ଟୋକିଓ ପାରାଅଲିମ୍ପିକ୍ସ : ସ୍ୱର୍ଣ୍ଣପଦକ ପାଇଁ ଲଢ଼ିବେ ଟେବୁଲ ଟେନିସ ତାରକା ଭାବିନା ପଟେଲ

ଚୀନ୍ ଖେଳାଳିଙ୍କ ସହ ହେବ ଲଢ଼େଇ; ଫାଇନାଲରେ ପହଂଚି ଇତିହାସ ରଚିଛନ୍ତି ଭାବିନା

40

କନକ ବ୍ୟୁରୋ : ଟୋକିଓ ପାରା ଅଲିମ୍ପିକ୍ସରେ ଆଜି ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ ଟେବୁଲ ଟେନିସ୍ ଖେଳାଳୀ ଭାବିନା ପଟେଲ । ଫାଇନାଲ ମ୍ୟାଚରେ ଭାବିନା, ଚୀନର ଜୋହୁ ୟିଙ୍ଗଙ୍କୁ ଭେଟିବେ । ଜାପାନର ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସର ଟେବୁଲ ଟେନିସ ପ୍ରତିଯୋଗୀତାରେ ବିଶ୍ୱର ୩ ନମ୍ବର ଖେଳାଳୀ ମିଓଙ୍କୁ ୩-୨ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ଭାବିନା । ସେମି ଫାଇନାଲର ପ୍ରଥମ ସେଟରେ ହାରିବା ପରେ ଜବରଦସ୍ତ ଖେଳ ପ୍ରଦର୍ଶନ କରି ମ୍ୟାଚକୁ ହାତେଇ ନେଇଥିଲେ ଭାବିନା । ପ୍ରଥମ ଭାରତୀୟ ଭାବେ ଭାବିନା ପାରା ଅଲିମ୍ପିକ୍ସର ଟେବୁଲ ଟେନିସରେ ଫାଇନାଲରେ ପ୍ରବେଶ କରିଛନ୍ତି ।

ତେବେ ଫାଇନାଲ୍‌ରେ ଭାବିନାଙ୍କୁ ପ୍ରତିଦ୍ବନ୍ଦ୍ବୀ ୟିଙ୍ଗ୍‌ଙ୍କଠୁ କଡ଼ା ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। କାରଣ ଚଳିତ ପାରାଲିମ୍ପିକ୍ସର ପ୍ରଥମ ମ୍ୟାଚ୍‌ରେ ହିଁ ୟିଙ୍ଗ୍‌ଙ୍କ ନିକଟରୁ ହାରିଯାଇଥିଲେ ଭାବିନା। ତେଣୁ ଫାଇନାଲ୍‌ରେ ଚାପରେ ରହିପାରନ୍ତି। ତଥାପି ଯେଭଳି ପ୍ରଦର୍ଶନ ବଳରେ ପ୍ରତ୍ୟାବର୍ତନ କରିଛନ୍ତି ସେଥିରୁ ଫାଇନାଲ୍‌ରେ ୟିଙ୍ଗ୍‌ଙ୍କୁ ପରାସ୍ତ କରି ମଧୁର ପ୍ରତିଶୋଧ ନେବାର ସୁଯୋଗ ତାଙ୍କ ପାଖରେ ରହିଛି। ମୁଁ ଯେତେବେଳେ ଟୋକିଓକୁ ଆସିଥିଲି ସେତେବେଳେ କେବଳ ମୋର ୧୦୦ ପ୍ରତିଶତ ପ୍ରୟାସ ଦେବାକୁ ଚିନ୍ତା କରିଥିଲି। ମୁଁ ଆଦୌ ପଦକ ଦାବିଦାର ନଥିଲି। ତଥାପି ୧୦୦ ପ୍ରତିଶତ ଦେଇପାରିଲେ ପଦକ ନିଶ୍ଚିତ ଆସିପାରିବ ବୋଲି ଜାଣିଥିଲି। ଏହା ସାକାର ହୋଇପାରିଛି ବୋଲି ୧୨ ବର୍ଷ ବୟସରୁ ପୋଲିଓରେ ଆକ୍ରାନ୍ତ ହୋଇଥିବା ଭାବିନା କହିଛନ୍ତି। ଟୋକିଓ ପାରାଲିମ୍ପିକ୍ସ ମୋ ପାଇଁ ସ୍ମରଣୀୟ ରହିବ ବୋଲି ଭାବିନା କହିଛନ୍ତି।

