କନକ ବ୍ୟୁରୋ: ସବୁ ବାପାଙ୍କ ପରି ନିରାକାରଙ୍କର ମଧ୍ୟ ଇଚ୍ଛାଥିଲା ପୁଅ ପାଠ ପଢ଼ିବ, ମଣିଷ ହେବ । କିନ୍ତୁ ସେ ଦିନ ସ୍କୁଲ ଫେରିବା ବାଟରେ ପୁଅ ଶ୍ରୀନିବାସଙ୍କ ସହିତ ଟ୍ରକ ଦୁର୍ଘଟଣା ତାଙ୍କର ସବୁ ସ୍ୱପ୍ନ ଭାଙ୍ଗି ଚୁରମାର କରିଦେଲା । ଏଭିଳି ଘଟଣା ଘଟିଛି, ଭଦ୍ରକ ଜିଳ୍ଲା ବାଂଶଡ଼ା ଥାନା ଅଧିନ ଧାମରା-ବାସୁଦେବପୁର ରାସ୍ତାରେ ।

Advertisment

publive-image

ପାଠ ଅଟକି ଗଲା ଅଧାବାଟରେ...ମେଧାବୀ ଛାତ୍ରଙ୍କ ଜୀବନକୁ ବଳିଗଲା ଯନ୍ତ୍ରଣା...କଅଁଳ ଜୀବନରେ ଯନ୍ତ୍ରଣାର ବୋଝ । ଜୀବନକୁ ବୁଝିବା ଆଗରୁ ଶଯ୍ୟାଶାୟୀ କରିଦେଲା ଦୁର୍ଘଟଣା । ଆଉ ଦୁର୍ଘଟଣାର ଲୁହରେ ଭାସି ଯାଇଛି ଜଣେ ମେଧାବୀଙ୍କ ସ୍ୱପ୍ନ । ଜଣେ ମାଆର ଆଖି ଆଗରେ ଯନ୍ତ୍ରଣାରେ ଛଟପଟ ହେଉଛି ପୁଅ । ସାଇକେଲରେ ସ୍କୁଲରୁ ଫେରିବା ବାଟରେ ଟ୍ରକ ଧକ୍କାରେ ବଦଳି ଯାଇଛି ଚାନ୍ଦବାଲି ବ୍ଲକ ବଜରାପୁର ଗାଁର ଅଷ୍ଟମ ଶ୍ରେଣୀ ଛାତ୍ର ଶ୍ରୀନିବାସ ଭଳଙ୍କ ଜୀବନ ରେଖା । ପାଠପଢି ଭଲ ମଣିଷ ହେବା ସ୍ୱପ୍ନରେ ଭଟ୍ଟା ପକାଇ ଦେଇଛି ଦୁର୍ଘଟଣା ପରର ଯନ୍ତ୍ରଣା । ପେଟରେ ହୋଇଥିବା କଣା ଦ୍ୱାରା ମଳ ତ୍ୟାଗ କରୁଥିବା ଜଣେ ମେଧାବୀ ସୁସ୍ଥ ହୋଇ ପୁଣି ଥରେ ସ୍କୁଲ ଯିବା ପାଇଁ ଆଶା ବାନ୍ଧିଛି । ହେଲେ ତାର ଏହି ଆଶା ପୂରଣ ଦିଗରେ ବାଧକ ସାଜିଛି ଅର୍ଥାଭାବ ।

publive-image

ଦୁର୍ଘଟଣା ସମୟରେ ଶ୍ରୀନିବାସଙ୍କ ମଳଦ୍ୱାରରେ ସାଇକେଲ୍ ହେଣ୍ଡେଲ ପଶି ଯାଇଥିଲା । ତାଙ୍କୁ ସୁସ୍ଥ କରିବା ପାଇଁ ବାପା ନିରାକାର ଚନ୍ଦବାଲିରୁ ଭଦ୍ରକ, ଭଦ୍ରକରୁ କଟକ ଓ ଭବନେଶ୍ୱରର ବହୁ ଡାକ୍ତରଖାନା ବୁଲି ସାରିଲେଣି । ଗରିବ ବାପା ପୁଅ ପାଇଁ ନିଜର ସବୁ ସମ୍ବଳ ଖର୍ଚ୍ଚ କରି ସାରିଛନ୍ତି । ଏବେ ଆହୁରି ଅଧିକ ଟଙ୍କାର ଆବଶ୍ୟକ ହେବାରୁ ପୁଅକୁ ଡାକ୍ତରଖାନରୁ ଫେରାଇ ଆଣିଛନ୍ତି । ଅନ୍ୟପଟେ ଉପଯୁକ୍ତ ଚିକିତ୍ସା ଅଭାବରୁ ଶ୍ରୀନିବାସଙ୍କର ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଯାହାକୁ ଦେଖି ମାଆ ଆଖିରୁ ଦିନ ରାତି ଲୁହ ଗଡୁଛି । ତେବେ ପାଠପଢା ବୟସରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଶ୍ରୀନୀବାସଙ୍କୁ ସରକାରୀ ଓ ବେସରକାରୀ ସ୍ତରରୁ ସହାୟତା ମିଳିଲେ, ସେ ସୁସ୍ଥ ହୋଇ ପୁଣି ଥରେ ସ୍କୁଲ ଯାଇପାରନ୍ତା ଆଉ ନିଜର ସ୍ୱପ୍ନ ସାକାର କରିପାରନ୍ତା ।