କନକ ବ୍ୟୁରୋ : ବିଷ ବଳୟକୁ ଟାଣି ହୋଇଯାଉଛି ମଣିଷ । ସରକାରୀ କଟକଣା ଓ ସଚେତନତା ଏଠି କାମରେ ଆସୁନି । ସରକାରଙ୍କ ନିୟମ ପରେ ବି ପଲିଥିନ ବ୍ୟବହାର ହେଉଛି । ଜନସାଧାରଣଙ୍କ ଉପରେ ସରକାରଙ୍କ କଟକଣାର ପ୍ରଭାବ ଶୂନ୍ୟ । ଆଉ ସବୁ ସ୍ଥାନରେ କୁଢ କୁଢ ଅବର୍ଜନାରେ ପଡିଛି ପଲିଥିନ । ଯାହାପାଇଁ ବ୍ରହ୍ମପୁର ସହରର ପରିବେଶ ଏବେ ଅସ୍ୱାସ୍ଥ୍ୟକର ହୋଇପଡିଛି । ମାଟିରେ ପଲିଥିନ ମିଶିପାରେନି । ସବୁଠି ପଡିବା ଦ୍ୱାରା ନିରୀହ ପଶୁମାନେ ଖାଦ୍ୟ ଅନ୍ୱେଷଣରେ ସେଗୁଡିକୁ ଖାଇ ସଂକ୍ରମିତ ହେଉଛନ୍ତି । ବାରମ୍ବାର ଲୋକଙ୍କୁ ଏନେଇ ସଚେତନ କରାଗଲେ ବି ନା ଲୋକେ ସଚେତନ ହେଉଛନ୍ତି ନା ସରକାର କୌଣସି କଡା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ପରିବେଶ ଦିନକୁ ଦିନ ଅସ୍ୱାସ୍ଥ୍ୟକର ହେବାରେ ଲାଗିଛି ।
ସୁସ୍ଥ ପରିବେଶ ଗଠନ ଓ ପଶୁପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୫ ବର୍ଷ ତଳେ ପଲିଥିନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯିବା ସହ ଖୁଚୁରା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ହେଲେ ଅବସ୍ଥା ପୂର୍ବବତ୍ ରହିଛି । ଏବେ ପଲିଥିନ ପ୍ରସ୍ତୁତ କାରଖାନା ବନ୍ଦ କରିବାକୁ ଦାବି ହେଉଥିବା ବେଳେ ଖୁବଶୀଘ୍ର ପୁଣିଥରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମିଳିଛି ପ୍ରତିଶ୍ରୁତି ।
ପରିବେଶକୁ ବିଷାକ୍ତ କରୁଥିବା ପଲିଥିନ ମନୁଷ୍ୟ ଶରୀର ପାଇଁ ଅନେକ କ୍ଷତିକାରକ । ଏପରିକି ପରିବେଶକୁ ସମ୍ପୂର୍ଣ୍ଣ ଦୁଷିତ କରୁଥିବା ବେଳେ ଏବେ ପୁଣି ଥରେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗଯିବା ଜରୁରୀ ହୋଇପଡିଛି ।