ସରକାରୀ ଚାକିରି କରିବାରୁ ଗାଁରୁ ବାସନ୍ଦ ହେଲେ ମହିଳାଙ୍କ ପରିବାର । ଭିଡିଓ ଭାଇରାଲ ପରେ ସାମ୍ନାକୁ ଆସିଲା ଘଟଣା, ପୋଲିସ ଓ ଜିଲ୍ଲା ପ୍ରଶାସନର ତନାଘନା ।

542

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅର୍ନ୍ତଗତ ବଡ଼ଖଣ୍ଡି ଗ୍ରାମରୁ ଏପରି ଭିଡିଓ ଭାଇରାଲ ହୋଇଛି, ଯାହା ସମାଜର ଏକ ସାଂଘାତିକ ଚିତ୍ରକୁ ଦର୍ଶାଉଛି । ଗୋଟିଏ ଭିଡିଓରେ ଏକ ପରିବାରକୁ ଗାଁ ବାସନ୍ଦ ପାଇଁ ପ୍ରଚାର କରାଯାଉଛି । ଅନ୍ୟ ଭିଡିଓରେ ବୃଦ୍ଧ ଦମ୍ପତି ଅଭିଯୋଗ କରିଛନ୍ତି, ତାଙ୍କର ଝିଅ ଚାକିରୀ କରିବାରୁ ସେମାନଙ୍କୁ ଗାଁରୁ ବାସନ୍ଦ କରାଯାଇଛି । ଏହି ଭିଡ଼ିଓ ଭାଇରାଲ ହେବା ପରେ ଗ୍ରାମରେ ତହସିଲଦାର, ବ୍ଳକ ଅଧ୍ୟକ୍ଷ ଓ ପୋଲିସ ପହଁଚି ଘଟଣାର ସତ୍ୟାସତ୍ୟ ପରଖିଛନ୍ତି । ସେପଟେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗ୍ରାମବାସୀ ।

ହିଂଜିଳି ଥାନା ଅଂଚଳର ବଡ଼ଖଣ୍ଡି ଗ୍ରାମର ନାଡ଼ି ଭଗବାନ ଓ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ଝିଅ ଚାକିରି ନଛାଡିବାରୁ ସେମାନଙ୍କୁ ବାସନ୍ଦ କରିଛନ୍ତି ଗାଁ ଲୋକ । ଅଭିଯୋଗ ଅନୁସାରେ, ଗତ ଜୁନ ମାସରେ ସରକାରୀ ଚାକିରି କରୁଥିବା ମମତା ନାଡ଼ି ଚାକିରୀ ଛାଡ଼ି ଶାଶୁ ଶଶୁରଙ୍କ ପାଖରେ ରହିବେ ବୋଲି ନିଷ୍ପତି ନେଇଥିଲେ ଗ୍ରାମବାସୀ । ଏହିି କଥାକୁ ମମତା ଗ୍ରହଣ ନକରିବାରୁ ତାଙ୍କ ପରିବାର ସହ ସଂପର୍କ କାଟିବାକୁ ନିଷ୍ପତି ନେଇଥିଲା ଗାଁ କମିଟି । ଏହାକୁ ନେଇ ହିଞ୍ଜିଳି ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା ।

ଆଉ ଏବେ ଏହି ଭିଡିଓ ଭାଇରାଲ ହେବା ପରେ ତନାଘନା ଆରମ୍ଭ ହୋଇଛି । ବଡ଼ଖଣ୍ଡି ଗାଁରେ ପହଁଚିଛନ୍ତି ତହସିଲଦାର, ବ୍ଳକ ଅଧ୍ୟକ୍ଷ ଓ ପୋଲିସ । ଗ୍ରାମରେ ଆଜି ପୁଣି ବୈଠକ ବସିଛି । ପୋଲିସ, ଜିଲ୍ଲା ପ୍ରଶାସନ, ଗ୍ରାମବାସୀ ଓ ମମତାଙ୍କ ଶଶୁର ଏହି ବୈଠକରେ ଉପସ୍ଥିତ ଥିଲେ । ଭାଇରାଲ ଭିଡିଓରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗାଁ ଲୋକ । ସେପଟେ ମମତା ଅଭିଯୋଗ କରିଛନ୍ତି ଯେ ବିବାହ ପରେ ତାଙ୍କ ସ୍ୱାମୀ ନିର୍ଯାତନା ଦେଇ ଆସୁଛନ୍ତି । ପାରିବାରିକ ଅଶାନ୍ତି ଭିତରେ ଗ୍ରାମବାସୀ କାହିଁକି ପଶୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।