ରାମେଶ୍ୱରମ କାଫେ ବିସ୍ଫୋରଣରେ ଏନଆଇଏକୁ ବଡ ସଫଳତା । ବେଙ୍ଗାଲୁରୁରେ ବିସ୍ଫୋରଣ, କୋଲକାତାରୁ ମାଷ୍ଟରମାଇଣ୍ଡ ଗିରଫ

109

କନକ ବ୍ୟୁରୋ : ମାର୍ଚ୍ଚ ୧ ତାରିଖ । ବେଙ୍ଗାଲୁରୁ ସହରର ଜଣାଶୁଣା ରାମେଶ୍ୱରମ କାଫେ ଭିତରେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ଘଟଣାକୁ ଦେଢମାସ ପୂରିବା ପରେ ଏବେ ମାଷ୍ଟରମାଇଣ୍ଡ ଓ ଜଣେ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଲୁଚି ବୁଲୁଥିବା ଅଭିଯୁକ୍ତଙ୍କୁ କୋଲକାତାରୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ନାଁ ହୁସେନ ସାଜିବ ଓ ଅବଦୁଲ ମତୀନ ତାହାସା ।

‘କାଫେ ବିସ୍ଫୋରଣ’ର ମାଷ୍ଟରମାଇଣ୍ଡ ଗିରଫ!
-କୋଲକାତାରୁ ଗିରଫ ହେଲେ ଦୁଇ ଅଭିଯୁକ୍ତ
-ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ୭ରାଜ୍ୟକୁ ଟିମ ପଠାଯାଇଥିଲା
– ୧୮ ଠିକଣାରେ ରେଡ୍ କରିଥିଲା ଏନଆଇଏ
-ମାର୍ଚ୍ଚ ୨୬ରେ ଅଭିଯୁକ୍ତଙ୍କୁ ସାହାଯ୍ୟ କରିଥିବା ମୁଜାମିଲକୁ ଗିରଫ ହୋଇଥିଲା
-ମୁଜାମିଲକୁ ଜେରା ସମୟରେ ସେ ହୁସେନ ସାଜିବ ଓ ଅବଦୁଲର ନାଁ ପ୍ରକାଶ କରିଥିଲା
-ମୁସାବିର ହିଁ ବିସ୍ଫୋରକ ନେଇ କାଫେକୁ ଯାଇଥିଲା
-ଅବଦୁଲ ବିସ୍ଫୋରଣ ଯୋଜନା କରିଥିଲା
-ଉଭୟ ଅଭିଯୁକ୍ତ ଶିବମୋଗାର ବାସିନ୍ଦା ।
-ଏମାନଙ୍କୁ ଧରିବାକୁ ୧୦ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା

ବିସ୍ଫୋରଣ ଘଟଣା ଏକ ଗ୍ୟାସ ବିସ୍ଫୋରଣ ବୋଲି ପ୍ରଥମେ ଅନୁମାନ କରାଯାଉଥିଲେ ବି ପରେ ଆଇଇଡି ବିସ୍ଫୋରଣ ବୋଲି ପ୍ରମାଣ ମିଳିଥିଲା । ଏପରିକି କର୍ଣ୍ଣାଟକ ସରକାର ମଧ୍ୟ ଘଟଣା ପଛରେ ଆତଙ୍କୀ ସଂଗଠନ ଇସଲାମିକ ଷ୍ଟେଟର ହାତ ଥିବା ଆଶଙ୍କା ପ୍ରକାଶ କରିଥିଲେ । ପରେ ଜୋରଦାର ତନାଘନା କରିଥିଲା କର୍ଣ୍ଣାଟକ ପୁଲିସ, କ୍ରାଇମବ୍ରାଂଚ ଏନଆଇଏ । ସେପଟେ ବିସ୍ଫୋରଣ ପଛରେ ବିଜେପିକର୍ମୀ ସାଇ ପ୍ରସାଦର କନେକ୍ସନ ରହିଛି । ବିଜେପକର୍ମୀର ବୟାନ ଆଧାରରେ ବିଭିନ୍ନ ରାଜ୍ୟରେ ପହଁଚିଥିଲା ଏନଆଇଏ ଟିମ ।

ଘଟଣା ଦିନ ରାମେଶ୍ୱରମ୍ କାଫେରେ ପହଁଚି ଅଭିଯୁକ୍ତ ମୁସାବିଲ ଇଡଲି ଅର୍ଡର କରିଥିଲା । କାଉଁଟରରେ ଅର୍ଡର ଦେଇ ଟୋକନ୍ ନେଇଥିଲା । କାଫେ ଭିତରେ ବସି ଖାଇଥିଲା । ୧୧.୪୫ରେ ସାଙ୍ଗରେ ଆଣିଥିବା ବ୍ୟାଗ୍ ଡଷ୍ଟବିନ୍ ପାଖରେ ଛାଡିଥିଲା । କେହି ନ ଜାଣିବା ଭଳି କାଫେରୁ ବାହାରକୁ ଚାଲି ଯାଇଥିଲା ବ୍ୟାଗ୍ରେ କମ୍ ଶକ୍ତିଶାଳୀ ଆଇଇଡି ରଖିଥିଲା ଅଭିଯୁକ୍ତ ଜଣକ । ଆଉ ଖାଇବା ପରେ ଜାଣିଶୁଣି ନିଜ ବ୍ୟାଗ୍କୁ କାଫେରେ ଛାଡି ଚାଲି ଯାଇଥିଲା । କାଫେରୁ ବାହାରି ଏକ ଗଛ ପଛପଟେ ଲୁଚି ରହି ପୁରା ଘଟଣାକୁ ଦେଖୁଥିଲା ସନ୍ଦିଗ୍ଧ ଜଣକ । ଏହି ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିଲା ଆଉ ଏହି ଫୁଟେଜ ହିଁ ଅଭିଯୁକ୍ତଙ୍କ ନିକଟରେ ପହଁଚିବାକୁ ତଦନ୍ତକାରୀ ସଂସ୍ଥାକୁ ସାହାଯ୍ୟ କରିଥିଲା ।