କନକ ବ୍ୟୁରୋ : ଷଷ୍ଠ ଦିନରେ ଋଷ ଏବଂ ୟୁକ୍ରେନ ଯୁଦ୍ଧ । ସୋମବାର ଋଷ ୟୁକ୍ରେନର ରାଜଧାନୀ କିଭରେ ବିଭିନ୍ନ ସ୍ଥାନରେ ବଡ ବଡ ବୋମା ବିସ୍ଫୋରଣ କରିଛି । ବିସ୍ଫୋରଣ ଦେଖି ଅନେକ ଲୋକ ପ୍ରାଣ ଭୟରେ ବଙ୍କର ଭିତରକୁ ପଳାଇଯାଉଥିବା ଦେଖିବାକୁ ମିଳିଛି । କିଭର ବ୍ରୋବେରୀ ସୋଲେମୈକାରେ ଏହି ବିସ୍ଫୋରଣ ହୋଇଛି । ଦିନ ରାତି ମିସାଇଲ ଏବଂ ବିସ୍ଫୋରଣ ଶବ୍ଦ ଶୁଣାଯାଉଛି । ସହର ଭିତରେ ବାରମ୍ବାର ସାଇରନ ବାଜୁଛି । ଏପରି କରି ଲୋକଙ୍କୁ ଘର ଭିତରେ ରହିବାକୁ ୟୁକ୍ରେନ ସରକାର କହିଛନ୍ତି ।

Advertisment

ୟୁକ୍ରେନର ବିଭିନ୍ନ ସହର ସହିତ ରାଜଧାନୀ କିଭକୁ ଦଖଲ କରିବାକୁ ଋଷ ଉଦ୍ୟମ କରୁଛି । ଋଷର ଏପରି ଆକ୍ରମଣକୁ ବିଭିନ୍ନ ଦେଶ ନିନ୍ଦା କରୁଛନ୍ତି । ଜାତିସଂଘ ମଧ୍ୟ ଏହାକୁ କଡା ଭାଷାରେ ନିନ୍ଦା କରୁଛି । ୟୁକ୍ରେନର ଦ୍ୱିତୀୟ ସର୍ବବୃହତ ସହର ଖାରକିଭରେ ମଧ୍ୟ ଋଷ ସେନା ରକେଟ ମାଡ ସାଙ୍ଗକୁ ଗୋଳା ବାରୁଦ ବିସ୍ଫୋରଣ କରୁଛନ୍ତି । ତେବେ ପ୍ରାଣ ଭୟରେ ୟୁକ୍ରେନର ନାଗରିକ ମାନେ ମଧ୍ୟ ଅସ୍ତ୍ର ଉଠାଉଛନ୍ତି । ରୁଷର ଆକ୍ରମଣ ଦେଖି ନାଟୋର ସାମିଲ ଥିବା ବିଭିନ୍ନ ଦେଶ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ପଠାଇବେ ବୋଲି କହିଛନ୍ତି ।

ସେହିପରି ଜାତିସଂଘର ଶରଣାର୍ଥୀ ମାମଲାର ଉଚ୍ଚାୟୋଗର ପ୍ରମୁଖ ଅଧିକାରୀ ଫିଲିପୋ କହିଛନ୍ତି ଏଯାବତ ୨ ଲକ୍ଷ ୮୧ ହଜାର ୟୁକ୍ରେନ ନାଗରିକ ପୋଲାଣ୍ଡରେ, ୮୪ ହଜାର ୫୦୦ରୁ ଅଧିକ ନାଗରିକ ହଙ୍ଗେରୀରେ, ମାଲଦ୍ୱୀପରେ ୩୬ ହଜାର ୪୦୦, ରୋମାନିଆରେ ୩୨ ହଜାର ୫୦୦ରୁ ଅଧିକ, ସ୍ଲୋଭାକିଆରେ ୩୦ ହଜାରରୁ ଅଧିକ ଲୋକ ପ୍ରବେଶ କରିସାରିଲେଣି ।