କନକ ବ୍ୟୁରୋ: ୨୦୨୦ରୁ ୨୦୨୨ ଭିତରେ ଓଡିଶାରେ କୋଭିଡ୍ ନେଇଛି ୨୦ ହଜାରରୁ ଅଧିକ ଜୀବନ । ସେହିପରି ବନ୍ୟା, ବାତ୍ୟା, ମରୁଡି, ପ୍ରବଳ ବର୍ଷାରେ ୧୦ ବର୍ଷ ଭିତରେ ୨୨୭ ଜଣଙ୍କର ପ୍ରାଣହାନି ଘଟିଛି । ବାତ୍ୟା ତିତିଲିରେ ସର୍ବାଧିକ ୭୨ ଜଣଙ୍କର ଜୀବନ ଯାଇଥିବା ବେଳେ ବାତ୍ୟା ଫନିରେ ୬୪ ଜଣ, ଫାଇଲିନ ବାତ୍ୟାରେ ୨୨ ଜଣଙ୍କ ଜୀବନ ଯାଇଛି । ତେବେ ବାତ୍ୟା ଅମ୍ଫାନ, ବୁଲବୁଲ,ଗୁଲାବ, ଜଓ୍ୱାଦରେ କାହାରି ଜୀବନ ଯାଇ ନାହିଁ ବୋଲି ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

Advertisment

ମନ୍ତ୍ରୀ ଦେଇଥିବା ସୂଚନା ମୁତାବକ, ୨୦୧୨ରୁ ଅଦ୍ୟାବଧି ହୋଇଥିବା ବନ୍ୟା, ବାତ୍ୟା, ମରୁଡି ଏବଂ ପ୍ରବଳ ବର୍ଷାରେ ୪୦ ହଜାରରୁ ଅଧିକ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଉଛି । ୨୦୧୨ ଓ ୨୦୧୬ ମସିହାରେ କୌଣସି ପ୍ରମୁଖ ପ୍ରାକୃତିକ ବିପର୍ୟ୍ୟୟ ହୋଇନାହିଁ । ଫାଇଲିନ ବାତ୍ୟାରେ ସର୍ବାଧିକ ୧୪ ହଜାର ୩୭୩ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ଫନିରେ ୯ହଜାର ୩୩୬ କୋଟି କ୍ଷୟକ୍ଷତି ହୋଇଛି। ତେବେ କେନ୍ଦ୍ରରୁ ପ୍ରାୟ ୬ ହଜାର ୩୦୦ କୋଟି ଟଙ୍କାର ସହାୟତା ମିଳିଥିବା ପ୍ରମିଳା ମଲ୍ଲିକ ବିଧାନସଭାରେ ତଥ୍ୟ ରଖିଛନ୍ତି ।

ତେବେ ଗତ ୫ ବର୍ଷ ମଧ୍ୟରେ ବନ୍ୟା, ବାତ୍ୟା, ମରୁଡି,ମାଟି ଅତଡା ଖସିବା, ଅଂଶୁଘାତ,ସାପ କାମୁଡା,ପାଣିରେ ବୁଡି ଜୀବନ ଯିବା, ଡଙ୍ଗା ବୁଡି,ବନ୍ୟାରେ ଭାସିଯିବାରେ ୧୪ ହଜାର ୪୦୭ ଜଣଙ୍କ ଜୀବନ ଯାଇଛି ବୋଲି ବିଧାନସଭାରେ ଭିନ୍ନ ଭିନ୍ନ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସୂଚନାଯୋଗ୍ୟ ଯେ, ବିଧାୟକ ନବଚରଣ ମାଝି ଏନେଇ ଗୃହରେ ପ୍ରଶ୍ନ କରିଥିଲେ । ୨୦୧୨ରୁ ଚଳିତ ବର୍ଷ ଭିତରେ ଓଡିଶାରେ କେତୋଟି ଓ କେଉଁ ଧରଣର ପ୍ରାକୃତିକ ବିପର୍ୟ୍ୟୟ ଆଶିଛି । ଏବଂ ଏଥିରେ କେତେ ଜୀବନ ହାନି ହୋଇଛି ସେନେଇ ପ୍ରଶ୍ନ କରିଥିଲେ ବିଜେପି ବିଧାୟକ । ଯାହାର ଉତ୍ତର ରଖି ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ତଥ୍ୟ ବିଧାନସଭାରେ ରଖିଛନ୍ତି ।