ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଣ୍ଡରେ ଦୁର୍ଘଟଣାର ଦୋଷ ଲଦିଲା ସାଉଥକୋ । ତଦନ୍ତ ରିପୋର୍ଟ ଆଧାରରେ ହେବ କି କଡା କାର୍ଯ୍ୟାନୁଷ୍ଠାନ ? ଉଚ୍ଚସ୍ତରୀୟ ବୈଠକରେ ଚାଲିଛି ଆଲୋଚନା

214

କନକ ବ୍ୟୁରୋ: ବ୍ରହ୍ମପୁର ବସ ଦୁର୍ଘଟଣା ନେଇ ଆସିଲା ବଡ ଖବର । କନକ ନ୍ୟୁଜ୍ ହାତରେ ଲାଗିଲା ତଦନ୍ତର ପ୍ରାଥମିକ ରିପୋର୍ଟ । ଶକ୍ତି ବିଭାଗକୁ ରିପୋର୍ଟ ଦେଲା ସାଉଥକୋ । ତଦନ୍ତ ରିପୋର୍ଟ ଦାଖଲ ପରେ ଦୁର୍ଘଟଣା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟୀ କରିଛି ସାଉଥକୋ । ଦୁର୍ଘଟଣାର ସବୁ ଦୋଷ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରକୁ ଠେଲିଛି ସାଉଥକୋ । ଆଉ ଗ୍ରାମ୍ୟ ଉନ୍ନୟନ ବିଭାଗର ଭୁଲ ପାଇଁ ହିଁ ଏତେ ବଡ ଘଟଣା ଘଟିଥିବା ରିପୋର୍ଟରେ ଉଲ୍ଲେଖ କରି ଆରଡି ମୁଣ୍ଡରେ ସିଧାସଳଖ ଅଠା ବୋଳିଛି ସାଉଥକୋ ।

ତେବେ ୨୦୧୮ରେ ରାସ୍ତା କାମ ପାଇଁ ଗ୍ରାମ ଉନ୍ନୟନ ବିଭାଗ ୩ରୁ ୪ ଫୁଟ ଉଚ୍ଚ କରିଥିଲା । ଯାହା ଫଳରେ ଭୂମି ଠାରୁ ବିଦ୍ୟୁତ ତାରର ଦୂରତା କମିଯାଇଥିଲା । ଯେଉଁଥିପାଇଁ ବସ ବିଦ୍ୟୁତ ସଂଯୋଜରେ ଆସି ଏତେ ବଡ ଅଘଟଣ ହେଲା ବୋଲି ରିପୋର୍ଟରେ ଦର୍ଶାଇଛି ସାଉଥକୋ ।

ତେବେ ନିୟମ ଅନୁସାରେ ଭୂମି ଠାରୁ ୬.୧ ମିଟର ଉଚ୍ଚରେ ବିଦ୍ୟୁତ ତାର ଯିବା କଥା ମାତ୍ର ମେନ୍ଦ୍ରାଜପୁର ଜଙ୍କସନରେ ୩.୧୪ ମିଟର ଉଚ୍ଚରେ ୧୧ କେଭି ତାର ଯାଇଥିବାରୁ ଏଭଳି ଘଟଣା ଘଟିଛି । ଆଉ ଏଥିପାଇଁ ସମସ୍ତ ଦୋଷ ଶକ୍ତି ବିଭାଗ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରକୁ ଠେଲିଛି । ଆରଡି ବିଭାଗ ମାଟି ଉଚ୍ଚା କରିବାରୁ ହିଁ ଏମିତି ହୋଇଛି । ମାଟି ଉଚ୍ଚ କରିବା ପରେ ବିଦ୍ୟୁତ ବିଭାଗକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଜଣାଇ ନଥିଲା ତେଣୁ ଏତେ ବଡ କ୍ଷତି ହୋଇଥିବା ଜଣା ପଡିଛି ।

ବ୍ରହ୍ମପୁର ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ପରେ ତଦନ୍ତ ରିପୋର୍ଟ ମାଗିଥିଲା ଶକ୍ତି ବିଭାଗ । ରିପୋର୍ଟ ପରେ ଯାହାର ଦୋଷ ଥିବ ତା ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଥିଲେ । ତେବେ ଶକ୍ତି ବିଭାଗ ଆଗରେ ସାଉଥକୋ ଗ୍ରାମ୍ୟ ଉନ୍ନୟନକୁ ଦୋଷ ଠେଲିବା ପରେ ଏବେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାକୁ ଅପେକ୍ଷା ରହିଛି ।