ପଞ୍ଚାୟତ ରାଜନୀତିରେ ରକ୍ତର ଛିଟା । ଭଦ୍ରକ ଧାମନଗରରେ ଭୟଙ୍କର ନିର୍ବାଚନୀ ହିଂସା ନେଇଗଲା ଜଣଙ୍କ ଜୀବନ ।

428

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଥିଲେ ବି ଗତକାଲି ରାତିରେ ଭଦ୍ରକର ଧାମନଗରରେ ସାଂଘାତିକ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା । ବିଜେଡି ଓ ବିଜେପି କର୍ମୀମାନେ ମୁହାଁମୁହିଁ ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରେ ସଂଘର୍ଷ ଏତେ ଭୟଙ୍କର ହୋଇଯାଇଥିଲା ଯେ ଏଥିପାଇଁ ଜଣେ ବିଜେଡି କର୍ମୀଙ୍କ ଜୀବନ ଚାଲିଗଲା । ସେପଟେ ବିଜେଡି ଏନେଇ ବିଜେପିକୁ ଟାର୍ଗେଟ କରିଛି ।

ଭଦ୍ରକର ଧାମନଗର ଅଞ୍ଚଳରେ ଛାତି ଥରାଇଦେବା ଭଳି ନିର୍ବାଚନୀ ହିଂସା । ରାଜନୀତିର ତାତି ମୁଣ୍ଡକୁ ଏପରି ଚଢିଛି ଯେ, ଜଣେ ଅନ୍ୟ ଜଣଙ୍କ ଜୀବନ ନେବାକୁ ବି ପଛାଉନାହିଁ । ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗିରି ଅଞ୍ଚଳରେ ଯେତେବେଳେ ବିଜେଡି ଓ ବିଜେପିର କର୍ମୀମାନେ ମୁହାଁମୁହିଁ ହୋଇଯାଇଥିଲେ, ସେତେବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । କୁହାଯାଉଛି, ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ମନମୋହନ ସାମଲ ନିଜ କର୍ମୀଙ୍କ ସହ ପ୍ରଚାରକୁ ଯାଇଥିଲେ ଏବଂ ସେହି ସମୟରେ ବିଜେଡିର ଏକ ଗୋଷ୍ଠୀ ସହ ମୁହାଁମୁହିଁ ହୋଇଥିଲେ, ଆଉ ତାପରେ ଆରମ୍ଭ ହୋଇଯାଇଥିଲା, ଆକ୍ରମଣ ପ୍ରତିଆକ୍ରମଣ ।

ନିର୍ବାଚନୀ ହିଂସାର ଭୟଙ୍କର ପରିଣତି । ହିଂସାକାଣ୍ଡରେ ବିଜେଡି କର୍ମୀଙ୍କ ମୃତ୍ୟୁ । ଏହି ଘଟଣାରେ ପ୍ରତାପ କୁମାର ରାଉତ ଗୁରୁତର ଆହତ ହୋଇଥିଲେ, ଏବଂ ତାଙ୍କୁ ହସ୍ପିଟାଲ ନେବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ବିଜେଡି କହିଛି, ରାଜନୈତିକ ଶତ୍ରୁତା ରଖି ବିଜେଡି କର୍ମୀଙ୍କୁ ହତ୍ୟା କରାଯାଇଛି । ତେବେ ଏନେଇ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ପୁଲିସ କହିଛି, ଘଟଣାର ତଦନ୍ତ ଚାଲିଛି, ଏବଂ ତଦନ୍ତ ରିପୋର୍ଟ ଅନୁସାରେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ପ୍ରଶ୍ନ ଉଠୁଛି, ରାଜନୈତିକ ଶତ୍ରୁତା କେମିତି ସୀମା ଟପି ଯାଉଛି । ଏବଂ ନୀରିହ କର୍ମୀଙ୍କ ଜୀବନ ଯାଉଛି ।