କରୋନା କାଳର ଦେବଦୂତ ଡାକ୍ତର ସୁନିଲ ହେବ୍ୱି । ଘର ଘର ଯାଇ କରୁଛନ୍ତି ରୋଗୀ ସେବା ।

96

କନକ ବ୍ୟୁରୋ: ବେଙ୍ଗାଲୁରୁର ମୋବାଇଲ ଡାକ୍ତର । ଡାକ୍ତର ନୁହଁନ୍ତି ତ ଲୋକଙ୍କ ପାଇଁ ଦେବଦୂତ । ଯାହାଙ୍କୁ ବେଙ୍ଗାଲୁରୁ ଓ ପାଖ ଅଞ୍ଚଳର ଲୋକେ ମୋବାଇଲ ଡାକ୍ତର ବୋଲି ଜାଣନ୍ତି । ସକାଳ ହେଲେ ବାହାରି ପଡନ୍ତି ଲୋକଙ୍କ ଚିକିତ୍ସା ପାଇଁ । ସକାଳ ୮ଟାରୁ ରାତି ୧୧ଟା ଯାଏଁ ତାଙ୍କ ଆଖିକୁ ନିଦ ନଥାଏ । ଏମିତି ଜଣେ ଭିନ୍ନ ଡାକ୍ତର ହେଉଛନ୍ତି ଡାକ୍ତର ସୁନିଲ କୁମାର ହେବ୍ୱି ।

ଆଜିକାଲିକା ସମାଜରେ ଡାକ୍ତରଙ୍କ ଦୌରାତ୍ମ୍ୟର ଅନେକ ଖବର ପ୍ରକାଶ ପାଉଛି । ଥରେ ଡାକ୍ତର ହେଇଗଲେ ଗୋଡ ତଳେ ଲାଗୁନି । ଟଙ୍କା ନଦେଲେ ରୋଗୀ ଦେଖିବାକୁ ନାରାଜ ଡାକ୍ତର । ପୁଣି ଦେଖା କରିବାକୁ ଡାକ୍ତରଙ୍କ କ୍ଲିନିକ୍ ଆଗରେ ରୋଗୀଙ୍କ ଲମ୍ବା ଲାଇନ୍ । ଏପରି ଅନେକ ଦୃଶ୍ୟ ଦେଖିବାକୁ ମିଳୁଥିବାବେଳେ ଏମିତି କିଛି ହାତ ଗଣତି ଡାକ୍ତର ଅଛନ୍ତି ଯେଉଁମାନେ ଡାକ୍ତର ରୂପରେ ଦେବଦୂତ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଡାକ୍ତର ସୁନିଲ ହେବ୍ୱି ।

ଏକ ନାମୀ ହସ୍ପିଟାଲରେ ଡାକ୍ତର ରୂପେ କାର୍ଯ୍ୟରତ ଥିଲେ ଡାକ୍ତର ସୁନିଲ ହେବ୍ୱ୍ି । କିନ୍ତୁ ଗୋଟିଏ ଘଟଣା ତାଙ୍କର ଜୀବନର ମୋଡ ବଦଳାଇଦେଲା । ୨୦୧୦ ମସିହାରେ ସେ ହସ୍ପିଟାଲ ଯାଉଥିବା ବାଟରେ ଜଣେ ବାଳକ ସ୍କୁଲ ଯାଉଥିବା ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତୁରନ୍ତ ତାଙ୍କ କାରରେ ଥିବା ଫାଷ୍ଟଏଡ୍ ସାହାଯ୍ୟରେ ପୁଅଟିର ଚିକିତ୍ସା କରିବା ସହ ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ । ଥରେ ସେ ଡ୍ୟୁଟିରେ ଥିବାବେଳେ ତାଙ୍କ ପାଖକୁ ଏକ ଫୋନ କଲ ଆସିଥିଲା ।ଫୋନରେ ଜଣେ ମହିଳା କାନ୍ଦି କାନ୍ଦି ତାଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କୁ ଘରକୁ ନିମନ୍ତ୍ରଣ କରିଥିଲେ । ତାଙ୍କ ଘରେ ଯାଇ ପହଞ୍ଚି ଯାହା ଦେଖିଲେ ସେଥିରେ ହୃଦୟ ତରଳିଯାଇଥିଲା । ପୁଅଟିର ମା’ ବାପା ତାଙ୍କୁ ଅନେକ ଆଶୀର୍ବାଦ କରିଥିଲେ । ଏହି ଘଟଣାଟି ତାଙ୍କୁ ନିଃସ୍ୱାର୍ଥପର ସେବା ପାଇଁ ପ୍ରେରିତ କରିଥିଲା ।

