ବିଜେଡି ଛାଡ଼ିଲେ ଭଦ୍ରକ ସାଂସଦ । ଟିକେଟ୍ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଲେ ଅର୍ଜୁନ ସେଠୀ ।

412

କନକ ବ୍ୟୁରୋ: ଭଦ୍ରକ ବିଜେଡିକୁ ବଡ଼ ଝଟକା । ବିଜେଡି ଛାଡ଼ିଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ । ଟିକେଟ୍ ନପାଇବାରୁ ବିଜେଡିରୁ ଇସ୍ତଫା ଦେଇଛନ୍ତି ଅର୍ଜୁନ । ଦଳର ପ୍ରାଥମିକ ସଦସ୍ୟ ସହ ସାଂସଦ ପଦ ଏବଂ ଜିଲ୍ଲା ବିଜେଡି ସଭାପତି ପଦରୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଅର୍ଜୁନ ।


ଇସ୍ତଫା ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ଅର୍ଜୁନ କହିଛନ୍ତି କି, “ଚଳିତ ଥର ଭଦ୍ରକ ଲୋକସଭା ଆସନ ପାଇଁ ପୁଅକୁ ଟିକେଟ୍ ଦେବାକୁ ପୂର୍ବରୁ ଆପଣଙ୍କୁ ଭେଟି କହିଥିଲି । କିନ୍ତୁ ପୁଅ ନାଁକୁ ଟିକେଟ୍ ତାଲିକାରୁ ବାଦ୍ କରାଗଲା । ଏପରିକି ମୋତେ ଟିକେଟ୍ ମଧ୍ୟ ଦିଆଗଲା ନାହିଁ । ଏନେଇ ଆପଣଙ୍କୁ ଆଜି ନବୀନ ନିବାସକୁ ଭେଟିବାକୁ ଯାଇଥିଲେ ମଧ୍ୟ ୪ ଘଣ୍ଟା କାଳ ଅପେକ୍ଷା କରି ଶେଷରେ ଭେଟି ପାରିଲି ନାହିଁ । ତେଣୁ ପରିଣତ ବୟସରେ ଏଭଳି ଅଣଦେଖା ସହ୍ୟ ନକରିପାରି ଦଳରୁ ଇସ୍ତଫା ଦେଇଛି ବୋଲି ଲେଖିଛନ୍ତି ଭଦ୍ରକ ସାଂସଦ ଅର୍ଜୁନ ସେଠୀ ।

ଏପରିକି ଭଦ୍ରକ ଆସନରୁ ୮ଥର ସାଂସଦ ହୋଇଥିବାବେଳେ ମୋ ପ୍ରତି ଦଳ ଅଣଦେଖା କରିଛି । ମୋ ପୁଅ ନାଁକୁ ପ୍ରାର୍ଥୀ ତାଲିକାରୁ ବାଦ୍ ଦେଇ ମୋ ପ୍ରତି ଅନ୍ୟାୟ କରାଯାଇଛି ବୋଲି କହି ବିଷ ଓଗାଳିଛନ୍ତି ଅର୍ଜୁନ । ତେବେ ଭଦ୍ରକ ଲୋକସଭା ପାଇଁ ବିଜେଡି ସୁପ୍ରିମୋ ଚଳିତଥର ମଞ୍ଜୁଲତା ମଣ୍ଡଳଙ୍କୁ ଟିକେଟ୍ ଦେଇ ପ୍ରାର୍ଥୀ କରିଛନ୍ତି । ଏହାପରେ ଅର୍ଜୁନ ସେଠୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି ଅର୍ଜୁନ ସେଠୀ ।