ଆମେରିକାର ରାଷ୍ଟ୍ରପତି ବ୍ୟବହାର କରୁଥିବା ବିମାନଠାରୁ ଉନ୍ନତ : ମିଶାଇଲକୁ କରିବ ପ୍ରଭାବ ଶୂନ୍ୟ; ରାଫେଲ ଭଳି ଉଡନ୍ତା ଅବସ୍ଥାରେ ଭରି ପାରିବ ଇନ୍ଧନ 

3,077

କନକ ବ୍ୟୁରୋ :   ବୋଇଙ୍ଗ୭୭୭ -୩୦୦ ଇଆର ର ୨ ଟି ବିମାନ ଆଜି ଦିଲ୍ଲୀରେ ପହଂଚିବ ବୋଲି ଜଣାପଡିଛି । ଏହି ୨ ଟି ବିମାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବ୍ୟବହାର କରିବେ ବୋଲି ଜଣାପଡିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଜି ବିଶେଷ ବିମାନ ବୋଇଙ୍ଗ ୭୭୭ ଆଜି ଦିଲ୍ଲୀରେ ଅବତରଣ କରିବ  । ଏହି ବିମାନ ଟି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବ୍ୟବହାର କରୁଥିବା ବିମାନ ସହିତ ସମକକ୍ଷ । ଏହି ବିମାନର ସବୁଠାରୁ ବଡ ଗୁଣ ହେଉଛି କି ଯେ ଏହି ବିମାନ ଉପରେ କୌଣସି ମିଶାଇଲ ମାଡ କଲେ ସେ ତା’ର ପ୍ରତିରୋଧ କରିପାରିବ । ଅନ୍ୟପଟେ ଏହି ବିମାନ କେବଳ ଭାରତୀୟ ବାୟୁସେନାରେ ସାମିଲ କରାଯିବ । ଅନ୍ୟପଟେ ଏହାକୁ ଏୟାର ଇଣ୍ଡିଆକୁ ଦିଆଯିବ ନାହିଁ ବୋଲି ସୂଚନା ମିଳିଛି । 

କହିରଖୁ କି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଏବେ ଯାଏ ଏୟାର ଇଣ୍ଡିଆର ବୋଇଙ୍ଗ (ବି) ୭୪୭ ବିମାନ ବ୍ୟବହାର କରୁଛନ୍ତି । ସୁରକ୍ଷା ଦିଗରେ ଏହି ବିମାନ ଆମେରିକାର ରାଷ୍ଟ୍ରପତି ବ୍ୟବହାର କରୁଥିବା ବିମାନର ସମକକ୍ଷ ବୋଲି କୁହାଯାଉଛି । ଅନ୍ୟପଟେ ଏହି ବିମାନ ଥରେ ଇନ୍ଧନ ଭରିବା ପରେ କେଉଁଠି ନ ଅଟକି ଭାରତରୁ ଆମେରିକା ପର୍ଯ୍ୟନ୍ତ ଯାତ୍ରା କରିପାରିବ । 

୭୭୭-୩୦୦ ଇଆର ବିମାନ ପୁରା ଆମେରିକା ରାଷ୍ଟ୍ରପତିଙ୍କ ବିମାନର କପି । ଆମେରିକା ରାଷ୍ଟପତିଙ୍କ ବିମାନ ୩୫ ହଜାର ଫୁଟ୍ ଉଚ୍ଚତାରେ ଘଂଟା ପ୍ରତି ୧,୦୧୩ କିଲୋମଟର ବେଗରେ ଉଡିପାରୁଥିବା ବେଳେ ବୋଇଙ୍ଗ୭୭୭ -୩୦୦ ଇଆର ବିମାନ ଗୋଟିଏ ଟେକ୍ ରେ ୬୮ ହଜାର ମାଇଲ ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଅନ୍ୟପଟେ ଆମେରିକା ରାଷ୍ଟ୍ରପତିଙ୍କ ବିମାନ ୩୫ ହଜାର ଫୁଟ୍ ଉପରେ ଉଡି ପାରୁଥିବା ବେଳେ ଏହା ୪୫ ହଜାର ଫୁଟ ଉପରେ ନିଜର ଉଡାଣ ଭରି ପାରିବ । 

ସଦ୍ୟ ମିଳିଥିବା ସୂଚନା ମୁତାବକ ଭାରତୀୟ ବାୟୁସେନା ହାତରେ ଏହି ବିମାନର ଦାୟିତ୍ୱ ରହିବ । ଯାହା କି ପୂର୍ବରୁ ଏୟାର ଇଣ୍ଡିଆ ହାତରେ ରହିଥିଲା । ଏହି ବିମାନକୁ ବାୟୁ ସେନାର ପାଇଲଟ ଉଡାଇବେ । ଭାରତକୁ ଆଜି ଆସିବାକୁ ଥିବା ୨ ଟି ବିମାନର ମୂଲ୍ୟ ୮,୪୫୮ କୋଟି ଟଙ୍କା ବୋଲି କୁହାଯାଇଛି । ଏହି ବିମାନରେ ଥିବା ସୁରକ୍ଷା ବ୍ୟବସ୍ଥା ବିଶ୍ୱର ଅନ୍ୟ ସମସ୍ତ ବିମାନ ଠାରୁ ଉନ୍ନତ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ନିର୍ମାଣ କରାଯାଇଛି । ଅନ୍ୟପଟେ ରାଫେଲ ଯୁଦ୍ଧ ବିମାନ ଭଳି ଏହି ବିମାନରେ ବି ଉଡିବା ଅବସ୍ଥାରେ ଇନ୍ଧନ ଭରିବାର କ୍ଷମତା ରହିଛି ।