ମମତାଙ୍କଠାରୁ ପରାଜୟ ପରେ ପ୍ରତିକ୍ରିୟା ରଖିଲେ ବିଜେପି ପ୍ରାର୍ଥୀ: କହିଲେ, ମୁଁ ମ୍ୟାନ ଅଫ ଦି ମ୍ୟାଚ ହୋଇଛି

352

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଭବାନୀପୁର ସିଟରେ ହୋଇଥିବା ଉପନିର୍ବାଚନରେ ବଡ ବିଜୟ ହାସଲ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟେବରିବାଲଙ୍କଠାରୁ ୫୮ ହଜାର ଭୋଟରେ ବିଜୟ ହାସଲ କରିଛନ୍ତି । ହେଲେ ପରାଜୟ ପରେ ବି ଜୋସ ହରାଇ ନାହାନ୍ତି ବିଜେପି ପ୍ରାର୍ଥୀ ।

ପରାଜୟ ପରେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟେବରିବାଲ କହିଛନ୍ତି, ବଙ୍ଗ ଖେଳର ମ୍ୟାନ ଅଫ ଦି ମ୍ୟାଚ ହେଉଛି ମୁଁ । ମୋ ପାଇଁ ଏବେ ଲମ୍ବା ରାସ୍ତା ପଡିଛି । ଲଢେଇ ଜାରି ରହିବ । ଗୋଟିଏ ମ୍ୟାଚରେ ଗୋଟେ ଟିମ ହାରିଥାଏ ଓ ଆଉ ଗୋଟିଏ ଜିତି ଥାଏ । ସେହିଭଳି ଏହା ଗୋଟିଏ ମ୍ୟାଚ ଥିଲା । ଏହା ନୁହେଁ କି କେବଳ ଜିତିଥିବା ଟିମର ଖେଳାଳି ମ୍ୟାନ ଅଫ ଦି ମ୍ୟାଚ ହେବ । ସେମିତି ଆଜିର ଏହି ନିର୍ବାଚନୀ ଖେଳରେ ମୁଁ ମ୍ୟାନ ଅଫ ଦି ମ୍ୟାଚ ।

ଏପଟେ ମମତାଙ୍କ ବିଜୟ ପରେ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ସରକାରଙ୍କୁ ଯେପରି କୌଣସି ହିଂସା ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ । ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହୋଇଥିଲେ ମମତା ବାନାର୍ଜୀ । ତେଣୁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ୬ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବା ମମତାଙ୍କୁ ପାଇଁ ଜରୁରୀ ଥିଲା । ମମତାଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦେବାକୁ ତୃଣମୂଳ କଂଗ୍ରେସ ବିଧାୟକଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଏହାପରେ ଭାବନୀପୁରରେ ଉପନିର୍ବାଚନ ହୋଇଛି ଓ ମମତା ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ।

ଭବାନୀପୁରର ୪୧ ବର୍ଷିୟ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟେକରିବାଲ ପେଶାରେ ଜଣେ ଓକିଲ । ପ୍ରିୟଙ୍କା ସୁପ୍ରିମ କୋର୍ଟ ଓ କୋଲକାତା ହାଇକୋର୍ଟରେ ଓକିଲାତି କରନ୍ତି । ସେହିପରି ବିଜେପିର ସେ ଯୁବା ମୋର୍ଚ୍ଚାର ଉପାଧ୍ୟକ୍ଷ ଅଛନ୍ତି । ସେ ୨୦୧୪ରେ ବିଜେପିରେ ସାମିଲ ହୋଇଥିଲେ ।