ବିଶ୍ବର ଦ୍ବାଦଶ ମାନ୍ୟତାପ୍ରାପ୍ତ ଏହି ୩୪ ବର୍ଷ ବୟସ୍କା ଭାରତୀୟ ଟୋକିଓରେ ଆରମ୍ଭରୁ ଝଟ୍‌କା ପାଇଥିଲେ। ବୁଧବାର ସେ ପ୍ରଥମ ମ୍ୟାଚ୍‌କୁ ଚୀନ୍‌ର ୟିଙ୍ଗ୍‌ ଝୁ’ଙ୍କ ନିକଟରୁ ସିଧାସଳଖ ୩-୦ (୩-୧୧, ୯-୧୧ ଓ ୨-୧୧)ରେ ହାରିଯାଇଥିଲେ। ସେତେବେଳେ ତାଙ୍କ ଉପରୁ ସମସ୍ତଙ୍କ ଆଶା ମଉଳି ଯାଇଥିଲା । ଭାବିନା ଯେ ବିଦାୟ ନେଇଯିବେ ଏହା ଅଧିକାଂଶ ଭାବି ନେଇଥିଲେ। ହେଲେ ଦ୍ବିତୀୟ ମ୍ୟାଚ୍‌ରୁ ହିଁ ବିଜୟ ଧାରାକୁ ଫେରି ସେ କ୍ରମାଗତ ସଫଳତା ହାତେଇ ଫାଇନାଲ୍‌ ସ୍ଥାନ ପକ୍କା କରିନେଇଛନ୍ତି । ଶୁକ୍ରବାର ମହିଳା ଏକକ କ୍ଲାସ୍‌୪ର ପ୍ରିକ୍ବାର୍ଟର ଫାଇନାଲ୍‌ରେ ୩-୦ (୧୨-୧୦, ୧୩-୧୧, ୧୧-୬) ସେଟ୍‌ରେ ବ୍ରାଜିଲର ଜୋୟସି ଡି’ଓଲିଭେଇରାଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଏହାପରେ ପ୍ରିକ୍ବାର୍ଟର ଫାଇନାଲ୍‌ରେ ରିଓ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟିନୀ ତଥା ବିଶ୍ବ ମାନ୍ୟତାର ଦ୍ବିତୀୟ ସର୍ବିଆର ବୋରିସଲାଭା ରାଙ୍କୋଭିକ ପେରିକଙ୍କୁ ସିଧାସଳଖ ୩-୦ (୧୧-୫, ୧୧-୬, ୧୧-୭) ସେଟ୍‌ରେ ପରାସ୍ତ କରି ସେମି ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେବା ସହିତ ପଦକ ନିଶ୍ଚିତ କରିଥିଲେ। ହେଲେ ଏତିକିରେ ସେ ବୋଧେ ସନ୍ତୁଷ୍ଟ ନଥିଲେ ।

ଶନିବାର ସେମିଫାଇନାଲ୍‌ରେ ଭାବିନା ବିଶ୍ବ ମାନ୍ୟତାର ୩ ନମ୍ବର ଖେଳାଳି ଚୀନ୍‌ର ମିଆଓ ଝାଙ୍ଗଙ୍କୁ ୩୪ ମିନିଟ୍‌ର ସଂଘର୍ଷ ତଥା ଉତ୍କଣ୍ଠାପୂ୍ର୍ଣ ମୁକାବିଲାରେ ୩-୨ (୭-୧୧, ୧୧-୭, ୧୧-୪, ୯-୧୧ ଓ ୧୧-୮) ସେଟ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଲଢ଼େଇରେ ଅବତୀର୍ଣ୍ଣ ହୋଇଯାଇଛନ୍ତି। ହ୍ବିଲ୍‌ଚେୟାରରେ ଖେଳୁଥିବା ଭାବିନା ପ୍ରଥମ ଗେମ୍‌କୁ ହାରିଯିବା ପରେ ଚମତ୍କାର ପ୍ରତ୍ୟାବର୍ତନ କରି ପରବର୍ତୀ ଦୁଇଟି ଗେମ୍‌ ଜିତି ୨-୧ର ଅଗ୍ରଣୀ ନେଇଥିଲେ। ଏପରିକି ତୃତୀୟ ଗେମ୍‌କୁ ଭାବିନା ମାତ୍ର ୪ ମିନିଟ୍‌ରେ ଶେଷ କରିଦେଇଥିଲେ। ଚତୁର୍ଥ ଗେମ୍‌କୁ ଅତି କଷ୍ଟରେ ପ୍ରତିପକ୍ଷ ଜିତି ସ୍ଥିତି ୨-୨ କରିବା ପରେ କିନ୍ତୁ ଭାବିନା ଆଉ ସୁଯୋଗ ଦେଇନଥିଲେ। ସେ ପଞ୍ଚମ ତଥା ନିର୍ଣ୍ଣାୟକ ଗେମ୍‌କୁ ଜିତି ମ୍ୟାଚ୍‌ ନିଜ ପକ୍ଷରେ ଶେଷ କରିଥିଲେ। ଏବର ବିଶ୍ବ ମାନ୍ୟତାର ତୃତୀୟ ତଥା ପୂର୍ବତନ ଶୀର୍ଷ ମାନ୍ୟତା ଝାଙ୍ଗ୍‌ଙ୍କ ବିପକ୍ଷରେ ଭାବିନାଙ୍କର ଏହା ଥିଲା ପ୍ରଥମ ବିଜୟ। ଏହା ପୂର୍ବରୁ ଉଭୟ ଭାବିନା ଓ ଝାଙ୍ଗ୍‌ ୧୧ ଥର ମୁହାଁମୁହିଁ ହୋଇଥିଲେ ମଧ୍ୟ ସବୁଥର ଝାଙ୍ଗ୍‌ଙ୍କ ଜିତାପଟ ହୋଇଥିଲା।