(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।)
ଓହୋ, ଯାହା କୁହ ବର୍ଷା ଭିଜା ସକାଳରେ ମନକୁ ଖୁସି କରିଦେଲା ଭଳି ଗୋଟିଏ ଖବର ଶୁଣିଲି । ଭୁବନେଶ୍ୱର ମହାନଗର ନିଗମର ମେୟର ଅନନ୍ତ ନାରାୟଣ ଜେନା କୁଆଡେ ଶ୍ରେଷ୍ଠ ମେୟରର ଆୱାର୍ଡ ପାଇଛନ୍ତି । କଥାଟା ପୁରା ମନକୁ ପାଇଗଲା । ଛତାଟିଏ ଧରି ବାହାରକୁ ଆସିଲି, ସାଇ ପଡିଶାଙ୍କୁ ଖବରଟା ଜଣାଇ ଦେବାକୁ । କାହିଁକି ନା ବର୍ଷା ଜଳକୁ ଯେଉଁଭଳି ଭାବେ ବୁନୁ ବାବୁ ପରିଚାଳନା କରୁଛନ୍ତି, ତାକୁ ବିଶ୍ୱ ଦରବାରରେ ମିଳିଛି ଭୁରି ଭୁରି ପ୍ରଶଂସା । ସକାଳୁ ସକାଳୁ ଘରୁ ବାହାରକୁ ପାଦ ରଖିଲା ବେଳକୁ ଆୱାର୍ଡର ଆଧାର ଜଳଜଳ ହୋଇ ଦେଖାଗଲା ।
/kanak/media/post_attachments/wp-content/uploads/2018/07/PHOTO-01031614.jpg)
ବର୍ଷା ପାଣିକୁ ଯେଉଁଭଳି ଭାବେ ଆମର ବୁନୁ ବାବୁ ଅଟକାଇ ରଖୁଛନ୍ତି ନା, ତାହା ଶିଖିବାକୁ ବାହାର ଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଆସୁଥିବା ଆମେ ଖବର ପାଇଲୁ । ଚାରିଆଡେ ବର୍ତ୍ତମାନ ପାଣି ସମସ୍ୟା ଦେଖିବାକୁ ମିଳୁଥିବା ବେଳେ ଭୁବନେଶ୍ୱରରେ କିନ୍ତୁ ବୁନୁ ବାବୁ ନୂଆ ଯୋଜନାଟିଏ ଆରମ୍ଭ କରିଛନ୍ତି । ରାଜରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ଯାଏଁ ଚାରିଆଡେ ପାଣିକୁ ଜମାଇ ରଖିବାର ଏହି କଳା କୈାଶଳ ଅନନ୍ତ ଆଜ୍ଞା ଆମର ବେଶ ଭଲଭାବେ ଜାଣିଛନ୍ତି ।
ଗ୍ୟାରେଂଟି ଦେଇ ଆପଣଙ୍କୁ କହିବି, ବୁନୁ ବାବୁଙ୍କ ପୁରୁଣା ପ୍ରତିକ୍ରିୟା ସବୁ ଆପଣ ଶୁଣନ୍ତୁ, ଯେଉଁଠି ମେୟର ମହୋଦୟ କହୁଥିବେ, ଇଂଜିନିୟର ଲାଗିଛନ୍ତି କାମ ଚାଲିଛି, ଡ୍ରେନେଜ ସଫା ହୋଇଛି, ଆଉ ପାଣି ଜମିବ ନାହିଁ, ଆମେ ପଦକ୍ଷେପ ନେଉଛୁ, ଏମିତି କେତେ କଣ । ହେଲେ ଅନନ୍ତ ଜେନା ହିଁ ବୁଝିଛନ୍ତି ପାଣିର ମହତ୍ୱ କଣ । ଖାସ ସେଥିପାଇଁ ତ ପାଣିକୁ ଅଟକାଇ ରଖିବାର ସବୁ ତରିକା ଆବିଷ୍କାର କରିଛନ୍ତି ସ୍ମାର୍ଟ ସିଟିର ସ୍ମାର୍ଟ ମେୟର । ସମସ୍ତ କହୁଛନ୍ତି, ଆଗାମୀ ଦିନରେ ଜଳକୁ ନେଇ ହିଁ ବିଶ୍ୱଯୁଦ୍ଧଟିଏ ହୋଇପାରେ ହେଲେ ଭୁବନେଶ୍ୱର ଏବେଠାରୁ ପ୍ରସ୍ତୁତ ହେଲାଣି, ଯେଭଳି ପାଣିର କାଣିଚାଏ ସମସ୍ୟା ହିଁ ଦେଖାନଯାଏ ।
