ଅପରାହ୍ନ ସୁଦ୍ଧା ସତର୍କ ରୁହ ୧୧ ଜିଲ୍ଲା ! ବର୍ଷା ଓ ବଜ୍ରପାତ ବିପଦ ନେଇ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

3,326
କନକ ବ୍ୟୁରୋ: ଅପରାହ୍ନ ୪ଟା ସୁଦ୍ଧା ୧୧ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ବିପଦ । ଏହି ସତର୍କ ସୂଚନା ମଧ୍ୟରେ  ରାଜ୍ୟର ୧୧ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଢ଼େଙ୍କାନାଳ, ସୁନ୍ଦରଗଡ, ବରଗଡ, ଅନୁଗୁଳ, ସମ୍ବଲପୁର, ଦେବଗଡ଼ ଏବଂ ସୁନ୍ଦରଗଡ ଭଳି ଜିଲ୍ଲା ଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୦ କିମ୍ବା ୧୧ ତାରିଖ ବେଳକୁ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଏହା ବାତ୍ୟାର ପରିଣତ ହେବ ବୋଲି ଗୋଟିଏ ମଡେଲ୍‌ କହୁଥିବା ବେଳେ ଆଉ ଏକ ମଡେଲ୍‌ କହୁଛି ବାତ୍ୟା ହେବନି । କିନ୍ତୁ ପ୍ରବଳ ‌ବର୍ଷା ହେବ। ବାତ୍ୟା ହେଉ କି ବର୍ଷା ଯାହା ହେବ ଦଶହରା ବେଳେ ‌ହିଁ ହେବ ବୋଲି ସବୁ ମଡେଲ୍‌ ଦେଖାଉଛି ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ୧୧ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବ । ଏହା ଅଧିକ ଘନୀଭୂତ ହେବ। ବାତ୍ୟାର ରୂପ ବି ନେଇପାରେ । ବର୍ତ୍ତମାନ ବଙ୍ଗୋପସାଗରର ଅବସ୍ଥା ଦେଖିଲେ ଏହା ଆନ୍ଧ୍ର ଉପକୂଳରେ ମାଡ଼ ହୋଇପାରେ । ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ହେବ । କିନ୍ତୁ ଏହାର ଗତିପଥ ଏବେଠୁ ଠିକ୍ ଭାବେ ଆକଳନ କରିହେବନି । ୧୦ତାରିଖ ପରେ ଲଘୁଚାପ ବାତ୍ୟାର ରୂପ ନେଇ କେଉଁ ଦିଗରେ ଯିବ ଏବଂ କେଉଁଠି ସ୍ଥଳ ଭାଗ ଛୁଇଁବ ତାହା କହିହେବ । ସେହିପରି ଯଦି ମିଆଁମାରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟର କିଛି ଅଂଶ ଓଡ଼ିଶା-ଆନ୍ଧ୍ରପ୍ରଦେଶ ମୁହାଁ ହୁଏ ତେବେ ବାତ୍ୟାର ଭୟ ନାହିଁ । ଏହା ପ୍ରଭାବରେ କେବଳ ବର୍ଷା ହେବ ।  ଅନ୍ୟପକ୍ଷରେ ଦକ୍ଷିଣ ଓଡ଼ିଶାରେ ପୁଣି ଏକ ଘୂର୍ଣ୍ଣିଝଡ଼ ଆସିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ସୂଚନା ଦିଆଯାଇଛି ।
ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ୱାସ କହିଛନ୍ତି ଯେ ଆସନ୍ତା ୧୦ ତାରିଖ ପାଖାପାଖି ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ଅବପାତରେ ପରିଣତ ହୋଇପାରେ । ଲଘୁଚାପ ସୃଷ୍ଟି ହେବାର ପରବର୍ତୀ ୪ରୁ ୫ ଦିନ ମଧ୍ୟରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୧୪ କିମ୍ବା ୧୫ ତାରିଖ ବେଳକୁ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁ ହେବ । ହେଲେ ଏହାର ପ୍ରଭାବ କିଭଳି ରହିବ ସେନେଇ ଏବେ ଆକଳନ କରାଯାଇ ନାହିଁ । ଲଘୁଚାପ ବଳୟ ସୃଷ୍ଟି ହେବା ପରେ ଏହା ଗତିପଥ ଉପରେ ସ୍ପଷ୍ଟ ଭାବେ କୁହାଯାଇପାରିବ ।