ଡିଜେଲ ଦାମ ଯୋଗୁଁ ଚିନ୍ତାରେ ଚାଷୀ, ସହିପାରିଲେନି ପମ୍ପ ମାଲିକ: କମ ଦାମରେ ଚାଷୀଙ୍କୁ ଦେଲେ ଡିଜେଲ

134

କନକ ବ୍ୟୁରୋ: ଲଗାତାର ବଢିବାରେ ଲାଗିଛି ଡିଜେଲ ଦର । ତେବେ ଡିଜେଲ ଦର ବୃଦ୍ଧିର ପ୍ରଭାବ ବେଶୀ ଚାଷୀ, ଟ୍ରକ ଓ ବସ ଅପରେଟରଙ୍କ ଉପରେ ପଡିଛି । ଫସଲ କାଟିବା ସମୟରେ ଡିଜେଲ ଦର ବୃଦ୍ଧି ଯୋଗୁଁ ଚିନ୍ତାରେ ରହିଛନ୍ତି ଚାଷୀ । ଏହାକୁ ନଜରରେ ରଖି ମଧ୍ୟପ୍ରଦେଶ ବେତୁଲ ଜିଲ୍ଲାର ଜଣେ ପେଟ୍ରୋଲ ପମ୍ପ ମାଲିକ ଏପରି କାମ କରିଛନ୍ତି ପ୍ରଶଂସା ଯୋଗ୍ୟ ।

ଚାଷୀଙ୍କୁ କିଛି ମାତ୍ରାରେ ସାହାଯ୍ୟ କରିବାକୁ ସେ ଡିଜେଲ ପ୍ରତି ଲିଟରରେ ୨ ଟଙ୍କା କମ କରିଛନ୍ତି କେବଳ ଚାଷୀଙ୍କ ପାଇଁ । ବେତୁଲ ଜିଲ୍ଲାର ଜାତୀୟ ରାଜପଥରେ ଇଣ୍ଡିଆନ ଅଏଲ ପମ୍ପର ମାଲିକ ରାଜିବ ବର୍ମା । ଚାଷୀଙ୍କ ଦୁଃଖ ଦେଖି ସେ ତାଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି । ଏଠାରେ ସବୁ ପେଟ୍ରୋଲ ପମ୍ପରେ ଡିଜେଲ ୧୦୪ ଟଙ୍କା ଥିବା ବେଳେ ଏହି ପେଟ୍ରୋଲ ପମ୍ପରେ ୧୦୨ ଟଙ୍କାରେ ମିଳୁଛି ।

ରାଜୀବ ବର୍ମାଙ୍କ କହିବାନୁସାରେ ଏହି ଦିନ ଚାଷୀଙ୍କ ପାଇଁ ବେଶି ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ଚାଷୀ ନିଜ ଫସଲ କାଟିଥାଏ । ଆଉ ତାକୁ ମଣ୍ଡିକୁ ନେଇଥାଏ । ଆଉ ଏଥିପାଇଁ ଟ୍ରାକ୍ଟର ଆଉ ବିଭିନ୍ନ ମେସିନରେ ଡିଜେଲର ଆବଶ୍ୟକତା ପଡିଥାଏ । ତେଣୁ ଜଣେ ଚାଷୀଙ୍କ ପାଇଁ ଏହା କଷ୍ଟକର ସମୟ । ତେଣୁ ମୁଁ ମୋ ସାମର୍ଥ୍ୟ ଅନୁସାରେ ସେମାନଙ୍କୁ ସାହାଯ୍ୟ କରିଛି ।

ଏଭଳି ଉଦ୍ୟମ ଯୋଗୁଁ ରାଜିବଙ୍କ ପେଟ୍ରୋଲ ପମ୍ପରେ ବିକ୍ରି ବଢିଯାଇଛି । ପ୍ରଥମେ ସେ ଦିନକୁ ତିନି ହଜାର ଟଙ୍କାର ଡିଜେଲ ବିକୁଥିଲେ ହେଲେ ଏବେ ଏହା ବଢିକି ୪ ହଜାର ଟଙ୍କାରେ ପହଞ୍ଚିଛି । ଚାଷୀମାନେ ମଧ୍ୟ ଦୁଇ ଟଙ୍କା ରିହାତି ପାଇଁ ଏହି ପେଟ୍ରୋଲ ପମ୍ପରେ ଲାଇନ ଲଗାଉଛନ୍ତି ।