ପାଖେଇ ଆସୁଛି କାଳୀ ପୂଜା : ମାଆ ଭଦ୍ରକାଳୀଙ୍କ ପୂଜା ପାଇଁ ଚଳଚଂଚଳ ଭଦ୍ରକ ଜିଲ୍ଲା

110

କନକ ବ୍ୟୁରୋ : ରାତି ପାହିଲେ କାଳିପୂଜା । ଧରାପୃଷ୍ଠରେ ଅବତରଣ କରିବେ ଦୁଷ୍ଟ ସଂହାରିଣୀ ଅଭୟ ଦାୟିନୀ ମାଆ କାଳୀ । ମାଆ ଭଦ୍ରକାଳୀଙ୍କ ପୂଜା ପାଇଁ ପ୍ରସିଦ୍ଧ ଭଦ୍ରକ ଜିଲ୍ଲାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆଉ ମାଆ ଭଦ୍ରକାଳୀଙ୍କ ପୀଠ ହୋଇ ଉଠିଛି ଚଳଚଂଚଳ । ୭ ଦିନ ଧରି ଚାଲିବ ମାଆ କାଳୀଙ୍କ ପୂଜାର୍ଚ୍ଚନା । ଆଉ ମାଆଙ୍କ ଆଗମନକୁ ଉତ୍ସାହର ଚାହିଁବସିଛନ୍ତି ଶ୍ରଦ୍ଧାଳୁ।

ଭଦ୍ରକ ସହର ଠାରୁ ୭ କିଲୋମିଟର ଦୂରରେ ରହିଛି ମାଆ ଭଦ୍ରକାଳୀଙ୍କ ପୀଠ । ଆସନ୍ତାକାଲିଠାରୁ କାଳି ପୂଜା ଆରମ୍ଭ ହେଉଥିବାରୁ ଏହି ଶକ୍ତିପୀଠ ହୋଇ ଉଠିଛି ଚଳଚଂଚଳ । ୭ ଦିନ ଧରି ଚାଲିବ ମାଆ କାଳୀଙ୍କ ପୂଜାର୍ଚ୍ଚନା । ରୀତିନୀତି ଅନୁଯାୟୀ ମାଆଙ୍କ ପୂଜା ସାଙ୍ଗକୁ ସପ୍ତଦିନ ବ୍ୟାପୀ ଚାଲିବ ମହାଯଜ୍ଞ । ୧୯ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖରେ ସମ୍ପନ୍ନ ହେବ ପୂର୍ଣାହୁତି । ପ୍ରଥମ ଦିନରେ ମାଆଙ୍କ ଘଟସ୍ଥାପନ ଓ ମାନସିକ କଳସ ଶୋଭାଯାତ୍ରା ନଦୀଘାଟରୁ ବାହାରି ମାଆଙ୍କ ପୀଠରେ ପହଂଚିବାର କାର୍ଯ୍ୟକ୍ରମ ରହିଛି ।

ମାଆଙ୍କ ପୀଠରେ ପ୍ରତିଦିନ ନାମ ସଂକୀର୍ତନ ସହ ଚଣ୍ଡିପାଠ ଆୟୋଜନ ହେବ । ଭକ୍ତମାନଙ୍କୁ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମାଆ ଭଦ୍ରକାଳୀ । ଅନେକ ଶ୍ରଦ୍ଧାଳୁ ଏହି ସମୟରେ ମାଆଙ୍କ ନିକଟରେ ମନୋସ୍କାମନା ପୂରଣ ପାଇଁ ବ୍ରତ ମଧ୍ୟ ରଖିଥାନ୍ତି । ମାଆ ଭଦ୍ରକାଳୀ ପୀଠରେ ପ୍ରବଳ ଭକ୍ତ ସମାଗମ ହେବାକୁ ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ମନ୍ଦିରରେ ଯାତ୍ରୀଙ୍କ ରହିବା ପାଇଁ ବ୍ୟବସ୍ଥା ସହ ସିସିଟିଭି ମଧ୍ୟ ଲଗାଯାଇଛି । କାଳୀ ପୂଜା ପାଖେଇ ଆସୁଥିବାରୁ ଭକ୍ତଙ୍କ ମନରେ ଭରି ରହିଛି ଉତ୍ସାହ ଆଉ ଉଦ୍ଦୀପନା । ଶକ୍ତି ପ୍ରଦାୟିନୀ ମାଆଙ୍କ ଆବାହନ ପାଇଁ ଆଗ୍ରହର ସହ ଚାହିଁ ବସିଛନ୍ତି ଶ୍ରଦ୍ଧାଳୁ ।