ଅର୍ନ୍ତରାଷ୍ଟ୍ରୀୟ ବାଳିକା ଦିବସରେ ନିଜ ଝିଅ ପାଇଁ ବାଛନ୍ତୁ ସର୍ବୋତ୍ତମ ନିବେଶ ଯୋଜନା, ଜାଣନ୍ତୁ କେମିତି କରିବେ ନିବେଶ

240

କନକ ବ୍ୟୁରୋ : ଆଜି ଅର୍ନ୍ତରାଷ୍ଟ୍ରୀୟ ବାଳିକା ଦିବସ । ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖକୁ ଅର୍ନ୍ତରାଷ୍ଟ୍ରୀୟ ବାଳିକା ଦିବସ ଭାବେ ପାଳନ କରାଯାଏ । ଏହି ଦିନ ବାଳିକାମାନଙ୍କର ଅଧିକାର, ସୁରକ୍ଷା ଓ ଶିକ୍ଷାର ମହତ୍ୱ ପ୍ରତି ସଚେତନତା ନେଇ ଏହି ଦିବସ ପାଳନ କରାଯାଇଥାଏ । ହେଲେ ଆର୍ଥିକ ସମୃଦ୍ଧି ପିଲାମାନଙ୍କ ଭବିଷ୍ୟତ ପାଇଁ ବଡ ଆଧାର ହୋଇଥାଏ ।

ସଚେତନତା ସହ ପିଲାମାନଙ୍କୁ ଆର୍ଥିକ ଭାବେ ଶକ୍ତିଶାଳୀ କରିବାକୁ ଯୋଜନା କରିବା ଦ୍ୱାରା ପିଲାଙ୍କ ଭବିଷ୍ୟତ ଉଜ୍ୱଳ ହୋଇଥାଏ । କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ସମେତ ସମସ୍ତ ବ୍ୟାଙ୍କ ବାଳିକା ମାନଙ୍କ ପାଇଁ ଭିନ୍ନ ଭିନ୍ନ ଯୋଜନା ପ୍ରସ୍ତୁତ କରିଥାନ୍ତି । ଯେଉଁଥିରେ କି ଆପଣ ନିବେଶ କରି ଝିଅର ଶିକ୍ଷା ଠାରୁ ବ୍ୟବସାୟ ଓ ବାହାଘର ପର୍ଯ୍ୟନ୍ତ  ଟଙ୍କା ଏକତ୍ରିତ କରିପାରିବେ । ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କ ଝିଅ ପାଇଁ କୌଣସି ନିବେଶ ଯୋଜନା କରିନାହାଁନ୍ତି ତେବେ ତୁରନ୍ତ ଆପଣଙ୍କ ରୋଜଗାର ମୁତାବକ କୌଣସି ଯୋଜନାରେ ନିବେଶ କରିବା ଆରମ୍ଭ କରିଦିଅନ୍ତୁ । ନିଶ୍ଚିନ୍ତ ରୁହନ୍ତୁ ଯେ ଏହା ନିଶ୍ଚିତ ଭାବେ ଆପଣଙ୍କ ଝିଅ ପାଇଁ ଉପହାର ହୋଇ ଫେରିବ ।

ସୁକନ୍ୟା ସମୃଦ୍ଧି ଯୋଜନା : କେନ୍ଦ୍ର ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା ଏକ ଛୋଟ ନିବେଶ ଯୋଜନା ଅଟେ । କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ, ବେଟି ପଢାଓ’ ଅଭିଯାନ କ୍ରମରେ ଏହି ଯୋଜନାକୁ ସାମିଲ କରାଯାଇଛି । ଏହି ଯୋଜନାରେ ଝିଅର ବାପା, ମା କିମ୍ବା ଆଇନଗତ ଅବିଭାବକ ଝିଅ ପାଇଁ ବ୍ୟାଙ୍କ କିମ୍ବା ଡାକଘରେ ଅର୍ଥ ଜମା କରିପାରିବେ । ଏହି ଯୋଜନାରେ ଖାତା ଖୋଲିବା ପାଇଁ ଝିଅର ସର୍ବନିମ୍ନ ବୟସ ୧୦ ବର୍ଷରୁ କମ ହୋଇଥିବା ଆବଶ୍ୟକ । ଜଣେ ଅବିଭାବକ କେବଳ ନିଜର ୨ ଜଣ ଝିଅଙ୍କ ନାମରେ ଏହି ଖାତା ଖୋଲିପାରିବେ ।

