ଚିନ୍ତାରେ ଏବେ ପାନ ଚାଷୀ: ବିକ୍ରି ହେଉନି ପାନ, ଲଗାତାର ୩ ବର୍ଷ ହେଲା କ୍ଷତି ସହୁଛନ୍ତି ଚାଷୀ

155

କନକ ବ୍ୟୁରୋ: ଆତ୍ମନିର୍ଭର କରିଛି ପାନ ଚାଷ । ମହାକାଳପଡା ବ୍ଲକର ଉପକୁଳବର୍ତି ଅଂଚଳରେ ପାନ ଚାଷ ବ୍ୟାପକ ଭାବେ କରାଯାଉଛି । ବର୍ଷା ଏବଂ ବାତ୍ୟା ପରି ପ୍ରାକୃତିକ ଦୁର୍ବିପାକ ଓ ବିକ୍ରିବଟା ସମସ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହେଉଛନ୍ତି ପାନଚାଷି । ଦିନେ ପାନଚାଷରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମହାକାଳପଡା ଅଂଚଳର ଚାଷୀ ଏବେ ତାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି ।

ରୋଜଗାରର ରାସ୍ତା ଦେଖାଇଛି ପାନ ଚାଷ । କେନ୍ଦ୍ରାପଡା ମହାକାଳପଡା ବ୍ଲକ ବତିଘର , ରାମନଗର, ଖରିନାସି, ସୁନିତି ଏବଂ ଜମୁ ପଂଚାୟତରେ ପ୍ରଚୁର ପରିମାଣରେ ପାନଚାଷ କରାଯାଏ । ପାନଚାଷ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏହି ଅଂଚଳର ଚାଷୀ । ସେହିପରି ଦୁଇଜଣ ସଫଳ ପାନଚାଷି ହେଉଛନ୍ତି ସୁନିଲ ପାତ୍ର ଏବଂ ଭାରତୀ ପାତ୍ର । ନିଜ ବାଡିରେ ଦୁଇଟି ପାନ ବରଜ ପ୍ରତିଷ୍ଠା କରି ପାନଚାଷ କରିବା ସହିତ ନିଜର ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ପ୍ରାକୃତିକ ଦୁର୍ବିପାକ ଏବଂ ବଜାରରେ ପାନର ବିକ୍ରିବଟା ସମସ୍ୟା କାରଣରୁ ଲଗାତାର ୩ ବର୍ଷ ହେବ କ୍ଷତି ସହୁଥିବାର ଅଭିଯୋଗ କରିଛନ୍ତି ସୁନିଲ ଏବଂ ଭାରତୀ ।

ଉତ୍ପାଦିତ ହେଉଥିବା ପାନ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଯାଇଥାଏ । କେନ୍ଦ୍ରାପଡା ସହିତ କଟକ, ଭୁବନେଶ୍ୱର, ଜଗତସିଂହପୁର ଏବଂ କଲିକତା ପରି ବହାର ରାଜ୍ୟକୁ ଚାଷିମାନେ ବିକ୍ରି ପାଇଁ ପାନ ପଠାଇଥାନ୍ତି । ପୁର୍ବରୁ ୧ ହଜାର ପାନ ୧୨ ସହ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ କିନ୍ତୁ ୧୦୦ ଟଙ୍କାରେ ବିକ୍ରି ହେଉଛି । ଉତ୍ପାଦିତ ପାନ ବହାର ଜିଲ୍ଲାକୁ ଯାଇନପାରିବା କାରଣରୁ ସ୍ଥାନୀୟ ଅଂଚଳରେ କମ ଦରରେ ବିକ୍ରି କରି ଚାଷୀ ମୁଳ ଧନ ବି ଉଠାଇ ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ପାନଚାଷି ମାନଙ୍କୁ ସରକାର ସାହାଯ୍ୟ ସହେଯାଗ ଯୋଗାଇଦେବା ସହିତ ଉତ୍ପାଦିତ ହେଉଥିବା ପାନର ବିକ୍ରି ବଟା ପାଇଁ ବ୍ୟବସ୍ଥା କରିବା ପାଇଁ ଚାଷି ମାନେ ଦାବି କରିଛନ୍ତି ।