ଲକଡାଉନ୍ ବେଳେ ବଢିଛି ଡିଜିଟାଲ୍ ଠକେଇ । ରାଜଧାନୀରୁ ଉପାନ୍ତ ଚାରିଆଡେ ମାତିଛନ୍ତି ସାଇବର ଠକ । କେବିସି ନାଁରେ ଆଦିବାସୀ ଯୁବକଙ୍କୁ ଠକିନେଲେ ୪୧ହଜାର ଟଙ୍କା ।

454

କନକ ବ୍ୟୁରୋ : କରୋନା କାଳରେ ବଢ଼ି ଚାଲିଛି ଅନଲାଇନ୍ ଠକେଇ । ଲକଡାଉନ୍ ଆଦି କରୋନା କଟକଣା ଯୋଗୁଁ ଅନଲାଇନ୍ କାରବାର ବଢ଼ି ଚାଲିଛି । ଆଉ ଏହାର ଫାଇଦା ଦେବାକୁ ସକ୍ରିୟ ହୋଇ ଉଠିଛନ୍ତି ସାଇବର ଠକ୍ । କେବଳ ବଡ଼ ବଡ଼ ସହର ନୁହେଁ ଉପାନ୍ତ ଓଡ଼ିଶାରେ ମଧ୍ୟ ଭିନ୍ନ ଭିନ୍ନ ଉପାୟ କରି ସାଧାରଣ ଲୋକଙ୍କ ଠାରୁ ଠକି ନେଉଛନ୍ତି ହଜାର ହଜାର ଟଙ୍କା । ଗତବର୍ଷ ଜାନୁଆରୀରୁ ଜୁଲାଇ ମଧ୍ୟରେ ରାଜ୍ୟରେ ଯେତିକି ସାଇବର ମାମଲା ହୋଇଥିଲା, ଚଳିତବର୍ଷ ଏହି ସମୟ ମଧ୍ୟରେ ୧୭ ପ୍ରତିଶତରୁ ଅଧିକ ସାଇବର ମାମଲା ଦାୟର ହୋଇଥିବା ଜଣାପଡିଛି ।

ବଢୁଛି ଅନଲାଇନ୍ କାରବାର । ଠକାମୀର ଜାଲ ବିଛାଇଛନ୍ତି ସାଇବର ଠକ । ଏ ଘଟଣା ହେଉଛି ମାଲକାନଗିରି ଖଇରପୁଟ ଅଂଚଳର ଆଦିବାସୀ ଯୁବକ ସାହେବ ପାଙ୍ଗିଙ୍କର । କିଛି ଦିନ ତଳେ ସାହେବଙ୍କ ହ୍ୱାଟସଆପକୁ ଏକ ଅଜଣା ନମ୍ବରରୁ ମେସେଜ ଆସିଥିଲା । କେବିସି ମାଧ୍ୟମରେ ତାଙ୍କୁ ୨୫ ଲକ୍ଷ ଟଙ୍କା ଲଟେରି ମିଳିବ ବୋଲି କୁହାଯାଇଥିଲା । ଅଭାବ ଅନଟନରେ ଥିବା ସାହେବ, ସେହି ନମ୍ବରରେ ଫୋନ କରିବା ପରେ ଠକାମୀର ମାଷ୍ଟର ପ୍ଲାନ୍ କରିଥିଲା ଫ୍ରଡ୍ ମାଷ୍ଟର । ପ୍ରଥମେ ୫୦ ହଜାର ଟଙ୍କା ଡିପୋଜିଟ୍ କରିବାକୁ କହିଥିଲା ଠକ । ୨୫ ଲକ୍ଷ ଟଙ୍କା ପାଇବା ଲୋଭରେ ଠକ କଥାରେ ଭଳି ଯାଇ ବାପାଙ୍କ ନାମରେ ଆସିଥିବା ଆବାସ ଗୃହ ପାଇଁ ଆସିଥିବା ଅର୍ଥକୁ ୪ କିସ୍ତିରେ ୪୧ ହଜାର ଟଙ୍କା ଠକ ଆକାଉଂଟରେ ଡିପୋଜିଟ କରି ଦେଇଛନ୍ତି ଏହି ଆଦିବାସୀ ଯୁବକ । ଏହାପରେ ଧରାଛୁଆଁ ଦେଉନାହିଁ ସାଇବର ଠକ ।

କରୋନା କାଳରେ ଅନଲାଇନ କାରବାରକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ମାତି ଉଠିଛନ୍ତି ସାଇବର ଠକ । ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ଉପାନ୍ତ ଓଡ଼ିଶା, ସବୁଠି ନୂଆ ନୂଆ ଫନ୍ଦି କରି ଲୋକଙ୍କୁ ଚୂନା ଲଗାଇବା ପାଇଁ ଜାଲ ବିଛାଇଛନ୍ତି ଠକ ମାଷ୍ଟର ।

୨୦୨୦
ଜାନୁଆରିରୁ ଜୁଲାଇ ମଧ୍ୟରେ – ୯୪୨ ସାଇବର ମାମଲା
କେବଳ ଏପ୍ରିଲରୁ ଜୁଲାଇ – ୬୫୦ ମାମଲା

୨୦୧୯
ଜାନୁଆରିରୁ ଜୁଲାଇ – ୮୦୪ ମାମଲା ଦାୟର ହୋଇଛି ।

ଲକଡାଉନ ସମୟରେ ରାଜ୍ୟରେ ବଢ଼ିଚାଲିଛି ସାଇବର ମାମଲା । ଲକଡାଉନ୍ ବେଳେ ଲୋକଙ୍କୁ ବିଭିନ୍ନ ପ୍ରକାର ଲୋଭ ଦେଖାଇ ଠକାମୀର ଜାଲ ବିଛାଇ ଚାଲିଛନ୍ତି ଅନଲାଇନ୍ ଠକ ।