବିମାନରେ ପରମ ଶାସ୍ତ୍ର ଭାଗବତ ରଖାଯାଉଥିବାରୁ ଏହାକୁ ଭାଗବତ ବିମାନ ବୋଲି କୁହାଯାଏ । ପ୍ରତିଦିନ ଭାଗବତ ବିମାନରେ ଭଗବାନ ଘର ଘରକୁ ଯାଇ ଭୋଗ ଖାଇବା ପରେ ସଂଧ୍ୟାରେ ମେଳଣ ପଡିଆକୁ ଆସିଥାନ୍ତି । ରାତି ସାରା ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସଂକିର୍ତନରେ ମେଳଣ ଅନୁଷ୍ଠିତ ହୋଇଥାଏ । ପରେ ସକାଳେ ଭାଗବତ ପଠନ ସହ ଭୋଗରାଗ କରିଥାନ୍ତି ଶ୍ରଦ୍ଧାଳୁ । ଭାଗବତର ପ୍ରଚାର ପ୍ରସାର ସହ ଭକ୍ତି ଭାବନା ଓ ଭାଇଚାରା ବଜାୟ ରଖିଛି ସାଲେପୁର ଅଂଚଳରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ନିଆରା ମେଲଣ ଉତ୍ସବ ।