ଗାଦି ବଞ୍ଚାଇବା ପାଇଁ ଦିଦିଙ୍କ ଅଗ୍ନିପରୀକ୍ଷା । ଇଭିଏମରେ ସିଲ୍ ହେଲା ମମତା ବାନାର୍ଜୀଙ୍କ ଭାଗ୍ୟ ।

185

କନକ ବ୍ୟୁରୋ : ପଶ୍ଚିମବଙ୍ଗର ତିନି ବିଧାନସଭା ଆସନ ପାଇଁ ଶେଷ ହୋଇଛି ମତଦାନ । ଭବାନୀପୁର, ସମସେରଗଞ୍ଜ ଓ ଜଙ୍ଗିପୁରରେ ନିଜ ନିଜ ପ୍ରିୟ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି ଜନତା । ତିନି ଆସନ ମଧ୍ୟରୁ ଭବାନୀପୁର ବିଧାନସଭା ଆସନ ଉପରେ ସମସ୍ତଙ୍କର ନଜର ରହିଛି । ଏହି ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମସିରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦୀ ପାଲଟିଛନ୍ତି ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରିୱେଲ । ମମତା ପ୍ରାର୍ଥୀ ହୋଇଥିବାରୁ କଂଗ୍ରେସ ଏହି ଆସନ ପାଇଁ ପ୍ରାର୍ଥୀ ଦେଇନି ।

ପଶ୍ଚିମବଙ୍ଗରେ ଉପ-ନିର୍ବାଚନ । ଭବାନୀପୁର ଆସନ ଉପରେ ନଜର । ପଶ୍ଚିମବଙ୍ଗ ଉପ-ନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ । ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ମତଦାନ । । ଶାନ୍ତିପୂର୍ବ ଭାବେ ମତଦାନ ପାଇଁ ଭବାନୀପୁରରେ ୨ହଜାରୁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ଭବାନୀପୁର ବିଧାନସଭା ଆସନରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥର ହାର-ଜିତ ସହ ଜଡିତ ଅଛି ତାଙ୍କ ମୁଖ୍ୟମନ୍ତ୍ରୀ ପଦ । ତେଣୁ ମମତାଙ୍କ ବିଜୟ ପାଇଁ ଲାଗିପଡିଛି ଟିଏମସି । ମତଦାନ କେନ୍ଦ୍ରରେ ପହଞ୍ଚି ଦିଦିଙ୍କ ପାଇଁ କରିଛନ୍ତି ମତଦାନ । ପୁତୁରା ଅଭିଷେକ ବାନାର୍ଜୀଙ୍କ ଠାରୁ ଆରମ୍ଭ କରି ଟିଏମସି ନେତା ସୋଭନଦେବ ଚାଟାର୍ଜୀ ନିଜର ଭୋଟ ଦେଇଛନ୍ତି । ନିଜେ ମମତା ବାନାର୍ଜୀ ମଧ୍ୟ ମତଦାନ ଦେଇଛନ୍ତି ।

ସେପଟେ ମମତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେପିର ପ୍ରିୟଙ୍କା ଟିବ୍ରେୱାଲ ମଧ୍ୟ ନିଜ ଭୋଟ ଦେଇଛନ୍ତି । ଏହି ଅବସରରେ ପ୍ରିୟଙ୍କା ଟିଏମସି ବିରୋଧରେ ଆଣିଛନ୍ତି ବଡ ଅଭିଯୋଗ । ଟିଏମସି ୫ଶହ ଟଙ୍କା ଦେଇ ଲୋକଙ୍କୁ ଭୋଟ୍ ଦେବାକୁ ପ୍ରଲୋଭିତ କରୁଥିବା ଅଭିଯୋଗ କରିଛନ୍ତି ପ୍ରିୟଙ୍କା । ଅନ୍ୟପଟେ ଶାସକ ଦଳ ଟିଏମିସ ନେତା ସୁବ୍ରତ ମୁଖାର୍ଜୀ ଏବଂ ଫିରଦ ହକିମ ସୋସିଆଲ ମିଡିଆ ଜରିଆରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ମୋଟ୍ ତିନି ଲକ୍ଷ ଭୋଟର ରହିଛନ୍ତି ଭବାନୀପୁର ବିଧାନସଭା ଆସନରେ । ବିଧାନସଭା ନିର୍ବାଚନ ବେଳେ ମମତାଙ୍କ ଏହି ଆସନରୁ ସୋଭାନଦେବ ଚାଟାର୍ଜୀ ଟିଏମସି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । କିନ୍ତୁ ମମତା ନନ୍ଦିଗ୍ରାମ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ପାଖରୁ ହାରିଯାଇଥିଲେ । ନିର୍ବାଚନରେ ହାରିଯିବା ପରେ ଭବାନୀପୁର ବିଧାନସଭା ଆସନରୁ ବିଧାୟକ ସୋଭାନଦେବ ଚାଟାର୍ଜୀ ଓହରିଯାଇଥିଲେ । ଏବେ ଅପେକ୍ଷା ଫଳାଫଳକୁ ।