ମଲା ପରେ ବି ନିର୍ଯାତନା ! ବୁଢାବାପାର ଶବ ନେବା ପାଇଁ ଅର୍ଥ ଦାବି କଲେ ପୁଅବୋହୂ । ୨୪ ଘଂଟା କାଳ ପଡି ରହିଲା ମୃତଦେହ

814

କନକ ବ୍ୟୁରୋ: ବଞ୍ଚି ଥିବାବେଳେ ବୁଢାବାପାଙ୍କୁ ଆଡ ଆଖିରେ ଚାହିଁଲେନି । ଆଉ ମୃତ୍ୟୁ ପରେ ବି ଅମାନିବକତାର ସବୁ ସୀମା ଟପିଗଲେ ପୁଅବୋହୂ । ଏମିତିକି ମୃତ ବାପାଙ୍କ ଶବ ନେବାକୁ ବି ଦାବି କଲେ ଅର୍ଥ । ଅବସର ପରେ ପୁଅବୋହୂଙ୍କ ନିର୍ଯାତନା ସହି ନପାରି ଘରୁ ବାହାରି ଆସିଥିବା ଜଣେ ଶିକ୍ଷକଙ୍କର ଏବେ ମୃତ୍ୟୁ ପରେ ବି ସରି ନାହିଁ ଯନ୍ତ୍ରଣା । ମୃତଦେହ ନେବା ପାଇଁ ଅରାଜୀ ହେବା ସହ ବାପା ଆଶ୍ରୟ ନେଇଥିବା ଜଣେ ବ୍ୟକ୍ତିଙ୍କଠାରୁ ଦାବୀ ଲକ୍ଷେ ଟଙ୍କା କରିଛନ୍ତି ଅଲାଜୁକ ପୁଅବୋହୂ । ଯାହା ସଭ୍ୟ ସମାଜକୁ ଅବାକ୍ କରିଦେଇଛି ।

ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିର ବଜରାପୁର ଗାଁରେ । ବାପା ତାଙ୍କ ପେନସନ ଟଙ୍କା ପୁଅବୋହୂଙ୍କୁ ନ ଦେଇ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦେଉଥିବାରୁ ଏଥିରେ କ୍ଷୋଭ ପ୍ରକାଶ କରି ଶବ ନେବାକୁ ଆସୁନଥିବା ଜଣାପଡିଛି । ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବୃଦ୍ଧ ଶିକ୍ଷକଙ୍କୁ ଆଶ୍ରୟ ଦେଇଥିବା ବ୍ୟକ୍ତିଜଣକ । ତେବେ ପରିତାପର କଥା ହେଲା, ୨୪ ଘଂଟା ବିତିଯାଇଥିଲେ ମଧ୍ୟ ସେହିଭଳି ଅବସ୍ଥାରେ ପଡିରହିଛି ବୃଦ୍ଧଙ୍କ ମୃତ ଶରୀର । ସୂଚନା ମୁତାବକ, ବଜରାପୁର ଗାଁର ଗଜେନ୍ଦ୍ର ସାହୁ ଜଣେ ଗରିବ ଚାଷୀ । ତିହିଡି ଅଂଚଳରେ ସେ ଛେନା ବେପାର କରନ୍ତି ।

ତେବେ ୨୦୦୩ରେ ତିହିଡିର ଅନାମ ଚରଣ ବନ୍ଧ ଶିକ୍ଷକତାରୁ ଅବସର ନେବା ପରେ ନିଜ ପୁଅବୋହୂଙ୍କ ନିର୍ଯାତନା ସହି ନପାରି ଗଜେନ୍ଦ୍ରଙ୍କ ଘରେ ଆଶ୍ରୟ ନେଇଥିଲେ । ଏନେଇ ଗଜେନ୍ଦ୍ର ତାଙ୍କ ପୁଅବୋହୂଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଅନାମଙ୍କୁ ନେବାକୁ ଆସି ନଥିଲେ । ତେବେ ଦୀର୍ଘ ୧୭ ବର୍ଷ ଧରି ଅନାମ ଗଜେନ୍ଦ୍ରଙ୍କ ଘରେ ଜଣେ ସଦସ୍ୟ ଭାବେ ରହିଆସୁଥିଲେ । ହେଲେ ଗତ ବୁଧବାର ରାତିରେ ତାଙ୍କରବାର୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ଘଟିଥିବା ବେଳେ ମୃତଦେହ ନେବା ବଦଳରେ ଓଲଟା ବାପାଙ୍କ ପେନସନ ଟଙ୍କା ଦାବି କରିଥିଲେ ଅନାମଙ୍କ ପୁଅବୋହୂ । ଶେଷରେ ନିରୁପାୟ ହୋଇ ଗଜେନ୍ଦ୍ର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।