ମେସ୍ ର ବଳକା ଖାଦ୍ୟକୁ ଡଷ୍ଟବିନ୍ ପରିବର୍ତ୍ତେ ଭୋକିଲା ପେଟକୁ ନେବା ପ୍ରୟାସରେ ୫ ସାଙ୍ଗ ! ଭୋକିଲାଙ୍କ ପାଇଁ ଅନ୍ନଦାତା ସାଜୁଛନ୍ତି ‘Waste Nought’ ଟିମ୍ ।

241

ଖାଦ୍ୟର ମହତ୍ତ୍ୱକୁ ବୁଝୁଥିବା ଲୋକ କେବେବି ଖାଦ୍ୟକୁ ଅନାଦର କରେନାହିଁ । ଆଜିର ସମୟରେ ଲୋକ ଦୁଇଓଳି ଦୁଇମୁଠା ଦାନା ପାଉନଥିବା ବେଳେ ହୋଟେଲ୍ ଏବଂ ଘରେ ଖାଦ୍ୟ ନଷ୍ଟ ହେଉଛି । କେବଳ ଖାଦ୍ୟ ଅଭାବରେ ହିଁ ୬୦ ପ୍ରତିଶତ ଲୋକ ସବୁଦିନ ପାଇଁ ଆଖି ବୁଜୁଛନ୍ତି । ଏଭଳି ସ୍ଥିତିରେ ଲୋକଙ୍କ କର୍ତ୍ତବ୍ୟ ରହୁଛି ଯେ ବଳକା ଖାଦ୍ୟକୁ ନଷ୍ଟ ନ କରି କିଭଳି ଆବଶ୍ୟକ ପଡୁଥିବା ଲୋକଙ୍କ ପାଖରେ ପହଁଚାଇବେ । କିନ୍ତୁ ସମୟ ଅଭାବରୁ ହେଉ କିମ୍ବା ବେଖାତିର୍ ଭାବ ଯୋଗୁଁ ପ୍ରତିଥର ଖାଦ୍ୟ ଭୋକିଲା ପେଟକୁ ଯିବା ପରିବର୍ତ୍ତେ ଡଷ୍ଟବିନ୍ ଡ଼ବାକୁ ଯାଉଛି ।

କିନ୍ତୁ ବାଙ୍ଗାଲୁରୁ ସହରରେ ରହୁଥିବା କିଛି ସାଙ୍ଗଙ୍କ ପ୍ରୟାସରେ ଖାଦ୍ୟ ଅପଚୟ ହେବା କମିବାରେ ଲାଗିଛି । ସିଦ୍ଧାର୍ଥ ସନ୍ତୋଷ , ନିଖିଲ୍ ଦୀପକ୍ , ବରୁଣ ଦୁରେ , ସୌରଭ୍ ସଂଞ୍ଜୀବ ଏବଂ କୁଶାଗ୍ର ସେଠୀ ଏହି ୫ ଜଣ ସାଙ୍ଗ ଦ ଅମାତ୍ରା ଏକାଡେମୀ ଦ୍ୱାଦଶ ଶ୍ରେଣୀର ଛାତ୍ର ଅଟନ୍ତି । ଛାତ୍ରମାନେ ଏହି ସମୟରେ ମୋବାଇଲ୍ ଏବଂ ଇଣ୍ଟରନେଟରେ ସମୟ ଅପଚୟ କରୁଥିବା ବେଳେ ଏହି ଛାତ୍ରମାନେ ପାଠପଢା ସହିତ ୮୦୦ କିଲୋଗ୍ରାମ୍ ଖାଦ୍ୟକୁ ଅପଚୟ ହେବାରୁ ବଂଚାଉଛନ୍ତି ।

ମେସ୍ ରେ ରହୁଥିବା ଏହି ୫ ସାଙ୍ଗ ପ୍ରତିଦିନ ମେସ୍ ରେ ରନ୍ଧା ଯାଉଥିବା ଖାଦ୍ୟକୁ ଅପଚୟ ହେବାର ଦେଖୁଥିଲେ । ଏତେ ପରିମାଣର ଖାଦ୍ୟ ଫୋପଡା ଯିବା ଆଦୌ ଗ୍ରହଣୀୟ ନଥିଲା । ତେଣୁ ଖାଦ୍ୟର ଅପଚୟକୁ ରୋକିବା ପାଇଁ ସେମାନେ ମେସ୍ ଇନଚାର୍ଜଙ୍କ ସହ ସର୍ବପ୍ରଥମେ ଏନେଇ କଥା ହେଲେ ଏବଂ ତାଙ୍କୁ ସ୍ୱୀକୃତି ମଧ୍ୟ ମିଳିଗଲା । ତେବେ ଖାଲିତ ଭୋକିଲାଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଉପାୟ କଲେ ହେବନି ଏଥିପାଇଁ ଖାଦ୍ୟ ପହଁଚାଇବା ମାଧ୍ୟମ ମଧ୍ୟ କରିବା ଦରକାର । ଯାତାୟାତର ସୁବିଧା ନଥିବା କାରଣରୁ ଆଖପାଖରେ ହିଁ ଭୋକିଲାଙ୍କୁ ଖାଦ୍ୟ ଦେବାକୁ ନିଷ୍ପତ୍ତି ନେଲେ । ଅନେକ ଏନଜିଓ ଏବଂ ଅନାଥଶ୍ରମରେ କଥାବାର୍ତ୍ତା କରିବା ପରେ ସେମାନେ ବାଙ୍ଗାଲୋରର ବତ୍ତରାହଲ୍ଲୀର ଶ୍ରୀ କୃଷ୍ଣାଶ୍ରୟ ଏଜୁକେସନ୍ ଟ୍ରଷ୍ଟ୍ ସହ କଥାବାର୍ତ୍ତା କଲେ । ଏହି ଅନାଥଶ୍ରମରେ ୫ ରୁ ୧୮ ବର୍ଷ ମଧ୍ୟରେ ୩୦ ପିଲା ରହୁଛନ୍ତି । ତେଣୁ ପ୍ରତିଦିନ ତ ସମ୍ଭବ ନୁହଁ ପ୍ରତ୍ୟେକ ରବିବାର ଏହି ସାଙ୍ଗମାନଙ୍କ ଟିମ୍ ‘Waste Nought’ ଏହି ପିଲାଙ୍କୁ ଖାଦ୍ୟ ଯୋଗାଉଛି । ବିରିୟାନୀ ଏବଂ ମିଠେଇ ଖାଇବା ପାଇଁ ଏବେ ପିଲାମାନେ ଚାତକ ପରି ଚାହୁଁଥିବା କଥା ଟ୍ରଷ୍ଟି କହିଛନ୍ତି । ଏନେଇ ଛାତ୍ରମାନେ କୁହନ୍ତି ଯେ ପିଲାମାନେ ଆମକୁ ଦେଖିଲା ପରେ ଯେଉଁ ପ୍ରତିକ୍ରିୟା ଦିଅନ୍ତି ତାକୁ ଦେଖି ଖୁବ୍ ଖୁସି ଲାଗେ ।