ଗୋଆ ହତ୍ୟା ମାମଲାରେ ଅଭିଯୁକ୍ତକୁ ନେଇ ସିନରିକ୍ରିଏଟ କଲା ପୁଲିସ । ଜେରା ସମୟରେ ସତ ଉଗାରୁଛି ଅଭିଯୁକ୍ତ ସୂଚନା ସେଠ୍

2,589

କନକ ବ୍ୟୁରୋ : ଯେଉଁ ହୋଟେଲରେ ୪ ବର୍ଷ ପୁଅକୁ ହତ୍ୟା କରିଥିଲେ ସୂଚନା, ସେହି ହୋଟେଲକୁ ସୂଚନାଙ୍କୁ ନେଇ ସିନ୍ ରିକ୍ରିଏସନ୍ କରିଛି ଗୋଆ ପୋଲିସ । ଶୁକ୍ରବାର ପୋଲିସ ସୂଚନାଙ୍କୁ ହୋଟେଲର ସେହି ରୁମକୁ ନେଇ ଯାଇଥିଲା, ଯେଉଁଠି ସେ ନିଜ ୪ ବର୍ଷର ନୀରିହ ପୁଅକୁ କରିଥିଲେ ହତ୍ୟା । ପ୍ରାୟ ଦୁଇ ଘଂଟା ଧରି ପୋଲିସକୁ ସୂଚନା ସେଦିନର ଘଟଣାକ୍ରମ ବିଷୟରେ କହିଥିଲେ ।

ସିନ୍ ରିକ୍ରିଏସନରେ ହତ୍ୟାକାଣ୍ଡ
– ହୋଟେଲରେ କେଉଁଠି ଶୋଇଥିଲା ପୁଅ?
– କେଉଁଠି ଥିଲା ଲାଲ ସୁଟକେସ୍?
– କେମିତି ସୁଟ୍କେସ୍ରେ ଭରିଥିଲେ ପୁଅର ମୃତଦେହ?
– ସିନ୍ ରିକ୍ରିଏସନ୍ବେଳେ ସେଦିନ ଘଟଣା ବଖାଣିଛନ୍ତି ସୂଚନା
– ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ କରିଥିଲେ ଚେଷ୍ଟା
– ଛୁରୀରେ ହାତ ବି କାଟିଥିଲେ ସୂଚନା

ସେପଟେ ଶନିବାର ସୂଚନାଙ୍କ ସ୍ୱାମୀ ଭେଙ୍କଟ ରମନ ପୋଲିସ ଷ୍ଟେସନ୍ରେ ପହଁଚି ନିଜ ବୟାନ ରେକର୍ଡ କରିଛନ୍ତି । ପୁଅର ହତ୍ୟା ସମୟରେ ସେ ଇଣ୍ଡୋନେସିଆରେ ଥିଲେ । ଖବର ପାଇଁ ୯ ଜାନୁଆରୀରେ ବେଙ୍ଗାଲୁରୁ ଫେରିଥିଲେ । ୧୦ ଜାନୁଆରୀରେ ପୁଅର ଅନ୍ତିମ ସକ୍ରାର କରିଥିଲେ ଭେଙ୍କଟ ରମନ୍ । ଭେଙ୍କଟ ଓ ସୂଚନାଙ୍କ ଭିତରେ ବିବାହ ବିଚ୍ଛେଦ ମାମଲା ଏବେ ବିଚାରଧୀନ ରହିଛି । ହେଲେ ଦୁହେଁ ଅଲଗା ରହୁଛନ୍ତି । ଆଉ ପୁଅର କଷ୍ଟଡି ନିଜ ସ୍ୱାମୀଙ୍କୁ ଦେବାକୁ ଚାହୁଁ ନଥିଲେ ସୂଚନା । ଲାଲ ବ୍ୟାଗ୍ରୁ ମିଳିଥିବା ଏକ ଚିରା ନୋଟ୍ରୁ ସୂଚନାଙ୍କ ଏହି ମନୋଭାବ ବିଷୟରେ ଜଣାପଡିଛି । ଏକ ଟିସୁ ପେପର୍ରେ ଆଇଲାଇନର ଅବା କାଜଲରେ ସୂଚନା ଲେଖିଥିଲେ – କୋର୍ଟଙ୍କ ନର୍ଦ୍ଦେଶରେ ସନ୍ତୁଷ୍ଟ ନୁହେଁ । ମୋ ପୁଅର କଷ୍ଟଡି ପାଇଁ କୋର୍ଟ ଏବଂ ମୋ ସ୍ୱାମୀ ମୋ ଉପରେ ଚାପ ପକାଉଛନ୍ତି । ମୋ ସ୍ୱାମୀ ବହୁତ ହିଂସ୍ର । ମୁଁ ତାଙ୍କୁ ଗୋଟିଏ ଦିନ ପାଇଁ ବି ମୋ ପିଲାକୁ ଦେଇ ପାରିବି ନାହିଁ । ପୋଲିସ ଅନୁମାନ କରୁଛି ଏହା ସୂଚନାଙ୍କ ସୁଇସାଇଡ୍ ନୋଟ୍ ହୋଇପାରେ ।

ଗତ ଜାନୁଆରୀ ୬ ତାରିଖରେ ପୁଅକୁ ସାଙ୍ଗରେ ନେଇ ଗୋଆ ଯାଇଥିଲେ ସୂଚନା ସେଠ୍ । ସେଠାରେ ସେ ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଅକୁ ହତ୍ୟା କରିବା ପୂର୍ବରୁ ପ୍ରଥମେ କଫ୍ସିରପର ଏକ ପୁରା ବଟଲ ପିଆଇ ଦେଇଥିଲେ ସୂଚନା । ଏହାପରେ ତକିଆ ଅବା ତୌଲିଆରେ ଚାପି ପୁଅକୁ ହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରିଛି । ପୋଷ୍ଟମର୍ଟମ ରିପୋର୍ଟରେ ବି ଶ୍ୱାସରୁଦ୍ଧ ହୋଇ ୪ ବର୍ଷ ଶିଶୁର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଏହାପରେ ପୁଅକୁ ସୁଟକେସ୍ରେ ପୁରାଇ ଏକ ଟାକ୍ସି ଜରିଆରେ ବେଙ୍ଗାଲୁରୁ ଫେରୁଥିଲେ ସୂଚନା । ହୋଟେଲ କର୍ମଚାରୀଙ୍କ ଅଭିଯୋଗ ପରେ ସୂଚନାଙ୍କୁ ଗିରଫ କରିଥିଲା ପୋଲିସ । ହତ୍ୟାକାଣ୍ଡକୁ ନେଇ ସବୁ ପ୍ରମାଣ ଏକାଠି କରିବାରେ ଲାଗିଛି ପୋଲିସ ।

କାହିଁକି ୪ବର୍ଷ ପୁଅକୁ ହତ୍ୟା କଲେ ସୂଚନା?
ପୋଲିସ ହାତରେ ପ୍ରମାଣ!
– ଛୁରୀ, ଲାଲ ବ୍ୟାଗ୍, ତୌଲିଆ ଏବଂ ତକିଆ
– ସୂଚନାଙ୍କ କଲ ରେକର୍ଡ ଯାଂଚ କରୁଛି ପୋଲିସ
– କାହା ସହ କଥା ହୋଇଥିଲେ, ତଥ୍ୟ ସଂଗ୍ରହ କରୁଛି ପୋଲିସ
– ଟ୍ୟାକ୍ସି ଡ୍ରାଇଭରକୁ ବି କରାଯାଇଛି ତଦନ୍ତ ଭୁକ୍ତ

ମାଆ ଟିଏ ନିଜ କଅଁଳା ଶିଶୁକୁ ହତ୍ୟା କରିବା ଘଟଣା ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଅନେକ । ବୁଦ୍ଧିଜୀବୀମାନେ କହୁଛନ୍ତି ଜଣେ ସୁସ୍ଥ ମସ୍ତିଷ୍କ ମାଆ ଟିଏ କେବେ ହେଲେ ନିଜ ପୁଅକୁ ହତ୍ୟା କରିବ ନାହଁ । ବୋଧ ହୁଏ ଛାଡପତ୍ରର ଚାପ ନେଇ ମାନସିକ ଚାପଗ୍ରସ୍ତ ଥିଲେ ସୂଚନା । ଜଣାପଡିଛି ସୂଚନାଙ୍କ ସ୍ୱାମୀ ଭେଙ୍କଟ ରମଣ ଏକ ବଡ କମ୍ପାନୀର ଉଚ୍ଚ ବେତନଧାରୀ କର୍ମଚାରୀ । ମାସିକ ୯ ଲକ୍ଷ ଟଙ୍କା ତାଙ୍କ ଦରମା । ଆଉ ସୂଚନା ଛାଡପତ୍ର ପରେ ଭରପୋଷଣ ପାଇଁ ସ୍ୱାମୀଙ୍କ ଠାରୁ ଅଢେଇ ଲକ୍ଷ ଟଙ୍କା ଦାବି କରୁଥିଲେ । ସେପଟେ ଭେଙ୍କଟ ପୁଅର କଷ୍ଟଡି ନିଜେ ନେବାକୁ ଚାହୁଁଥିଲେ । ଏହାରି ଭିତରେ ପୁଅକୁ କାହିଁକି ହତ୍ୟା କଲେ ସେ କଥା କିଛି ବି କହୁ ନାହାଁନ୍ତି ସୂଚନା ।