ନିୟମ ଭାଙ୍ଗି ବନ୍ଧା ହେଲେ ବ୍ୟବସାୟୀ: କରୋନା କଟକଣା ପରେ ବି ଦୋକାନ ଖୋଲିବାରୁ ଦୋକାନୀଙ୍କୁ ଗିରଫ କଲା ଭଦ୍ରକ ଟାଉନ ଥାନା ପୋଲିସ୍; ଗିରଫ ପରେ ସଂପୃକ୍ତ ବ୍ୟବସାୟୀଙ୍କୁ କୋର୍ଟ ଚାଲାଣ

22,639

କନକ ବ୍ୟୁରୋ: ନିୟମ ନମାନି ବନ୍ଧା ହେଲେ ଦୋକାନୀ । ଭଦ୍ରକ ସାହାପୁର ଛକ ସିମେଂଟ ଦୋକାନରେ ଚଢାଉ କରି ବ୍ୟବସାୟୀଙ୍କୁ ଗିରଫ କଲା ପୁଲିସ୍ । କରୋନା କଟକଣା ପରେ ବି ଦୋକାନ ଖୋଲିଥିବାରୁ ସିମେଂଟ ଦୋକାନୀଙ୍କୁ ବାନ୍ଧିଛି ପୁଲିସ୍ । ତେବେ ଗିରଫ ପରେ ସଂପୃକ୍ତ ଦୋକାନୀଙ୍କୁ କୋର୍ଟ ଚାଲାଣ କରିଛି ଭଦ୍ରକ ଟାଉନଥାନା ପୋଲିସ ।

କରୋନାକୁ ନେଇ ଦେଶବ୍ୟାପୀ ସତର୍କତା ଚାଲିଥିବା ବେଳେ ଭୁତାଣୁକୁ ହରାଇବା ପାଇଁ ବର୍ତ୍ତମାନ ଦେଶର ଅଧାଧିକ ରାଜ୍ୟ ଏବଂ ସହର ଲକଡାଉନ ଘୋଷିତ ହୋଇଛି । ଓଡିଶା ସରକାର ମଧ୍ୟ ଆସନ୍ତା ୨୯ ତାରିଖ ରାତି ୯ଟା ଯାଏଁ ଏହି କଟକଣା ଲାଗୁ କରିଛନ୍ତି । ତେବେ ତାଲାବନ୍ଦ ସମୟରେ ରାସନ, ଔଷଧ ଓ ପରିବା ଦୋକାନଗୁଡିକୁ ବାଦ୍ ଦିଆଯାଇଥିବା ବେଳେ ଅତି ଜରୁରୀ ନଥିଲେ କେହି ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି କରୋନା ଯୁଦ୍ଧ ସହ ସଂପୃକ୍ତି ପ୍ରଶାସନିକ କାର୍ଯ୍ୟାଳୟକୁ ଛାଡିଦେଲେ ଅନ୍ୟ ସମସ୍ତ ଅଫିସ ବନ୍ଦ ରହିବ । ଆଉ ନିୟମ ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ, ହୋମ୍ କ୍ୱାରେନଂଟାଇନ୍ ବ୍ୟବସ୍ଥାର ଉଲଂଘନ ଅଭିଯୋଗରେ ଗତକାଲି ରାଜ୍ୟରେ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳରେ ବ୍ୟବସ୍ଥାର ଉଲଂଘନ ଅଭିଯୋଗରେ ଦୁଇ ଜଣଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଅନୁରୁପ ଭାବରେ କଟକ ପୁରୀ ଘାଟ ଥାନରେ ବି ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ୍ । କଟକରେ ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କୁ ହୋମ୍ କ୍ୱାରେନଂଟାଇନରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ହେଲେ, ତାହା କରିବା ବଦଳରେ ବାହାରେ ବୁଲିବା ନେଇ ଅଭିଯୋଗ ହୋଇଥିଲା । କଟକ ଭୁବନେଶ୍ୱର ଭଳି ସମ୍ବଲପୁରରେ ମଧ୍ୟ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ।