ଜମି କିଣୁଥିଲେ ସାବଧାନ, ମାତିଛନ୍ତି ଜମି ଦଲାଲ୍ । ଜଣଙ୍କ ଜମିରେ ଅନ୍ୟଜଣଙ୍କୁ ଠିଆ କରି କରୁଛନ୍ତି ବିକ୍ରି ।

182

କନକ ବ୍ୟୁରୋ : କୋରାପୁଟ ଜିଲ୍ଲାରେ ଜମି କିଣୁଥିଲେ ସାବଧାନ ହୋଇଯାଆନ୍ତୁ । କାରଣ ଜୟପୁର ଓ ଏହାର ଆଖପାଖ ଅଞ୍ଚଳରେ ବେଶ ସକ୍ରିୟ ଅଛନ୍ତି ଜମି ଦଲାଲ । ଜୟପୁର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ହେଉଛି । ଜଣଙ୍କ ଜମିକୁ ଚଂଚକତା କରି ନିଜର କରୁଛନ୍ତି ଦଲାଲ, ଏବଂ ପରେ ଅନ୍ୟକୁ ବିକ୍ରି କରି ଦେଉଛନ୍ତି । ଖାଲି ଏତିକି ନୁହେଁ, ଆହୁରି ଅନେକ କେଳେଙ୍କାରୀ ହେଉଛି । କେବଳ ଜୟପୁର ନୁହେଁ ମାଛକୁଣ୍ଡ ତହସିଲରେ ମଧ୍ୟ ଏପରି ବେଆଇନ ଜମି ବିକ୍ରି କରି କୋଟି କୋଟି ଟଙ୍କାର କାରବାର ଚାଲିଛି ।

ଜୟପୁର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି ଜାଲିଆତି । ଜଣଙ୍କ ଜାଗାରେ ଅନ୍ୟଜଣଙ୍କୁ ଠିଆ କରି ଜମି ପଞ୍ଜିକରଣ କରାଯାଉଛି । ଆଉ ଜମି ଜାଲିଆତିର ସମସ୍ତ ଦସ୍ତାବିଜ କନକ ନ୍ୟୁଜ ହାତରେ ଲାଗିଛି । ଜମି ମାଫିଆ ଓ ଉପନିବନ୍ଧକଙ୍କ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀଙ୍କ ମିଲିଭଗତରେ ବେଆଇନ୍ ଭାବେ ଜମି କିଣାବିକା ଚାଲିଛି । ଆଉ ଏହି କାରବାର ପଛରେ ଜୟପୁର ସହରର ପିୟୁସ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ମାଷ୍ଟର ମାଇଣ୍ଡ ବୋଲି ଅଭିଯୋଗ ହୋଇଛି ।

ଜମି କିଣୁଥିଲେ ସାବଧାନ ! ଜୟପୁରରେ ଚାଲିଛି ମାଫିଆ ରାଜ୍ । ଜଣଙ୍କ ଜମିରେ ଅନ୍ୟଜଣଙ୍କୁ ଠିଆ କରି କରାଯାଉଛି ପଞ୍ଜିକରଣ । ଅଭିଯୋଗ ଅନୁସାରେ, ଜୟପୁର ପାୱାର ହାଉସ କଲୋନିର ସୁବାସିନୀ ପାତ୍ରଙ୍କୁ କୋଲକାତାର ଯମୁନା ଶର୍ମା ଦର୍ଶାଇ ୧୨ ଏକର ୭୦ ସେଂଟ ଜମି ପାଇଁ ହଡ଼ପ କରିଛନ୍ତି ପୀୟୁସ ପଟ୍ଟନାୟକ । ଜମି ହଡପ ପାଇଁ ହୋଇଥିବା ସମସ୍ତ କାଗଜ ପତ୍ରରେ ସୁବାସିନୀଙ୍କ ଫଟୋ ଲାଗିଛି, କିନ୍ତୁ ନାମ ଯମୁନା ଶର୍ମା ଦର୍ଶାଯାଇଛି ।

ସେହିପରି ଜୟନଗର ଅଞ୍ଚଳର ମହମ୍ମଦ ସର୍ଦ୍ଦାରଙ୍କୁ ବଲାଙ୍ଗିରର ବିବେକାନନ୍ଦ ବହିଦାର ଦର୍ଶାଇ ୩ ଏକର ୪୬ ସେଂଟ ଜମି ହଡ଼ପ କରାଯାଇଛି । ମହମ୍ମଦ ନିକଟରେ ଜମି ବିକ୍ରି କରିବା ପାଇଁ ଫଟୋ ଉଠାଇଥିଲେ । ଏବେ ସେହି ଫଟୋକୁ ଅସ୍ତ୍ର କରି ଦଲାଲ ବେଆଇନ୍ ଜମି କାରବାର କରୁଛନ୍ତି ।

ତେବେ ଏହି ଜମି ଜାଲିଆତିରେ ପିୟୁସ ପଟ୍ଟନାୟକଙ୍କ ଭଳି ଜୟପୁରର ଅନେକ ଜମି ଦଲାଲ ସାମିଲ ଅଛନ୍ତି । ଏମାନଙ୍କୁ ଜୟପୁର ଉପନିବନ୍ଧକ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀ ସହଯୋଗ କରୁଥିବା ଅଭିଯୋଗ ହୋଇଛି । ଅସାଧୁ ଉପାୟରେ ଲୋକଙ୍କ ଜମି ହଡ଼ପ କରୁଥିବା ଅଭିଯୋଗ ହୋଇଛି ।