ଭଦ୍ରକରେ ନବାଗତଙ୍କ ଲଢେଇ। ଲୋକସଭା ଆସନ ପାଇଁ ଚାଲିଛି ଜୋରଦାର ପ୍ରଚାର। ମୈଦାନରେ ଅଭିମନ୍ୟୁ ବନାମ୍ ମଂଜୁଲତା ବନାମ୍ ମଧୁମିତା

ଭଦ୍ରକରେ ଭୋଟରଙ୍କ ଭରସା ଜିତିବ କିଏ? ନବାଗତଙ୍କ ମଧ୍ୟରେ ହେଉଛି ମହାଲଢେଇ, ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଜନତା ଜନାର୍ଦ୍ଦନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଭଦ୍ରକ ଜିଲ୍ଲା। ଦଳୀୟ ନେତା ଓ କର୍ମୀ ଯାହା ଭାବୁଥିଲେ, ନିର୍ବାଚନର ଟିକଟ ବଣ୍ଟନ ବେଳେ ତାର ଓଲଟା ଫଳ ଦେଖିବାକୁ ମିଳିଛି। ଅନ୍ୟ ଦୃଷ୍ଟିରେ ଦେଖିଲେ ରାଜନୀତିରେ ସଂପୂର୍ଣ୍ଣ ଭାବେ ନୂଆ ଚେହେରାଙ୍କୁ ନେଇ ଏଥର ଭଦ୍ରକର ଲୋକସଭା ନିବାଚନ ମଇଦାନ ବେଶ୍ ଚର୍ଚ୍ଚାରେ ରହିଛି। ୪୮ ବର୍ଷର ରାଜନୈତିକ ଜୀବନ ବିତାଇଥିବା ପୁରୁଖା ବିଜେଡି ନେତା, ଦଳର ଜିଲ୍ଲା ସଭାପତି ତଥା ଭଦ୍ରକ ଲୋକସଭାର ସାଂସଦ ଅର୍ଜୁନ ଚରଣ ସେଠୀଙ୍କୁ ଏଥର ଦଳ ଆଉ ଟିକଟଦେଇ ନାହିଁ କି ତାଙ୍କ ପୁତ୍ର ଅଭିମନ୍ୟୁ ସେଠୀଙ୍କୁ ବି ଦଳ ଟିକଟ ଦେଲା ନାହିଁ। ବିଜେଡିର ଏଭଳି ଶକ୍ତ ଅପମାନଙ୍କୁ ସହ୍ୟ କରି ନପାରି ଶେଷରେ ବାଧ୍ୟ ହୋଇ ଅର୍ଜୁନ ଓ ତାଙ୍କ ପୁତ୍ର ଅଭିମନ୍ୟୁ ଶଙ୍ଖ ଛାଡି ବିଜେପି ଶିବିରରେ ମିଶି ପଦ୍ମ ଧରିଛନ୍ତି। ବିଜେପି ମଧ୍ୟ ନବାଗତ ଅଭିମନ୍ୟୁଙ୍କୁ ନେଇ ଭଦ୍ରକ ଲୋକସଭା ପାଇଁ ଦଳୀୟ ପ୍ରାର୍ଥୀ କରିଛି।

publive-image

ସେହିପରି କଂଗ୍ରେସ ମଧ୍ୟ ପଛରେ ପଡି ନାହିଁ। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ଝିଅ, ରାଜନୀତିରେ ସଂପୂର୍ଣ୍ଣ ନୂଆ ଚେହେରା ଇଂ ମଧୁମିତା ସେଠୀଙ୍କୁ ନେଇ ଗେମପ୍ଲାନ ପ୍ରସ୍ତୁତକରିଛି। ରାଜନୀତିରେ ନୂଆ ହେଲେ ମଧ୍ୟ ମଧୁମିତା କିନ୍ତୁ ଏକ ପୋଖତ ରାଜନେତିକ ପରିବାର ଝିଅ। ବାପା ଅନନ୍ତ ଥିଲେ ଏକଦା ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ଏକାନ୍ତ ଅନ୍ତରଙ୍ଗ। ପିଲାଟି ଦିନରୁ ବାପାଙ୍କର ରାଜନୈତିକ ଜୀବନ ଦେଖିଛିନ୍ତ ମଧୁମିତା। କଂଗ୍ରେସ ଦଳ ତାଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରଖି ପ୍ରାର୍ଥୀ କରିଥିବାରୁ ସେ ଦଳ ପାଇଁ କାମ କରିବେ ବୋଲି କହିଛନ୍ତି। ନିର୍ବାଚନରେ ମଧୁମିତାଙ୍କୁ ନେଇ ଏକ ନୂଆ ଫର୍ମୁଲାରେ ଗୋଟିଚାଳନା ଆରମ୍ଭ କରିଛି।

publive-image

ବିଜେଡି ଦଳରୁ ଅର୍ଜୁନ ସେଠୀଙ୍କୁ ଏଥର ଆଉ ଲୋକସଭା ପ୍ରାର୍ଥୀ କରାଯାଇ ନାହିଁ। ଅର୍ଜୁନଙ୍କ ବୟସାଧିକ କାରଣରୁ ଦଳ ଏଥର ଆଉ ତାଙ୍କୁ ଟିକଟ ନଦେଇ ରାଜନୀତିରେ ଆଉ ଏକ ନୂଆ ଚେହେରା ମଂଜୁଲତା ମଣ୍ଡଳଙ୍କୁ ବିଜେଡି ଦଳ ଭଦ୍ରକ ଲୋକସଭା ପାଇଁ ପ୍ରାର୍ଥୀ କରିଛି। ରାଜନେତିକ ମଇଦାନରେ ସିନା ମଂଜୁଲତା ନୂଆ କିନ୍ତୁ ଏକ ବିଚକ୍ଷଣ ରାଜନେତା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କର ସେ ଧର୍ମପତ୍ନୀ। ମଂଜୁଲତା ସ୍ୱାମୀଙ୍କ ସହ ଦୀର୍ଘ ୨୫ ବର୍ଷ ଧରି ରାଜନେତିକ କାର‌୍ୟ୍ୟ କରିଛନ୍ତି। ସ୍ୱାମୀଙ୍କ ନିର୍ବାଚନ ବେଳେ ପ୍ରଚାର ମଙ୍ଗ ବି ଧରିଛନ୍ତି। ବିଜେଡି ମଧ୍ୟ ନବାଗତ ମଂଜୁଲତାଙ୍କୁ ନେଇ ଏଥର ନିର୍ବାଚନ ବୈତରଣୀ ପାର ହେବା ପାଇଁ ନୂଆ ଫର୍ମୁଲା ଆରମ୍ଭ କରି ଦେଇଛି । ତେବେ ଆସନ୍ତା ୨୯ ତାରିଖରେ ଏଠାରୁ ଭୋଟ୍ ପଡୁଥିବା ବେଳେ ଏମାନେ ମଧ୍ୟ ନିଜର ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe