୬୦ ଘଣ୍ଟିଆ ସଟଡାଉନ ସରିବା ପରେ ଭଦ୍ରକରେ ସୃଷ୍ଟି ହେଲା ମଣିଷ ହାଟ । କ୍ଷଣିକରେ ଭୁଲିଗଲେ ସବୁ କଟକଣା, ଫୁ କରିଦେଲେ ସବୁ ନିୟମ । ରାସ୍ତାଘାଟ ଓ ପରିବା ହାଟରେ ସାଇକେଲ ଧରି ଭିଡ ଜମାଇଲେ ଲୋକେ

774

କନକ ବ୍ୟୁରୋ: ଭଦ୍ରକରେ ସଟଡ଼ାଉନ ହଟିବା ପରେ ସହରରେ ଦେଖିବାକୁ ମିଳିଲା ମଣିଷ ହାଟ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଭଦ୍ରକରେ ସଟ ଡାଉନ୍ ଘୋଷଣା କରିଥିଲେ । ଆଉ ୬୦ ଘଂଟାର ସଟ ଡାଉନ୍ ଉଠିବା କ୍ଷଣି ବାଇକ୍, ସାଇକେଲ ଧରି ସହରକୁ ବାହାରି ପଡିଥିଲେ ଲୋକେ । ଦୋକାନ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ସଟ୍ ଡାଉନ ହଟିଛି, ଏବେ ଭଦ୍ରକରେ ଲକ୍ ଡ଼ାଉନ କଟକଣା ଜାରି ରହିଛି । ତଥାପି କଟକଣାକୁ ମାନୁ ନାହାନ୍ତି ଲୋକେ ।

ସଟ ଡ଼ାଉନ ହଟୁ ହଟୁ ପରିବା ହାଟ, ରାସ୍ତା ଘାଟରେ ଲୋକଙ୍କ ପ୍ରବଳ ଗହଳି ଲାଗିଛି । ପରିବା ହାଟରେ ମୁହଁ ମିଳୁନି । କଚେରୀ ବଜାର, ଅପତିବିନ୍ଧା ଛକ ଓ କଲେକ୍ଟର ଅଫିସ ସମ୍ମୁଖରେ ଲୋକଙ୍କ ଖଚାଖଚ ଭିଡ଼ ଜମିଛି । ପୁରା ଦୃଶ୍ୟକୁ ଦେଖିଲେ ଲାଗୁଛି ସାମାଜିକ ଦୂରତାକୁ ଭୁଲି ଯାଇଛନ୍ତି ଲୋକେ । ଏବେ ବି ଜିଲ୍ଲାରେ ଲକ୍ ଡ଼ାଉନ କଟକଣା ଥିବା ବେଳେ ଲୋକେ ଏହି ନିୟମକୁ ଖୋଲାଖୋଲି ଉଲଂଘନ କରିଥିବା ଦେଖିବାକୁ ମିଳିଛି ।