ସିଟି ବସଷ୍ଟାଣ୍ଡକୁ ନେଇ ମୁହାଁମୁହିଁ ବିଡିଏ ଏବଂ ଘରୋଇ ବସ୍ ମାଲିକ ସଂଘ । ବ୍ରହ୍ମପୁରରେ ଘରୋଇ ବସ୍ ଚଳାଚଳ ଠପ୍, ଆଜି ପୁରା ଗଂଜାମ ଜିଲ୍ଲାରେ ପଡିବ ପ୍ରଭାବ

276

କନକ ବ୍ୟୁରୋ : ବ୍ରହ୍ମପୁରରେ ଠପ୍ ହୋଇଯାଇଛି ବସ୍ ଚଳାଚଳ । ସିଟି ବସଷ୍ଟାଣ୍ଡ ବନ୍ଦକୁ ନେଇ ମୁହାଁମୁହିଁ ହୋଇଛି ଗଂଜାମ ଜିଲ୍ଲା ପ୍ରଶାସନ ଏବଂ ଘରୋଇ ବସ୍ ମାଲିକ ସଂଘ । ଆଜିବି ସାରା ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରହିବ ବୋଲି ନିଷ୍ପତି ନେଇଛି ବସ୍ ମାଲିକ ସଂଘ । ପ୍ରଶାସନର ନିର୍ଦ୍ଦେଶ ମୁତାବକ ହଳଦିଆ ପଦର ବସ୍ ଟର୍ମିନାଲରୁ ଗାଡି ଚଳାଚଳ ଆରମ୍ଭ କରିବା ବଦଳରେ ରାସ୍ତାରୁ ବସ୍ ଗୁଡିକ ସମ୍ପୂର୍ଣ୍ଣ ଓହରାଇ ନେଇଛନ୍ତି ମାଲିକ । ସେପଟେ ଘୋଷଣା ମୁତାବକ ପ୍ରଶାସନ ପକ୍ଷରୁ ସିଟି ବସଷ୍ଟାଣ୍ଡ ନବୀକରଣ କାମ ଆରମ୍ଭ ହୋଇଛି ।

ସାମ୍ବାଦିକ ସମ୍ମିଳନୀ କରି ବସ୍ ମାଲିକ ସଂଘ ଅଚଳାବସ୍ଥା ପାଇଁ ପ୍ରଶାସନ ଉପରେ ଦୋଷାରୋପ କରିଥିବା ବେଳେ ପ୍ରଶାସନ ପକ୍ଷରୁ ପାଲଟା ବସ୍ ମାଲିକ ସଂଘକୁ ଦାୟୀ କରାଯାଇଛି । ଏହାରି ଭିତରେ ଯାତ୍ରୀ କିନ୍ତୁ ହଇରାଣ ହେଉଛନ୍ତି । ଅଧିକ ସିଟି ବସ୍, ଓଏସଆରଟିସି ବସ୍ ଚଳାଇବା ସହ ଆବଶ୍ୟକ ହେଲେ ସ୍କୁଲ କଲେଜ୍ ବସ୍ ରିକ୍ୟୁଜିସନ କରାଯିବ ଏବଂ ଭୁବନେଶ୍ୱରରୁ ଅତିରିକ୍ତ ବସ୍ ଆଣି ସ୍ୱତନ୍ତ୍ର ରୁଟରେ ଚଲାଯିବ ବୋଲି ବିଡିଏ କହିଛି ।