ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ଛଟପଟ ହେଉଥିଲେ ରୋଗୀ : କରୋନା ସଂକ୍ରମଣ ଭୟରେ ଛୁଇଁଲେନି କର୍ମଚାରୀ , ଅକ୍ସିଜେନ ଅଭାବରୁ ଚାଲିଗଲା ଜୀବନ

ମହିଳାଙ୍କ ମୃତ୍ୟୁର ଲାଇଭ ଭିଡିଓ କ୍ୟାମେରାରେ କଏଦ

147

କନକ ବ୍ୟୁରୋ : ଅକ୍ସିଜେନ ଅଭାବରୁ ଜଣେ କରୋନା ସଂକ୍ରମିତ ମହିଳା ଡାକ୍ତରଖାନାରେ ଆଖି ବୁଜିଛନ୍ତି । ଅକ୍ସିଜେନର ଅଭାବ ନଥିଲା, ଡାକ୍ତର. ନର୍ସ ସମସ୍ତେ ରହିଥିଲେ । ହେଲେ ମହିଳା ଜଣକ କରୋନା ସଂକ୍ରମିତ ଜାଣିବା ପରେ କେହି ପାଖକୁ ଆସିଲେ ନାହିଁ । ଆଖି ଆଗରେ ରୋଗୀ ଛଟପଟ ହେଉଥିଲା, ହେଲେ ଡାକ୍ତର କି ନର୍ସ ଛୁଇଁଲେ ନାହିଁ । ଶେଷରେ ନିଶ୍ୱାସ ନେଇନପାରି ଛଟପଟ୍ ହୋଇ ସମସ୍ତଙ୍କ ଆଖିରେ ଛଟପଟ୍ ହୋଇ ପ୍ରାଣ ହରାଇଛନ୍ତି ମହିଳା ।

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଘଟିଥିବା ଏହି ଦୁଃଖଦ ଘଟଣାର ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ । ସୂଚନା ଅନୁସାରେ ସିମୁଳିଆ ଥାନା ଅଂଚଳର ମଇତାପୁର ଗାଁର ଗୋମତି ସିଂ ଛାତିରେ ଯନ୍ତ୍ରଣା ହେବାରୁ ଭଦ୍ରକ ମେଡିକାଲକୁ ଆସିଥିଲେ । ମେଡିସିନ ୱାର୍ଡରେ ଚିକିତ୍ସା ପାଇଁ ତାଙ୍କୁ ପଠାଯାଇଥିବା ବେଳେ ତାଙ୍କ ରକ୍ତ ନମୁନା ପରୀକ୍ଷାରୁ ସେ ପଜିଟିଭ ଥିବା ଜଣାପଡିଥିଲା । ଏହାପରେ ଡାକ୍ତର କି ନର୍ସ ତାଙ୍କୁ ଛୁଇଁନଥିଲେ, ଏହି ସମୟରେ ଗୋମତିଙ୍କୁ ହସ୍ପିଟାଲ ଆଣିଥିବା ତାଙ୍କ ସଂପର୍କୀୟ ଅକ୍ସିଜେନ ଦେବାକୁ ବ୍ୟାକୁଳ ହୋଇ ଅନୁରୋଧ କରିଥିଲେ ।

ହେଲେ ତାଙ୍କ କଥା କେହି ଶୁଣିନଥିଲେ । ମାନବିକତା ଭୁଲି ଯାଇ ଅକ୍ସିଜେନ ଦେଇ ହେବନି ବୋଲି ଗାଳି ଗୁଲଜ କରି ତୁରନ୍ତ ହସ୍ପିଟାଲ ଛାଡି ଚାଲିଯିବାକୁ ସଂପର୍କୀୟଙ୍କୁ କହିଥିଲେ ହସ୍ପିଟାଲ କର୍ମଚାରୀ । ଶେଷରେ ନିଶ୍ୱାସ ପ୍ରଶ୍ୱାସ ନେଇନପାରି ସମସ୍ତଙ୍କ ସାମ୍ନାରେ ଛଟପଟ ହୋଇ ଗୋମତୀ ପ୍ରାଣ ହରାଇଛନ୍ତି ।

ଏପଟେ ଦେଶରେ ଅକ୍ସିଜେନ ଅଭାବ ଦେଖା ଦେବା ପରେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଯେପରି କୌଣସି ରୋଗୀ ଅକ୍ସିଜେନ ଅଭାବରୁ ନମରନ୍ତି ସେନେଇ କଡା ନିର୍ଦ୍ଦେଶ ବି ଦେଇଛନ୍ତି ।