/kanak/media/post_attachments/wp-content/uploads/2018/07/Screen-shot-2018-07-16-at-10.33.59-AM.jpg)
ବୁନୁ ବାବୁ ଆୱାର୍ଡର ପ୍ରକୃତ ହକଦାର । କାରଣ ଗୋଟିଏ ଗୁଳିରେ ଅନେକ ଶିକାର କରିବାରେ ସେ ମାହିର । ଏଇ ଦେଖୁନାହାନ୍ତି, ଭୁବନେଶ୍ୱର ରାଜରାସ୍ତାରେ ପାଣି ଚାଲିଲେ ଗାଡି ଚଳାଚଳ ବାଧାପ୍ରାପ୍ତ ହେବ । ନିଜ ଘରୁ ଲୋକେ ବାହାରି ପାରିବେ ନାହିଁ । ଗାଡି ମଟର ବଦଳରେ ଲୋକେ ଚାଲିଚାଲି ଯିବେ । ତେଣୁ ପ୍ରଦୂଷଣର ବି ସମସ୍ୟା ନାହିଁ । ମାନିବାକୁ ପଡିବ ଆମ ମେୟରଙ୍କ ଚିନ୍ତାଧାରାକୁ । ଯେତେ ଆଗକୁ ଚିନ୍ତା କରୁଛନ୍ତି ନା, ସତରେ ଆଉ କେହି ଭୁବନେଶ୍ୱର ପାଇଁ ଏତେ କିଛି ଭାବିପାରିବେ ନାହିଁ ।
ଭାବୁଛି, ବିଶ୍ୱ ଦରବାରରେ ଯାଇ ଏହି ଆୱାର୍ଡ ଗ୍ରହଣ କରିବା ବଦଳରେ ମେୟର ଆଜ୍ଞା ଯଦି ଇସ୍କନ ସାମ୍ନାରେ ପାଣି ଜମିଥିବା ରୋଡ ମଝିରେ ଯଦି ଗ୍ରହଣ କରନ୍ତେ ତେବେ ବହି ପୁରା ଜଳିଯାଆନ୍ତା । ସବୁ ମିଡିଆ ସିଧାପ୍ରସାରଣ କରନ୍ତା । ଆଉ ଏହି ବିରଳ କୃତିତ୍ୱ ଉପରେ ଢେର ଆଲୋଚନା ମଧ୍ୟ ହୁଅନ୍ତା । ଆମ ମେୟର ଭାରି ସରଳ ଲୋକ । ତେଣୁ ଭାବୁଛୁ, ଏଭଳି ସରଳିଆ କାର୍ଯ୍ୟକ୍ରମରେ ଯଦି ଆୱାର୍ଡ ଗ୍ରହଣ କରନ୍ତେ ତେବେ ବେଶ ଭଲ ବି ହୁଅନ୍ତା । ବ୍ୟକ୍ତିଗତ ଭାବରେ ଏହି ପ୍ରସ୍ତାବ ତାଙ୍କୁ ଦେଇ ରାଜି କରାଇବାର ଦାୟିତ୍ୱ ଭୁବନେଶ୍ୱରବାସୀ ନିଜ ଉପରକୁ ନିଅନ୍ତୁ । କାରଣ ପାଣିରେ ଆପଣ ଅଟକିଲେ ମେୟର ବାବୁ ସାଙ୍ଗେ ସାଙ୍ଗେ ଆପଣଙ୍କ ପାଖେ ପହଂଚୁଛନ୍ତି ନା ନାହିଁ ।
ବୁନୁ ବାବୁ ଏହାରି ଭିତରେ ବିଏମସିର ରାଜସ୍ୱ ବଢାଇବାକୁ ବି ପଦକ୍ଷେପ ନେଇଛନ୍ତି । ସୂଚନା ଅନୁସାରେ, ଓଲା ସହ ଯୋଗାଯୋଗରେ ଅଛନ୍ତି ମେୟର । ବର୍ଷା ହେଲେ ଲୋକଙ୍କୁ ସେବା ଦେବ ଓଲା । ଫଳରେ ଓଲାର ବ୍ରାଣ୍ଡିଂ ହେବ ୧ ନମ୍ବର ସ୍ମାର୍ଟସିଟିରେ ଆଉ ଏଥିପାଇଁ ବିଏମସିର ଦି ପଇସା ରୋଜଗାର ମଧ୍ୟ ହେବ । କେତେ ବୁଦ୍ଧି କହିଲ । ଖାଲି ଟାରେ ମିଡିଆ ବାଲା ସକାଳୁ ସନ୍ଧ୍ୟା ନିନ୍ଦୁଛନ୍ତି । ଏତେ କଥା କେବେ କିଏ ଚିନ୍ତା କରିଥିଲେ କି?
