ବିଏମସି –ଟାଟା ପାୱାରର ଗଣ୍ଡଗୋଳ । ଟାଟା ଚିଠି ଲେଖି ଟଙ୍କା ମାଗିଲା, ବ୍ରହ୍ମପୁର ମହାନଗର ନିଗମ ବକେୟା ୨୭ କୋଟି ମାଗିଲା

365

କନକ ବ୍ୟୁରୋ: ନୂଆ ମୋଡରେ ବିଏମସି–ଟାଟା ପାୱାର ଗଣ୍ଡଗୋଳ । ପୂର୍ବରୁ ବକେୟା ବିଲ ପୈଠ ପାଇଁ ଧମକ ଦେଉଥିଲା ବିଜୁଳି ବିତରଣ କମ୍ପାନୀ । ଏବେ ବ୍ରହ୍ମପୁର ମହାନଗର ନିଗମ ଟାଟା ପାୱାରକୁ ବକେୟା ବାବଦରେ ୨୭କୋଟି ଟଙ୍କା ମାଗିଛି । ଗତ କିଛି ଦିନ ପୂର୍ବରୁ ବିଦ୍ୟୁତ ବିଲ୍ ୭କୋଟି ଟଙ୍କା ପୈଠ ନକଲେ ମହାନଗର ନିଗମର ବିଦ୍ୟୁତ କାଟ କରିବ ବୋଲି ଟାଟା ପାୱାର ଏକ ଧମକପୂର୍ଣ୍ଣ ଚିଠି ଲେଖିଥିଲା । ଯାହାଦ୍ୱାରା ସହର ଅନ୍ଧାର ହୋଇଥାନ୍ତା ।

୧୬କୋଟି ଟଙ୍କା ବକେୟା ଥିବା ବେଳେ ୱାନ ଟାଇମ ସେଟେଲମେଣ୍ଟରେ ୭କୋଟି ୬୫ଲକ୍ଷ ଟଙ୍କା ଦେବା ପାଇଁ କଥା ହୋଇଥିଲା । କିନ୍ତୁ ଏହା ପୂର୍ବରୁ ଟାଟା ପାୱାର ଉପରେ ୨୭ କୋଟି ଟଙ୍କା ବାକିଥିବା ମହାନଗର ନିଗମ ଏକ ଚିଠି ଲେଖିଛି । ବ୍ରହ୍ମପୁର ମହାନଗର ନିଗମରେ ଟାଟା ପାୱାରର ୧୩ ହଜାର ବିଦ୍ୟୁତ ଖୁଣ୍ଟ ରହିଥିବା ବେଳେ, ଏହାର ଭଡା ଗୋଟିଏ ଖୁଣ୍ଟ ପ୍ରତି ୨ଶହ ଟଙ୍କା ରହିଛି । ସେହିଭଳି ୨୨୦ଟି ଟ୍ରାନ୍ସଫର୍ମର ମଧ୍ୟ ରହିଛି ଏହାର ଭଡ଼ା ମଧ୍ୟ ଗୋଟିଏ ଟ୍ରାନ୍ସଫର୍ମର ପ୍ରତି ମାସିକ ୧୦ ହଜାର ଟଙ୍କା ଟାଟା ପାୱାର ମହାନଗର ନିଗମକୁ ଦେବା କଥା । କାରଣ ମହାନଗର ନିଗମର ଜାଗାରେ ଏହିସବୁ ରହିଛି । କିନ୍ତୁ ୨୦୧୪ ମସିହା ଠାରୁ ଆଜି ପର୍ଯ୍ୟନ୍ତ କିଛି ଟଙ୍କା ପୈଠ କରି ନାହିଁ ଟାଟା ପାୱାର । ଫଳରେ ଏପର୍ଯ୍ୟନ୍ତ ବାକି ରହିଛି ପ୍ରାୟ ୨୭ କୋଟି ଟଙ୍କା ।

ଏନେଇ ବିଏମସି ମଧ୍ୟ ୨୦୨୦ ମସିହା ଫେବୃଆରୀ ମାସରେ ଏକ ଚିଠି ଦେଇଥିଲା କିନ୍ତୁ ଏବେ ବି କିଛି ଟଙ୍କା ପୈଠ କରି ନାହିଁ ଟାଟା । ଏହି ୨ ବିଭାଗରେ କାଗଜ କଲମରେ ଟଙ୍କା ନେଣ ଦେଣ ପକ୍ରିୟା ଚାଲିଥିବା ବେଳେ ଏବେ ସାଧାରଣ ଲୋକ ଚିନ୍ତାରେ । କାରଣ ସାଧାରଣ ଲୋକ ବିଦ୍ୟୁତ୍ ବିଭାଗକୁ ବିଦ୍ୟୁତ ସେବା ପାଇଁ ବିଲ ପୈଠ କରୂୁଥିବା ବେଳେ ମହାନଗର ନିଗମକୁ ମଧ୍ୟ ଟିକସ ପଇଠ କରୁଛନ୍ତି ।