କନକ ବ୍ୟୁରୋ : ଚଳିତବର୍ଷର ରଣଜୀ ଟ୍ରଫି ମ୍ୟାଚ୍ ପାଇଁ ପଶ୍ଚିମବଙ୍ଗ ନିଜର ଦଳ ଘୋଷଣା କରିଛି । ୨୧ ସଦସ୍ୟ ବିଶିଷ୍ଟ ଟିମରେ ପୂର୍ବତନ ଅଧିନାୟକ ମନୋଜ ତିୱାରୀଙ୍କୁ ପୁଣିଥରେ ସ୍ଥାନ ମିଳିଛି । ଆଉ ଏହାସହ ପଶ୍ଚିମବଙ୍ଗର କ୍ରୀଡାମନ୍ତ୍ରୀ ଥିବା ମନୋଜ ପୁଣିଥରେ କ୍ରିକେଟ ମୈଦାନକୁ ଓହ୍ଲାଇବେ । ଗତ ନିର୍ବାଚନରେ ମନୋଜ ତୃଣମୂଳ କଂଗ୍ରେସରେ ବିଧାୟକ ଭାବେ ନିର୍ବାଚିତ ହେବା ସହ ମମତା ସରକାରରେ କ୍ରୀଡାମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି ।
ରାଜନୀତି ମୈଦାନରେ ଏଣ୍ଟ୍ରି ପାଇଁ କ୍ରିକେଟ ମୈଦାନରୁ କିଛି ଦିନ ପାଇଁ ଦୂରରେ ରହିଥିଲେ ମନୋଜ ତିୱାରୀ । ରାଜନୀତିରେ ସଫଳ ହେବା ପରେ ଏବେ ପୁଣିଥରେ କ୍ରିକେଟ ପଡିଆରେ ନିଜର ଜଲୱା ଦେଖାଇବାକୁ କମବ୍ୟାକ୍ କରିଛନ୍ତି କ୍ରୀଡାମନ୍ତ୍ରୀ । ଚଳିତ ରଣଜୀ ସିଜିନ ସହ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୭ ବର୍ଷ ପୂରା କରିବେ । ଶେଷଥର ପାଇଁ ସୌରାଷ୍ଟ୍ର ବିପକ୍ଷ ଫାଇନାଲ ମୁକାବିଲା ଖେଳିଥିଲେ ମନୋଜ । ପରେ ୨୦୨୧ରେ ଆହତ କାରଣରୁ କୌଣସି ମ୍ୟାଚ୍ ଖେଳିନଥିଲେ ମନୋଜ । ତେବେ ଚଳିତଥର ଅଭିମନ୍ୟୁ ଇଶ୍ୱରନଙ୍କ ଅଧିନାୟକତ୍ୱରେ ପୁଣିଥରେ ପଡିଆକୁ ଫେରିବେ ମନୋଜ ।
ମନୋଜ ତିୱାରୀ ଏଯାବତ୍ ୧୨୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ବେଳେ ୮୯୬୫ ରନ କରିଛନ୍ତି । ଯେଉଁଥିରେ ୨୭ ଶତକ ଓ ୩୭ ଅର୍ଦ୍ଧଶତକ ରହିଛି । ସେହିଭଳି ଭାରତ ପକ୍ଷରୁ ୧୨ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି ମନୋଜ । ଆଉ ନିଜ ଅର୍ନ୍ତଜାତୀୟ କ୍ୟାରିୟରରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି ମନୋଜ ।
ଚଳିତଥର ରଣଜୀ ଟ୍ରଫି ଆରମ୍ଭ ପୂର୍ବରୁ ପଶ୍ଚିମବଙ୍ଗ ଟିମର ୬ ଜଣ ଖେଳାଳୀ କରୋନା ସଂକ୍ରମିତ ହୋଇଛନ୍ତି । ତେଣୁ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି । ତ୍ରିପୁରା ବିପକ୍ଷରେ ମ୍ୟାଚ୍ ଖେଳିବା ସହ ରଣଜୀ ଟ୍ରଫି ଅଭିଯାନ ଆରମ୍ଭ କରିବ ପଶ୍ଚିମବଙ୍ଗ ।