ଓମିକ୍ରନକୁ ନେଇ ଆସିଲା ଭୟଙ୍କର ଖବର, ଓମିକ୍ରନ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଡାକ୍ତର ପୁଣି କରୋନା ସଂକ୍ରମିତ

225

କନକ ବ୍ୟୁରୋ : ବେଙ୍ଗାଲୋରରେ କରୋନାର ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଜଣେ ଡାକ୍ତର ପୁଣି କରୋନା ସଂକ୍ରମିତ ହୋଇଛନ୍ତି । ଦେଶରେ ପ୍ରଥମ ଚିହ୍ନଟ ହୋଇଥିବା ୨ ଜଣଙ୍କ ମଧ୍ୟରୁ ଜଣେ ବେଙ୍ଗାଲୋରର ଡାକ୍ତର ଥିଲେ ।
ଗୁଜୁରାଟି ବଂଶୋଦ୍ଭବ ଆଫ୍ରିକା ନାଗରିକ ସଂକ୍ରମିତ ହେବା ପରେ ତାଙ୍କୁ କ୍ୱାରେଣ୍ଟିନରେ ରଖାଯାଇଥିଲା । ଏହାପରେ ସେ ପ୍ରଶାସନକୁ ନଜଣାଇ ପଳାଇ ଯାଇଥିଲେ । ସେପଟେ ବେଙ୍ଗାଲୋର ନଗରପାଳିକାର ଅଧିକାରୀ ଜଣଙ୍କ କହିଛନ୍ତି କି,ଯେଉଁ ଡାକ୍ତର ଜଣଙ୍କ ଓମିକ୍ରନ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ ଏବେ ସେ ପୁଣିଥରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଡାକ୍ତର ଜଣଙ୍କ ନାମ ଗୋପନ ରଖି ଅଧିକାରୀ ଜଣଙ୍କ କହିଛନ୍ତି କି ଏବେ ସେ ଆଇସୋଲେସନରେ ଅଛନ୍ତି ଓ ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ ।
ସେପଟେ ଫେରାର ହୋଇଯାଇଥିବା ଦକ୍ଷିଣ ଆଫ୍ରିକା ନାଗରିକଙ୍କ ଉପରେ ପୋଲିସ ମାମଲା ଦାୟର କରିଛି । ନାଗରିକ ଜଣଙ୍କ କ୍ୱାରେଣ୍ଟିନ ନିୟମ ଭାଙ୍ଗି ଦୁବାଇ ଫେରାର ହୋଇଯାଇଥିଲେ । ଏହାସହ ତାଙ୍କ ଯେଉଁ ପଞ୍ଚତାରକା ହୋଟେଲରେ କ୍ୱାରେଣ୍ଟିନ କରାଯାଇଥିଲା ସେହି ହୋଟେଲର ମ୍ୟାନେଜମେଣ୍ଟ ଓ ଷ୍ଟାଫଙ୍କ ଉପରେ ବି ମାମଲା ଦାଖଲ ହୋଇଛି ।