କନକ ବ୍ୟୁରୋ : ନୀଳଗିରି ରୋଡରେ ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା । କାର୍ଯ୍ୟରେ ଅବହେଳା ପାଇଁ ୨ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଷ୍ଟେସନ ମାଷ୍ଟର, ପଏଣ୍ଟମ୍ୟାନଙ୍କୁ ନିଲମ୍ବନ କରାଯାଇଛି । ଖଡଗପୁର ରେଳ ଡିଭିଜନ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଖଡଗପୁର ଡିଭିଜନର ସିନିୟର ଡିସିଏମ ଏ ନେଇ ସୂଚନା ଦେଇଛନ୍ତି ।

Advertisment

ପ୍ରତିଦିନ ପରି ଗତକାଲି ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ୍‌ ୧୦ଟା ପରେ ଭଦ୍ରକ ଷ୍ଟେସନ୍‌ରୁ ଡାଉନ୍‌ ଲାଇନ୍‌ରେ ବାଲେଶ୍ବର ଅଭିମୁଖେ ବାହାରିଥିଲା। ତେବେ ସୋର ଷ୍ଟେସନ୍‌ ପାର୍‌ ହେବା ବେଳେ ଏହା ପ୍ରାୟ ୪୦ ମିନିଟ୍‌ ବିଳମ୍ବରେ ଚାଲିଥିଲା। ଟ୍ରେନ୍‌ଟି ୧୦ଟା ୫୩ ମିନିଟ୍‌ ବେଳକୁ ବରୁଣସିଂ ନୀଳଗିରି ରୋଡ୍‌ ଷ୍ଟେସନ୍ ନିକଟରେ ପହଞ୍ଚିବାର ଥିଲା। ହେଲେ ୧୨ଟା ୦୨ ମିନିଟ୍‌ରେ ପହଞ୍ଚିଥିଲା ଏବଂ ଦୁଇ ମିନିଟ୍‌ ରହଣି ପରେ ଟ୍ରେନ୍‌ ଷ୍ଟେସନ୍‌ ଛାଡ଼ିଥିଲା। ​ଟ୍ରେନ୍‌ଟିର ଗତି ବଢ଼ୁଥିବା ବେଳେ ଏହା ମେନ୍‌ ଲାଇନ୍‌ରେ ନଯାଇ ଷ୍ଟେସନ୍‌ ନିକଟ ଲୁପ୍‌ ଲାଇନ୍‌କୁ ଚାଲିଯାଇଥିଲା। ଯାହାର ଆଗକୁ ମେନ୍‌ ଲାଇନ୍‌ ସହ କୌଣସି ସଂଯୋଗ ନଥିଲା। ଏହି ସମୟରେ ଟ୍ରେନ୍‌ର ଦୁଇ ଲୋକୋ ପାଇଲଟ୍‌ଙ୍କ ସଂଦେହ ହୋଇଥିଲା ।

ସେମାନେ ଟ୍ରେନ୍‌ଟି ଲୁପ୍‌ ଲାଇନ୍‌ରେ ଯାଉଥିବା ଏବଂ ନିଶ୍ଚିତ ଦୁର୍ଘଟଣା ହେବା ଜାଣି ଏମର୍‌ଜେନ୍‌ସି ବ୍ରେକ୍‌ ଲଗାଇଥିଲେ। ଫଳରେ ଟ୍ରେନ୍‌ଟି ଜୋର୍‌ ଶବ୍ଦ କରି ଅଟକିଥିଲା। ଯାତ୍ରୀମାନେ ପରସ୍ପର ଧକ୍କା ହୋଇଥିଲେ। ହଠାତ୍‌ କଣ ହେଲା, କେହି କିଛି ବୁଝିପାରି ପାରି ନଥିଲେ। ଭୟରେ ସମସ୍ତ ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ। ଷ୍ଟେସନ୍‌ ମାଷ୍ଟର ଶରତ ଚନ୍ଦ୍ର ସେଠୀ ଓ କର୍ମଚାରୀଙ୍କ ସହ ପାଇଲଟ୍‌ ସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି ପ୍ରାୟ ଅଧଘଣ୍ଟା ମଧ୍ୟରେ ବାଲେଶ୍ବରରୁ ୪ ଜଣିଆ ଟେକ୍‌ନିକାଲ୍‌ ଟିମ୍‌ ମଧ୍ୟ ପହଞ୍ଚିଥିଲା ଏବଂ ଘଟଣାର ତଦାରଖ କରିଥିଲା। ପରେ ପାଇଲଟ୍‌ ଟ୍ରେନ୍‌ ପଛକୁ ନେଇ ମେନ୍‌ ଲାଇନ୍‌କୁ ଆଣିଥିଲେ।