ସେହି ଦିନଠୁ ସେ ପ୍ରତିଜ୍ଞା କଲେ ଅର୍ଥାଭାବରୁ ହେଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ ହେଉ ମେଡିକାଲ ସୁବିଧାରୁ ବଞ୍ଚିତ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବେ । ପ୍ରଥମେ ପ୍ରଥମେ ଏଥିପାଇଁ ତାଙ୍କୁ ସମସ୍ୟା ହୋଇଥିଲା । କାରଣ ତାଙ୍କ ନିଜ ପରିବାରର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନଥିଲା । ଅତି ଦାରିଦ୍ର୍ୟ ଭିତରେ ପାଠ ପଢାଇ ତାଙ୍କୁ ମଣିଷ କରିଥିଲେ ବାପା, ମା’ । ତେଣୁ ଘରର ଅବସ୍ଥା ସୁଧୁରିବା ଯାଏଁ ଡ୍ୟୁଟି କରିବା ସହ ଲୋକଙ୍କ ପାଖରେ ଯାଇ ସେବା କରିବା ତାଙ୍କ ପାଇଁ ସହଜ ନଥିଲା । କିନ୍ତୁ ଡ୍ୟୁଟି କରିବା ସହ ଯେଉଁଦିନ ଛୁଟି ବା ଅପ୍ସନାଲ ଛୁଟି ରହୁଥିଲା ସେ ଦିନ ସେ ବିଭିନ୍ନ ସ୍ଥାନକୁ ଯାଇ ଫ୍ରି ମେଡିକାଲ କ୍ୟାମ୍ପ ଆୟୋଜନ କରିବା ସହ ମାଗଣାରେ ଲୋକଙ୍କୁ ଐଷଧ ବାଣ୍ଟୁଥିଲେ । ଯେତେବେଳେ ଘରର ଅବସ୍ଥା ସୁଧୁରିଲା ଆଉ ଅନ୍ୟ ଭାଇ ରୋଜଗାରକ୍ଷମ ହେଲା ଡାକ୍ତର ସୁନିଲ ଚାକିରି ଛାଡିଦେଲେ ଆଉ ନିଃଶୁଳ୍କ ରୋଗୀ ସେବାରେ ଲାଗି ପଡିଲେ ।

ଡାକ୍ତର ସୁନିଲଙ୍କ କାର ହିଁ ତାଙ୍କ ମୋବାଇଲ କ୍ଲିନିକ୍ । ଏହା ଭିତରେ ରହିଛି ଅନେକ କିଛି ସୁବିଧା । ବିଭିନ୍ନ ଆବଶ୍ୟକ ମେଡିସିନ୍ ସାଙ୍ଗକୁ, ବିପି ମେସିନ୍, ଅସ୍ତ୍ରୋପଚାର ଉପକରଣ ସାଙ୍ଗକୁ ଅକ୍ସିଜେନ୍ ସିଲିଣ୍ଡର, ଇସିଜି ମେସିନ ସବୁକିଛି ରହିଛି ତାଙ୍କ କାର ଭିତରେ । ତାଙ୍କର ଏହି ସେବା ବିଷୟରେ ଜାଣିବାକୁ ପାଇଥିଲେ ଆଖପାଖ ଲୋକେ । ଏବଂ ତାଙ୍କର ଏହି ମହାନୀୟ କାମରେ ଯୋଗଦେଲେ କିଛି ବୁଦ୍ଧିଜୀବୀ । ନିଜ ସମୟ ସହ ଆର୍ଥିକ ସହଯୋଗ ମଧ୍ୟ କରିବାକୁ ଆରମ୍ଭ କଲେ । ଏବେ ଡାକ୍ତର ସୁନିଲଙ୍କର ରହିଛି ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ଯାହା ୨୪ ଘଣ୍ଟା ଲୋକଙ୍କ ସେବାରେ ।

ପରିସ୍ଥିତି ଯାହା ହେଉନା କାହିଁକି ଡାକ୍ତର ସୁନିଲଙ୍କ ଫୋନ କିନ୍ତୁ କେବେ ସ୍ୱିଚ ଅଫ୍ ହୁଏନା । ଯେତେବେଳେ ଯିଏ ଫୋନ କଲେ ତୁରନ୍ତ ତାଙ୍କ ସେବାରେ ପହଞ୍ଚିଯାନ୍ତି ଡାକ୍ତର ସୁନିଲ ହେବ୍ୱି ।ଏଯାଏଁ ସେ ୮୦୦ର ଅଧିକ ମେଡିକାଲ କ୍ୟାମ୍ପ ଆୟୋଜିତ କରିସାରିଲେଣି । ଦୈନିକ ସେ ୧୦୦ରୁ ୧୫୦ ରୋଗୀଙ୍କ ଚିିକିତ୍ସା କରିଥାନ୍ତି । ତାଙ୍କର ସେବା ପାଇଁ ସେ କେବେ କାହାଠାରୁ କିଛି ଆଶା କରିନାହାଁନ୍ତି । ତଥାପି ତାଙ୍କୁ ମିଳିଛି ଅନେକ ଶୁଭେଚ୍ଛା, ପ୍ରଶଂସା ଓ ସମ୍ମାନ । ସେବା କ୍ଷେତ୍ରରେ ତାଙ୍କର କୃତିକୁ ଯୁଗାନ୍ତକାରୀ ବୋଲି କହିଛନ୍ତି ବୁଦ୍ଧିଜୀବୀ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ।

ମାନବ ସେବା ହିଁ ମାଧବ ସେବା । ଏହି ବ୍ରତରେ ବ୍ରତୀ ଡାକ୍ତର ସୁନିଲ ହେବ୍ୱିଙ୍କୁ ରୋଗୀ ସେବାରୁ ରୋକି ପାରିନି କୌଣସି ଜଟିଳ ପରିସ୍ଥିତି । ୨୦୨୧ରେ କରୋନାରେ ନିଜ ଭାଇକୁ ହରାଇବା ପରେ କିିଛି ଦିନ ସିଥିଳ ହୋଇଯାଇଥିଲେ ବି ପୁଣି ସେବା ପଥରେ ଏକ ଅବିରତ ଯୋଦ୍ଧା ହୋଇ ପୁଣି ଉଭା ହୋଇଛନ୍ତି ଡାକ୍ତର ସୁନିଲ ହେବ୍ୱି ।