ଖରସ୍ରୋତାରେ ଜଳ ଯୋଗାଣ ପ୍ରକଳ୍ପକୁ ନେଇ ସପକ୍ଷ ଓ ବିପକ୍ଷବାଦୀ ମୁହାମୁହିଁ: ଭଦ୍ରକକୁ ପାଣି ଦେବାକୁ ଦାବି କଲା ଆଳି ରାଜକନିକା ବିଜୁ ମହିଳା ସାମ୍ମୁଖ୍ୟ

ସେପଟେ ବୁନ୍ଦାଏ ବି ପାଣି ଦିଆଯିବନି କହି ଜିଦରେ ଅଟଳ ଖରସ୍ରୋତ ବଂଚାଅ ସଂଗ୍ରାମ ସମିତି

86

କନକ ବ୍ୟୁରୋ: ଖରସ୍ରାତା ପାଣି ଭଦ୍ରକବାସୀଙ୍କୁ ଦିଆଗଲେ ନଦୀ ଶୁଖି ଯିବ ନାହିଁ । ମେଗା ଜଳ ଯୋଗାଣ ପ୍ରକଳ୍ପ କରି ଭଦ୍ରକ ଜିଲ୍ଲାକୁ ପାଣି ଦିଆଯାଉ ବୋଲି ଦାବି କରିଛି ଆଳି ଓ ରାଜକନିକା ବ୍ଲକ ବିଜୁ ମହିଳା ସାମ୍ମୁଖ୍ୟ । ରାଜ୍ୟ ସରକାର ମେଗା ପାନୀୟଜଳ ଯୋଜନାରେ ଭଦ୍ରକ ଜିଲ୍ଲାକୁ ପାଣି ଦେବା ସହିତ ରାଜକନିକା ଓ ଆଳି ବ୍ଲକ ପାଇଁ ୨୬୮ କୋଟି ଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପ ଘୋଷଣା କରିଛନ୍ତି । ହେଲେ, ଭଦ୍ରକ ଜିଲ୍ଲାକୁ ପାଣି ନଦେବା ଲାଗି ଦିର୍ଘଦିନ ହେବ ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ଆନ୍ଦୋଳନ କରିଆସୁଛି । କିନ୍ତୁ ଏବେ ଏହି ପ୍ରକଳ୍ପ ସପକ୍ଷରେ ଆଗକୁ ଆସିଛି ବିଜୁ ମହିଳା ସାମ୍ମୁଖ୍ୟ । ଭଦ୍ରକ ଜିଲ୍ଲାକୁ ପାଣି ଦେବା କରିଛି ବିଜୁ ମହିଳା ସାମ୍ମୁଖ୍ୟ ।

କେନ୍ଦ୍ରପଡ଼ା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକ ମଧ୍ୟଭାଗରେ ଥିବା ଖରସ୍ରୋତା ନଦୀରୁ ପାଣି ନେଇ ଭଦ୍ରକ ଜିଲ୍ଲାରେ ହେବ ମେଗା ପାନୀୟଜଳ ପ୍ରକଳ୍ପ । ସରକାରଙ୍କ ପକ୍ଷରୁ ପ୍ରକଳ୍ପ ଘୋଷଣା ହେବା ପର ଠାରୁ ଏହାକୁ ବିରୋଧ କରି ଆସୁଛି ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି । ହେଲେ ଏବେ ପାନୀୟଜଳ ପ୍ରକଳ୍ପ ସପକ୍ଷରେ ବାହାରିଛି ଆଳି ଓ ରାଜକନିକା ବ୍ଲକର ବିଜୁ ମହିଳା ସାମ୍ମୁଖ୍ୟ । ରାଜକନିକା ବ୍ଲକ ବିଜୁ ମହିଳା ସାମ୍ମୁଖ୍ୟର ସଭାପତି ସଂଯୁକ୍ତା ଶତପଥି କହିଛନ୍ତି, ଭଦ୍ରକ ଜିଲ୍ଲାକୁ ପାଣି ଗଲେ ନଦୀର ପାଣି ଶୁଖି ଯିବ ନାହିଁ । ଲୋକଙ୍କୁ ମିଛ କହି ବିଭ୍ରାନ୍ତ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଯଦି ମେଗା ଜଳ ପ୍ରକଳ୍ପକୁ ବିରୋଧ କରାଯାଏ ତେବେ ମହିଳା ସାମ୍ମୁଖ୍ୟ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଅଂଚଳର ପ୍ରଗତିରେ ବିରୋଧିମାନେ ଜନମଙ୍ଗଳ କାର୍ଯ୍ୟରେ ସାମିଲ ହୁଅନ୍ତୁ । ପାଣିକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ବୋଲି କହିଛନ୍ତି ଆଳି ବିଧାୟକଙ୍କ ପ୍ରତିନିଧି ବିକାଶ ଦାସ । ସେପଟେ ଖରସ୍ରୋତା ବଂଚାଅ ସଂଗ୍ରାମ ସମିତିର ସଦସ୍ୟ କହିଛନ୍ତି, ଆଳି ଓ ରାଜକନିକା ବ୍ଲକରେ ହେବାକୁ ଥିବା ମେଗା ପାନୀୟଜଳ ପ୍ରକଳ୍ପକୁ ବିରୋଧ କରାଯାଉନାହିଁ । ଭଦ୍ରକ ଜିଲ୍ଲାକୁ ଖରସ୍ରୋତାର ବୁନ୍ଦାଏ ପାଣି ଦିଆଯିବ ନାହିଁ ସଂଗଠନ ପକ୍ଷରୁ କୁହାଯାଇଛି । ଖରସ୍ରୋତା ପାଣିକୁ ନେଇ ମେଗା ଜଳ ଯୋଗାଣ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ହେଲେ ଏବେ ପ୍ରକଳ୍ପକୁ ନେଇ ସପକ୍ଷବାଦି ଓ ବିପକ୍ଷବାଦିଙ୍କ ମଧ୍ୟରେ ଛକା ପଞ୍ଝା ଲାଗି ରହିଛି ।