ଦୁଇ ଦୁଇ ଥର ମେୟର ଅନନ୍ତ ନାରାୟଣ ଜେନା । ଯେଉଁ ଜାଗାରେ ଆଖି ପକାଇବେ ସେଠି ଜବରଦଖଲ । ଡ୍ରେନକୁ କବଜା କରିବା ହେଉ ଅବା କେନାଲ ସଫା ନହେବା ହେଉ । ଏମିତି ଅନେକ ସଫଳତା ରହିଛି ବୁନୁ ବାବୁଙ୍କ ଖାତାରେ । ଏଥିପାଇଁ ହୁଏତ ଅନ୍ୟ ବିଭାଗକୁ ଦାୟୀ କରିବାରେ ମେୟର ଆଜ୍ଞା ଓସ୍ତାଦ । ଏମିତିରେ ଭୁବନେଶ୍ୱର ୧ ନମ୍ବର ସ୍ମାର୍ଟସିଟି ଆଉ ଏହାର ମେୟର ବିଶ୍ୱର ଶ୍ରେଷ୍ଠ ମେୟର । ତେଣୁ ଅନନ୍ତ ବାବୁଙ୍କୁ ଅଭିନନ୍ଦନ ଜଣାଇବା ହିଁ ସାର । ବୁନୁ ବାବୁ ଆଗକୁ ବିଧାୟକ ହୁଅନ୍ତୁ, ମନ୍ତ୍ରୀ ହୁଅନ୍ତୁ ରାଜନୀତିରେ ସଫଳତା ପାଆନ୍ତୁ ଆଉ ଭୁବନେଶ୍ୱରର ଚାରିଆଡେ ପାଣି ଜମେଇ ରଖିବାର ବ୍ୟବସ୍ଥା କରନ୍ତୁ, ଏତିକି ପ୍ରାର୍ଥନା ।
ବି. ଦ୍ର : ଉପରୋକ୍ତ ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ୨୦୧୯ ନିର୍ବାଚନ ପୂର୍ବରୁ ରାଜନୀତି ଜୋର ହେଉଥିବାରୁ ଆପଣଙ୍କୁ ଭିନ୍ନ ଢଙ୍ଗରେ କିଛି ସମୟ ଖୁସି କରିବାକୁ ଏହି ଲେଖା ଉଦ୍ଦିଷ୍ଟ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ । ପଢନ୍ତୁ ଆଉ ମଜା ନିଅନ୍ତୁ ।
ବି. ଦ୍ର : ଆପଣ ମଧ୍ୟ ଏଭଳି ଚିନ୍ତାଧାରାରେ ଲେଖା ଆମ ପାଖକୁ ପଠାଇବାକୁ ଚାହାନ୍ତି ତେବେ ହ୍ୱାଟସଆପ ନମ୍ବରକୁ ପଠାଇପାରିବେ । ଆମ ନମ୍ବର - ୯୧୭୮୪୬୭୦୦୫
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/07/MAYOR.jpg)
/kanak/media/post_attachments/wp-content/uploads/2018/07/Screen-shot-2018-07-16-at-12.00.10-PM.jpg)
/kanak/media/post_attachments/wp-content/uploads/2018/07/Screen-Shot-2015-11-17-at-3.39.13-PM-1024x552.jpg)