କନକ ବ୍ୟୁରୋ : ସ୍ୱାମୀଙ୍କ ଦଶାହ ଦିନ ଆଖିବୁଜିଲେ ପତ୍ନୀ । ଗତ କିଛିଦିନ ତଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ପଦ୍ମପୁର ପଞ୍ଚାୟତରୁ ଆସିଥିଲା ଏକ ସମ୍ବେଦନଶୀଳ ଖବର । ନିର୍ବାଚନରେ ହାରିଯିବାରୁ ପ୍ରତିପକ୍ଷ ଦଳ ପରାଜିତ ପ୍ରାର୍ଥୀନିଙ୍କ ସ୍ୱାମୀଙ୍କୁ ଟାହିଟାପରା କରିଥିଲେ । ଗାଁ ଦାଣ୍ଡରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ଗଳା ଧକ୍କା ବି ମାରିଥିଲେ । ଯାହାକୁ ସହିନପାରି ଘରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ସ୍ୱାମୀ । ସ୍ୱାମୀଙ୍କ ଏପରି ଅବସ୍ଥା ଦେଖି ବିଷ ପିଇ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ସ୍ତ୍ରୀ । ଆଉ ସ୍ୱାମୀଙ୍କ ଦଶାହ ଦିନ ତାଙ୍କର ମୃତ୍ୟୁ ହୋଇଯାଇଛି ।
Advertisment
ଘଟଣାଟି ଥିଲା କିଛି ଏହିପରି, ଗତ ୧୩ ତାରିଖ ସନ୍ଧ୍ୟାରେ ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତରେ ବିଜେଡିର ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ୧୮ନମ୍ବର ଜୋନର ବିଜୟୀ ଜିଲ୍ଲା ପରିଷଦ ପ୍ରାର୍ଥୀ ଜୟକୃଷ୍ଣ ନାୟକଙ୍କ ସମେତ ସରପଞ୍ଚ, ସମିତି ସଭ୍ୟା, ସ୍ଥାନୀୟ ବିଧାୟକ ଏବଂ ଦଳୀୟ ପ୍ରାର୍ଥୀମାନେ ସାମିଲ ଥିଲେ । ପଦ୍ମପୁର ବଜାରରୁ ଶୋଭାଯାତ୍ରା ବାହାରି ବଡଅଗାପୁର ଗାଁ ପର୍ୟ୍ୟନ୍ତ ଯାଇଥିଲା । ନିର୍ବାଚନରେ ହାରିଥିବା ପ୍ରାର୍ଥୀନି ସୁମତି ପରିଡିଙ୍କ ଘର ଏହି ଗାଁରେ । ବିଜେଡିର ଶୋଭାଯାତ୍ରା ଚାଲିଥିବା ବେଳେ ପ୍ରାର୍ଥୀ ସୁମତିଙ୍କ ସ୍ୱାମୀ ରମାକାନ୍ତ ପରିଡା ଘର ବାହାରେ ଛିଡା ହୋଇଥିଲେ । ସେହି ସମୟରେ ରମାକାନ୍ତଙ୍କୁ ଦେଖି ଶୋଭାଯାତ୍ରାରେ ସାମିଲ ହୋଇଥିବା ସମର୍ଥକମାନେ ଛିଗୁଲେଇବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ରମାକାନ୍ତ କାନ୍ଧରେ ପକାଇଥିବା ଗାମୁଛାକୁ ଧରି ଟଣାଓଟରା କରିଥିଲେ । ଏହି ଘଟଣାକୁ ସହ୍ୟ କରିନପାରି ଘରକୁ ଆସି ଫ୍ୟାନରେ ରଶି ଲଗାଇ ଝୁଲିପଡିଥିଲେ ।
ସ୍ୱାମୀଙ୍କ ଏହି ଅବସ୍ଥା ଦେଖି ସହିନପାରି ବିଷ ପିଇଦେଲେ ସୁମତୀ । ଗାଁ ଲୋକଙ୍କ ସହାୟତାରେ ଦୁଇଜଣଙ୍କୁ ଭଦ୍ରକ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେତେବେଳକୁ ରମାକାନ୍ତଙ୍କ ମୃତ୍ୟୁ ହୋଇସାରିଥିଲା । ସୁମତୀଙ୍କ ଅବସ୍ଥା ଗୁରୁତର ହେବାକୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାମୀଙ୍କ ଦଶାହ ଦିନ ତାଙ୍କର ମୃତ୍ୟୁ ହୋଇଯାଇଛି