କନ୍ୟାଦାନ ପଲିସି : ଏହି ନାମରୁ ଜଣାପଡୁଛି ଏହା ଭାରତୀୟ ଜୀବନ ବୀମା ନିଗମ ବାଳିକା ମାନଙ୍କର ବିବାହ ପାଇଁ ପ୍ରସ୍ତୁତ କରିଛି । ଆମର ଏଠି ଘରେ ଝିଅଟିଏ ଜନ୍ମ ହେଲେ ଆରମ୍ଭରୁ ତାର ବାହାଘର ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥାଏ । ଲୋକମାନେ ନିଜ ନିଜର ରୋଜଗାର ମୁତାବକ ଝିଅର ବାହାଘର ପାଇଁ ଅର୍ଥ ସଂଚୟ କରିଥାନ୍ତି । ଝିଅ ବାହାଘର ବେଳେ ଯେଭଳି ଅର୍ଥ ବାଧକ ନସାଜେ ସେଥିପାଇଁ ଏଲଆଇସି କନ୍ୟାଦାନ ପଲିସି ଆଣିଛି । ଆପଣ ଏହି ପଲିସିରେ ଟଙ୍କା ବିନିଯୋଗ କରିବା ପରେ ଝିଅ ବାହାଘର ଚିନ୍ତାରୁ ମୁକ୍ତି ପାଇବେ । ଏଲଆଇସିର ଏହି ପିଲିସିରେ ଆପଣଙ୍କୁ ପ୍ରତିମାସ ପାଖା ପାଖି ୩୬୦୦ ଟଙ୍କା ପ୍ରିମିୟମ ଦେବାକୁ ହେବ । ଏହି ପଲିସି ୨୫ ବର୍ଷ ପରେ ମାଚ୍ୟୁରିଟି ହୋଇଥାଏ । ବୀମା ବୋନସ ହିସାବରେ ୨୫ ବର୍ଷ ପରେ ଆପଣଙ୍କୁ ପାଖା ପାଖି ୨୫ ଲକ୍ଷ ଟଙ୍କା ମିଳିବ ।

ଏହି ପିଲିସର ସ୍ୱତନ୍ତ୍ରତା ହେଉଛି ଯଦି ପଲିସି ଆରମ୍ଭ କରିବା ପରେ ପ୍ରିମିୟମ ଦେଉଥିବା ଲୋକର ଦୁର୍ଘଟଣାରେ ମୃତ୍ୟୁ ହୋଇଥାଏ ତେବେ ପରିବାରକୁ ୧୦ ଲକ୍ଷ ଟଙ୍କାର ବୀମା ରାଶି ମିଳିବ । ଯଦି ସାଧାରଣ ମୃତ୍ୟୁ ହୁଏ ତେବେ ପରିବାରକୁ ୫ ଲକ୍ଷ ଟଙ୍କାର ବୀମା ରାଶି ମିଳିବ । କେବଳ ସେତିକି ନୁହେଁ ପରିବାରକୁ ପଲିସି ମାଚ୍ୟୁରିଟି ହେବା ପର୍ଯ୍ୟନ୍ତ ପ୍ରତିବର୍ଷ ୫୦ ହଜାର ଟଙ୍କା ମିଳିବ । ୨୫ ବର୍ଷ ପରେ ବୀମା ରାଶିର ସମ୍ପୂର୍ଣ୍ଣ ଅର୍ଥ ପଲିସି ନୋମିନୀଙ୍କୁ ମିଳିବ । ଏହି ପିଲିସି ୨୫ ବର୍ଷ ପାଇଁ ହୋଇଥିବା ବେଳେ ପ୍ରିମିୟମ ଦେୟର ଅବଧି ୨୨ ବର୍ଷ ରହିଛି ।

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ : ଆପଣ ନିଜ ଝିଅ ପାଇଁ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡରେ ନିବେଶ କରିବା ବି ଏକ ଭଲ ଯୋଜନା । ଯଦି ଆପଣ ଝିଅ ଜନ୍ମ ହେବା ପରେ ପିପିଏଫରେ ନିବେଶ କରିବା ଆରମ୍ଭ କରିବେ ତେବେ ୧୫ ବର୍ଷରେ ଆପଣଙ୍କୁ ଚକ୍ରବର୍ତ୍ତୀ ସୁଧ ହାରରେ ଜମାରାଶି ମିଳିବ । ପିପିଏଫ ନିବେଶ ଉପରେ ଆୟକର ଅଧିନିୟମ ଧାରା ୮୦ (ସି) କ୍ରମରେ ଆପଣ ଆୟକର ଛାଡ ବି ପାଇପାରିବେ । ଏହି ଯୋଜନାରେ ଆପଣ ବର୍ଷକୁ ୫୦୦ ଟଙ୍କାରୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିପାରିବେ ।