ଓଡିଶା ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ : ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କ ନେବେ ଆଶୀର୍ବାଦ

150

କନକ ବ୍ୟୁରୋ : ଆଜି ଓଡିଶା ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଅପରାହ୍ନରେ ସେ ଭୁବନେଶ୍ୱର ପହଞ୍ଚି ଶ୍ରୀକ୍ଷେତ୍ର ଯିବେ ବୋଲି ସୂଚନା ରହିଛି । ୨୨ ତାରିଖରେ ପୁରୀ ଶ୍ରୀମନ୍ଦିର ଯାଇ ଦର୍ଶନ କରିବେ । ଏହାପରେ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟିଏମସି ସୁପ୍ରିମୋ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଏହି ଦୁଇ ନେତାଙ୍କ ସାକ୍ଷାତ ଆଲୋଚନାରେ କେଉଁ ପ୍ରସଙ୍ଗ ସ୍ଥାନ ପାଇବ ତାକୁ ନେଇ ବିଭିନ୍ନ ମହଲ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି ।

ପଶ୍ଚିମବଙ୍ଗରେ ରହୁଥିବା ଓଡିଆଙ୍କ ସମସ୍ୟା ବିଶେଷ ଭାବେ ସ୍ଥାନ ପାଇପାରେ ବୋଲି ଆଶା କରାଯାଉଛି । ଏହାଛଡା ମମତା ବାନାର୍ଜୀ କଂଗ୍ରେସ ସହ ମେଂଟ କରିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିବାରୁ ତୃତୀୟ ସାମ୍ମୁଖ୍ୟ ମେଂଟ ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାରେ ସ୍ଥାନ ପାଇପାରେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଗତ ଶୁକ୍ରବାର ଭେଟିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଏହାପରେ ମମତାଙ୍କ ଓଡିଶା ଗସ୍ତରେ ଆସୁଛନ୍ତି ।

କୁହାଯାଉଛି କଂଗ୍ରେସକୁ ବାଦ୍ ଦେଇ ଅନ୍ୟ ଦଳକୁ ଏକାଠି କରି ଏକ ତୃତୀୟ ସାମୁଖ୍ୟ ଗଠନ କରିବାକୁ ଅଖିଳେଶ ଏବଂ ମମତା ରାଜି ହୋଇଛନ୍ତି । ଆଉ ଏହି ସାମ୍ମୁଖ୍ୟରେ ନବୀନଙ୍କୁ ସାମିଲ କରିବାକୁ ଦେଶର ପ୍ରମୁଖ ନେତା ଯୋଜନା କରୁଛନ୍ତି । ୨୦୨୪ ସାଧାରଣ ନିର୍ବାଚନକୁ ଆଉ ଗୋଟିଏ ବର୍ଷ ରହିଥିବାବେଳେ ତୃତୀୟ ସାମୁଖ୍ୟ ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ନବୀନ ପଟ୍ଟନାୟକଙ୍କୁ ସାକ୍ଷାତର ଏଜେଣ୍ଡା ଜଣାପଡ଼ିନଥିଲେ ବି ସେ ତୃତୀୟ ସାମୁଖ୍ୟ ସଂପର୍କରେ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି ।