କନକ ବ୍ୟୁରୋ: ଚିକିଟି ମଦ ମୃତ୍ୟୁକୁ ନେଇ ଆକ୍ସନ ମୋଡରେ ସରକାର। ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସଆଇଙ୍କୁ ବଦଳି କରାଯାଇଛି। ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତିଙ୍କୁ କୋରାପୁଟକୁ ବଦଳି କରାଯାଇଥିବା ବେଳେ ଏସଆଇ ପ୍ରସନ୍ନ କୁମାର ଜାଲିଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି। ଗତକାଲି ନିଲମ୍ବିତ ହୋଇଥିଲେ ବ୍ରହ୍ମପୁର ଅବକାରୀ ଅଧୀକ୍ଷକ।

ଚିକିଟି ମଦ ମୃତ୍ୟୁ ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ମଦ କାରବାର ମାମଲାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ। ଚୋରା ମଦ କାରବାରକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭାଗୀୟ ଅଧିକାରୀଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସମ୍ପର୍କରେ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ଅବକାରୀ କମିଶନର ନରସିଂହ ଭୋଳଙ୍କ ସହ ଆଲୋଚନା କରିବା ସହ ତଥ୍ୟ ମାଗିଛନ୍ତି ମନ୍ତ୍ରୀ। ରାଜ୍ୟର ସମସ୍ତ ଅଞ୍ଚଳରେ ଚୋରା ମଦ କାରବାର ରୋକିବାକୁ ଦୃଷ୍ଟି ଦେବା ସହିତ ବେଆଇନ ମଦ ଭାଟି ଓ ବିକ୍ରି ସ୍ଥାନରେ ଚଢ଼ାଉ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଚିକିଟି ଘଟଣାରେ ଅସୁସ୍ଥ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଚିକିତ୍ସା ସହାୟତା ଯୋଗାଇଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ତେବେ ଚିକିତ୍ସିତ ହେଉଥିବା ସମସ୍ତଙ୍କ ଅବସ୍ଥା ଭଲ ଥିବା ଜଣାପଡ଼ିଛି। ଘଟଣାରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କୁ ଗିରଫ କରାଯାଇଛି।