କର୍କଟ ରୋଗରେ ପୀଡ଼ିତ ନାରାୟଣ ଏବେ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କୁଆଡୁ ଆସିବ ଟଙ୍କା, ପରିବାର ଉପରେ ପଡ଼ିଛି ଚଡ଼କ

230

କନକ ବ୍ୟୁରୋ:  ଦିନଥିଲା ରାଜମିସ୍ତ୍ରୀ ଭାବେ ପରିବାର ସହ ଖୁସିରେ ଦିନ କାଟୁଥିଲେ ଚାନ୍ଦବାଲି ଚାଲୁଣିଆ ଗାଁର ନାରାୟଣ ବିଶ୍ୱାଳ । ହେଲେ ଆଜି ବଦଳିଯାଇଛି ତାଙ୍କର ଜୀବନ । କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ସହ ସେ ସଂଗ୍ରାମ କରୁଛନ୍ତି । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ପରିବାର ଉପରେ ପଡ଼ିଛି ଚଡ଼କ ।

ଏ ହେଉଛନ୍ତି, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅନ୍ତର୍ଗତ ଚାଲୁଣିଆ ଗାଁର ନାରାୟଣ ବିଶ୍ୱାଳ । ମଳଦ୍ୱାର କର୍କଟରେ ପୀଡ଼ିତ ହେବା ପରେ ନାରାୟଣଙ୍କ ଏପରି ଅବସ୍ଥା ହୋଇଛି । ମାଆ ଓ ସ୍ତ୍ରୀ ତାଙ୍କ ସେବାରେ ଲାଗିଛନ୍ତି । ସାଇପଡ଼ିଶାଙ୍କ ସହଯୋଗରେ ମିଳିଥିବା ଅର୍ଥ ସରିଯିବା ପରେ ଏବେ ଜମି ବିକି ଔଷଧ ଖର୍ଚ୍ଚ କରୁଛନ୍ତି । ନାରାୟଣ ଏକମାତ୍ର ରୋଜଗାରିଆ ହୋଇଥିବାରୁ ପରିବାର ମୁହଁରେ ଆହାର ଦେବାକୁ ଆଉ କେହି ନାହାନ୍ତି ।

ନାରାୟଣଙ୍କ ପତ୍ନୀ, ବିଧବା ମାଆ ଓ ଛୋଟ ଛୋଟ ଦୁଇ ପୁଅ-ଝିଅ । ୧୨ ବର୍ଷ ହୋଇଥିବା ବେଳେ ବାପା ଆରପାରିକୁ ଚାଲିଗଲେ । ଏହି ବୟସରୁ ପରିବାରର ବୋଝ ବୋହିଥିଲେ ନାରାୟଣ । ରାଜମିସ୍ତ୍ରୀ ଭାବେ କାମ କରି ପରିବାରକୁ ସୁରୁଖୁରୁରେ ଚଳାଉଥିଲେ । ହେଲେ ହଠାତ୍ ତାଙ୍କ ଉପରେ ଛିଣ୍ଡି ପଡ଼ିଲା ଦୁଃଖର ପାହାଡ଼ । ମଳରେ ନାଳରକ୍ତ ପଡ଼ିବା ପରେ ଅସୁସ୍ଥ ହୋଇପଡ଼ିଲେ ନାରାୟଣ । ଚିକିତ୍ସା ଚାଲିଥିବା ସମୟରେ ଯେତେବେଳେ ସେ ଜାଣିଲେ ତାଙ୍କୁ କର୍କଟ ରୋଗ ହୋଇଛି, ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା ।

ତେବେ ଗୋଟିଏ ପଟେ ଚିକିତ୍ସା ପାଇଁ ଟଙ୍କା ଲୋଡ଼ା, ଅନ୍ୟପଟେ ପରିବାରର ପ୍ରତିପୋଷଣ । ସରକାରୀ ଓ ବେସରକାରୀ ସହାୟତା ନମିଳିଲେ ସଂପୂର୍ଣ୍ଣ ରୂପେ ବେସାହାରା ହୋଇପଡ଼ିବେ ନାରାୟଣଙ୍କ ପରିବାର ।

Comments are closed.