ପାନ ପୋଷୁଛି ପେଟ । ମାଲକାନଗିରି ଏମଭି-୩୧ ଗାଁରେ ପାନ ବରଜ କରି ରୋଜଗାର କରୁଛନ୍ତି ଚାଷୀ ।

171

କନକ ବ୍ୟୁରୋ: ମାଲକାନଗିରିରେ ପାନ ବରଜ । ଉପକୂଳ ପରି ଏବେ ଉପାନ୍ତ ଅଂଚଳରେ ଚାଲିଛି ପାନ ଚାଷ । ଏହି ଚିତ୍ର ହେଉଛି ମାଲକାନଗିରି ଜିଲ୍ଲା ଏମଭି ୩୧ ଗାଁରୁ । ନିଜ ବାରି ପଟ ପାନ ବରଜରେ ଦିନ ରାତି ଏକ କରି ଦେଇଛନ୍ତି କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି ୩୧ ଗାଁର ରାଧାକୃଷ୍ଣ ପାତ୍ର । ପୂର୍ବରୁ ତାଙ୍କ ଜେଜେ ବାପା ଓ ବାପା ପାନ ଚାଷ କରୁଥିଲେ । ପାନ ଚାଷ ନେଇ ଅଭିଜ୍ଞତା ଥିବାରୁ ମାଲକାନଗିରି ଜିଲ୍ଲାରେ ମଧ୍ୟ ପରୀକ୍ଷା ମୂଳକ ଭାବେ କିଛି ବର୍ଷ ହବ ପାନ ଚାଷ ଆରମ୍ଭ କରିଛନ୍ତି ରାଧାକୃଷ୍ଣ ପାତ୍ର ।

ଏବେ ରାଧାକୃଷ୍ଣ ପ୍ରାୟ ଗୋଟିଏ ଏକର ଜମିରେ ପାନ ଚାଷ କରୁଥିବା ବେଳେ ଚାଷରେ ସହଯୋଗ କରୁଛନ୍ତି ତାଙ୍କ ପରିବାର । ଆଉ ବର୍ଷ ତମାମ ପାନ ବରଜର ରକ୍ଷଣାବେକ୍ଷଣ କରି ବର୍ଷ ତମାମ ପାନ ବିକି ବେଶ ଦୁଇ ପଇସା ରୋଜଗାର କରନ୍ତି ରାଧାକୃଷ୍ଣ । ପ୍ରତିଦିନ ଗାଁକୁ ଗାଁ ଯାଇ ପାନ ପତ୍ର ବିକ୍ରି କରିବା ସହ ସପ୍ତାହିକ ହାଟରେ ମଧ୍ୟ ପାନ ବିକି ସେ ପରିବାର ପ୍ରତିପୋଷଣ କରୁଛନ୍ତି ।

ବିଶେଷ କରି ଉପକୂଳ ଅଂଚଳରୁ ମାଲକାନଗିରି ଜିଲ୍ଲାକୁ ପାନ ଯୋଗାଣ ହୋଇଥାଏ । ତେବେ ମାଲକାନଗିରିର ଏମଭି-୩୧ ଗାଁର ୬ଟି ପରିବାର ପାନ ଚାଷ କରୁଥିବା ବେଳେ ଏହି ପାନର ରହିଛି ସ୍ୱତନ୍ତ୍ର ପରିଚୟ । ବର୍ତମାନ ୧୦୦ଟି ପାନ ୪୦ ଟଙ୍କା ଦରରେ ବିକ୍ରି ହେଉ ଥିବା ବେଳେ ଶୀତ ଦିନରେ ପାନର ଦର ୮୦ରୁ ୧୦୦ ଟଙ୍କା ଟପିଯାଏ । ଆଉ ମାସିକ ୧୨ ରୁ ୧୫ ହଜାର ଟଙ୍କା ଆୟ କରନ୍ତି ରାଧାକୃଷ୍ଣଙ୍କ ସମେତ ଏମଭି ୩୧ ଗାଁର ପାନଚାଷୀ । ତେବେ କୃଷି କାର୍ଯ୍ୟ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଥିଲେ ମଧ୍ୟ ପାନ ଚାଷୀଙ୍କ ପ୍ରତି କୃଷି କିମ୍ବା ଉଦ୍ୟାନ ବିଭାଗର ଆଦୌ ଦୃଷ୍ଟି ପଡୁ ନ ଥିବା କହିଛନ୍ତି ପାନ ଚାଷୀ ।