ଚାଲିଛି ଦଳ ଡ଼ିଆଁ ପର୍ବ । ‘ପଦ୍ମ’ ଧରିଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ, ଯାଜପୁର ପୂର୍ବତନ ସାଂସଦ ମୋହନ ଜେନା ।

293

କନକ ବ୍ୟୁରୋ: ମଧ୍ୟାହ୍ନରେ ବିଜେଡି ଛାଡ଼ିଥିଲେ ଏବେ ‘ପଦ୍ମ’ ଧରିଲେ । ବିଜେପିରେ ମିଶିଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧଭାବେ ‘ପଦ୍ମ’ ଧରିଛନ୍ତି ପୂର୍ବତନ ବରିଷ୍ଠ ବିଜେଡି ନେତା ଅର୍ଜୁନ ସେଠୀ । ତେବେ ଚଳିତଥର ଭଦ୍ରକ ଲୋକସଭା ପାଇଁ ବିଜେଡି ତାଙ୍କୁ ଟିକେଟ୍ ନଦେବାରୁ ଆଜି ମଧ୍ୟାହ୍ନରେ ବିଜେଡିରୁ ଇସ୍ତଫା ଦେଇଥିଲେ ଅର୍ଜୁନ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇ ଦଳର ପ୍ରାଥମିକ ସଦସ୍ୟ ସହ ସାଂସଦ ପଦ ଏବଂ ଜିଲ୍ଲା ବିଜେଡି ସଭାପତି ପଦରୁ ଇସ୍ତଫା ଦେଇଥିଲେ ଅର୍ଜୁନ ।

ଅନ୍ୟପଟେ ନିକଟରେ ଯାଜପୁର ପୂର୍ବତନ ବିଜେଡି ସାଂସଦ ମୋହନ ଜେନା ମଧ୍ୟ ବିଜେପି ଶିବିରରେ ସାମିଲ ହୋଇଛନ୍ତି । ଦଳ ଅଣଦେଖା କରି ଯାଜପୁର ଲୋକସଭା ପାଇଁ ଏଥର ଟିକେଟ୍ ନଦେବା ଅଭିଯୋଗ କରି ବିଜେଡି ଛାଡ଼ିଥିଲେ ମୋହନ । ବିଜେଡି ଚଳିତଥର ପୁର୍ନବାର ରୀତା ତରାଇଙ୍କୁ ଯାଜପୁର ମଙ୍ଗ ଧରାଇଥିବାବେଳେ ମୋହନଙ୍କୁ ଏହା ପସନ୍ଦ ଆସିନଥିଲା । ତେଣୁ ତାଙ୍କୁ ଟିକେଟ୍ ନମିଳିବାରୁ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଅନ୍ୟପଟେ ଉଭୟ ଅର୍ଜୁନ ଏବଂ ମୋହନ ନିଜ ନିଜର ଶତାଧିକ ସମର୍ଥକଙ୍କ ସହ ଗେରୁଆ କ୍ୟାମ୍ପକୁ ଏଣ୍ଟ୍ରି ମାରିଛନ୍ତି ।