ଜୁନରୁ ଅଗଷ୍ଟ ଭିତରେ ୨୯% କମିଛି ମୌସୁମୀ ବର୍ଷା : ୧୨୦ ବର୍ଷରେ ଷଷ୍ଠତମ ନିଅଣ୍ଟିଆ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା

146

କନକ ବ୍ୟୁରୋ : ଚଳିତ ବର୍ଷ ଜୁନରୁ ଅଗଷ୍ଟ ମଧ୍ୟରେ ହୋଇଛି ୨୯ ପ୍ରତିଶତରୁ କମ୍ ମୌସୁମୀ ବର୍ଷା  । କେବଳ ଅଗଷ୍ଟ ମାସରେ ୨୦୪.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୧୨୦ ବର୍ଷରେ ଏହା ଷଷ୍ଠ ତମ ନିଅଣ୍ଟିଆ ବର୍ଷା । ୧୯୨୪, ୧୯୫୬, ୧୯୭୪, ୧୯୮୭ ଓ ୧୯୯୮ରେ ୨୯ ପ୍ରତିଶତ ବା ଅଧିକ ଅଭାବୀ ବର୍ଷା ହୋଇଥିଲା । ୧୯୯୫ରେ ୧୮୭.୩ ମିଲିମିଟର, ୧୯୮୭ରେ ୧୯୦.୩ ମିଲିମିଟର ଓ ୧୯୯୮ ମସିହାରେ ୨୦୩.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା  ।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସେପ୍ଟେମ୍ବର ମାସରେ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ  । ଉତ୍ତର, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶଶର କେତେକ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି  । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ଦେବଗଡ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ମୟୂରଭଂଜ ଓ ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ  । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସେଭଳି ବର୍ଷା ହେବ ନାହିଁ ବୋଲି କୁହାଯାଇଛି  । କିନ୍ତୁ କୌଣସି ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହେବ ନାହିଁ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି  ।