ବନ୍ତ ତହସିଲଦାର ହେଲେ ହଟ୍ଟହଟ୍ଟା । ରାତିରେ ଚାଲିଥିଲା କର୍ଫ୍ୟୁ, ହେଲେ ଦୋକାନରେ ଶାଢୀ କିଣୁଥିଲେ ଅଧିକାରୀ । ସ୍ଥାନୀୟ ଲୋକଙ୍କ ବିରୋଧ ପରେ ଭିଡିଓ ଭାଇରାଲ୍ ।

472

କନକ ବ୍ୟୁରୋ: କର୍ଫ୍ୟୁ ବେଳେ ଦୋକାନ ଖୋଲାଇ ଶାଢୀ କିଣି ହଟହଟା ହେଲେ ଭଦ୍ରକ ଜିଲ୍ଲା ବନ୍ତ ତହସିଲର ତହସିଲଦାର । ସଂଧ୍ୟା ୭ଟା ପରେ କର୍ଫ୍ୟୁ ଜାରି ହୋଇଥିବା ବେଳେ ଅଗରପଡା ବଜାରରେ ଶାଢୀ କିଣୁଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତହସିଲଦାରଙ୍କୁ ପଚାରିବାରୁ ସେ ଯୁକ୍ତିତର୍କ କରିଥିଲେ । ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସବୁଠାରୁ ବଡ଼କଥା ହେଲା କି, କରୋନା ପାଇଁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ କଟକଣା ରହୁଛି । ହେଲେ ସାବିତ୍ରୀ ବ୍ରତ ପୂର୍ବ ଦିନ ରାତିରେ ଅଗରପଡା ବଜାରର ଏକ ଲୁଗା ଦୋକାନ ଖୋଲାଇ ସେ ଶାଢିି କିଣୁଥିଲେ । ଯାହାକୁ ବିରୋଧ କରିଥିଲେ କିଛି ସ୍ଥାନୀୟ ଯୁବକ । ଆଉ ଏହାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଯେତେବେଳେ ତହସିଲଦାରଙ୍କୁ ଲୋକେ ବିରୋଧ କରିଥିଲେ ଭଦ୍ରକ ଜିଲ୍ଲା ବନ୍ତ ତହସିଲଦାର ଇନ୍ଦିରା ସାହୁଙ୍କ ଯୁକ୍ତି ଅଜବ ତରିକାର ଥିଲା ।

ସାଧାରଣ ଜନତାଙ୍କ ପାଇଁ କଟକଣା ଗୋଟିଏ, ତହସିଲଦାରଙ୍କ ପାଇଁ କିପରି ଅଲଗା ବୋଲି ପ୍ରଶ୍ନ କରିଥିଲେ ଲୋକେ । ଆଉ ତହସିଲଦାର କିଛି କିଣୁ ନଥିବା ସଫେଇ ଦେଉଥିଲେ । ଜଣେ ସରକାର ଅଧିକାରୀ ହୋଇ କାହିଁକି ନିୟମ ଉଲ୍ଲଂଘନ କରୁଛ ବୋଲି ପ୍ରଶ୍ନ କରି ଦୋକାନର ସଟର ପକାଇ ଦେଇଥିଲେ ସ୍ଥାନୀୟ ଲୋକ । ଏହାକୁ ନେଇ ହୋଇଥିବା ଯୁକ୍ତିତର୍କର ପୁରା ଚିତ୍ର କଏଦ ହୋଇଥିଲା ମୋବାଇଲରେ । ଖବର ପାଇ ଅଗରପଡା ପୁଲିସ ଘଟଣାସ୍ଥଳରେ ପହଂଚି ଅଟକ ତହସିଲଦାରଙ୍କୁ ଉଦ୍ଧାର କରିଥିଲା । ସ୍ଥାନୀୟ ଲୋକଙ୍କ ସହ ତହସିଲଦାରଙ୍କ ଯୁକ୍ତିତର୍କର ଭିଡିଓ ଭାଇରାଲ ହେବା ପରେ ଭଦ୍ରକ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।