ତୁଟିଲା ଦମ୍ଭ, ତାଲିବାନ ଭୟରେ କମାଣ୍ଡରଙ୍କ ସହ ତାଜିକିସ୍ତାନ ପଳାଇଲେ ଆଫଗାନର ପୂର୍ବତନ ରାଷ୍ଟ୍ରପତି

415

କନକ ବ୍ୟୁରୋ :  ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନୀ ମାନଙ୍କୁ ଭୟ କରିଯାଇଛନ୍ତି ଆଫଗାନ ନାଗରିକ । ଏହାରି ମଧ୍ୟରେ ତାଲିବାନୀଙ୍କ ଦଖଲ ବାହାରେ ଥିବା ପଞ୍ଜଶୀର ବି ଏବେ ତାଲିବାନୀମାନେ ଦଖଲ କରିବା ସହଜ ହୋଇଛି । କିଛିଦିନ ତଳେ ତାଲିବାନକୁ କଡା ଟକ୍କର ଦେଉଥିବା ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅମରୁଲ୍ଲା ସାଲେ ତାଲିବାନୀ ଆତଙ୍କବାଦୀଙ୍କ ଭୟରେ ଜଣେ କମାଣ୍ଡରଙ୍କ ସହ ତାଜିକିସ୍ତାନ ପଳାଇ ଯାଇଥିବା ସୂଚାନ ମିଳିଛି ।

ପୁରା ଆଫଗାନିସ୍ତାନରେ ତାଲିବାନ ବିରୋଧରେ ବିଦ୍ରୋହର ନେତୃତ୍ବ ନେଉଥିବା ପୂର୍ବତନ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେ ଓ ବିଦ୍ରୋହୀ ସେନାର କମାଣ୍ଡର ଅହମ୍ମଦ ମାସୁଦ ଆଫଗାନିସ୍ତାନ ଛାଡ଼ି ପଡ଼ୋଶୀ ଦେଶ ତାଜିକିସ୍ତାନ ଚାଲିଯାଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ଏହା ପରେ ଏପର୍ୟ୍ୟନ୍ତ ସ୍ବାଧୀନ ଥିବା ପଞ୍ଜଶୀର ଘାଟି ତାଲିବାନ ନିୟନ୍ତ୍ରଣକୁ ଚାଲିଯିବାର ସମ୍ଭାବନା ରହିଛି ।

ରିପୋର୍ଟ ଅନୁସାରେ ସାଲେ, ମାସୁଦ ଓ ଆଉ କିଛି ବିଦ୍ରୋହୀ କମାଣ୍ଡର ଗତ କାଲି ଦୁଇଟି ବିମାନରେ ତାଜିକିସ୍ତାନ ପଳାଇଯାଇଛନ୍ତି । ଆଜି ସାଲେହ ଟ୍ବିଟ କରି ଲେଖିଛନ୍ତି ଯେ ତାଲିବାନ ପକ୍ଷରୁ ପଞ୍ଜଶୀରରେ ଯୁଦ୍ଧ ଅପରାଧ କରାଯାଉଛି । ସେମାନେ ମାନବ ଅଧିକାର ଉଲ୍ଲଙ୍ଘନ କରି ଘାଟିକୁ ଖାଦ୍ୟ ଓ ଜରୁରୀ ସାମଗ୍ରୀ ଯୋଗାଣକୁ ବନ୍ଦ କରିଦେଇଛନ୍ତି । ଏପରିକି ମେଡିକାଲ ସାମଗ୍ରୀ ଯୋଗାଣ, ଫୋନ, ବିଦ୍ୟୁତ ସରବରାହକୁ ବି ବନ୍ଦ କରିଦେଇଛନ୍ତି । ତାଲିବାନୀଙ୍କ ଏହି ଆତଙ୍କବାଦୀ ବ୍ୟବହାର ଉପରେ ଜାତିସଂଘ ନଜର ରଖିବା ଆବଶ୍ୟକ ବୋଲି ସାଲେହ କହିଛନ୍ତି ।

ଦୁଇଦିନ ତଳେ ତାଲିବାନର ବରିଷ୍ଠ ନେତା ମୁଲ୍ଲା ଅମୀର ଖାଁ ମୋଟାକି ପଞ୍ଜଶୀର ନେତାମାନଙ୍କ ସହ ତାଲିବାନର ଆଲୋଚନା ବିଫଳ ହୋଇଥିବା କହିଥିଲେ । ଏହା ପରେ ତାଲିବାନ ପକ୍ଷରୁ ନିଜର ଆଭିମୁଖ୍ୟକୁ ଆକ୍ରାମକ କରାଯାଇଛି ।