ରାଷ୍ଟ୍ରୀୟ ରାଜନୀତିରେ ମମତା । ଜୁଲାଇ ୨୫ ରେ ଦିଲ୍ଲୀରେ ବିରୋଧୀଦଳ ନେତାଙ୍କୁ ସାକ୍ଷାତ କରିବା ନେଇ ଅଟକଳ

365

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ପରେ ଏବେ ରାଷ୍ଟ୍ରୀୟ ରାଜନୀତି ପ୍ରତି ଇଚ୍ଛା ପ୍ରକାଶ କରିଛନ୍ତି ମମତା ବାନାର୍ଜୀ । ତୃତୀୟଥର ମୁଖ୍ୟମନ୍ତ୍ରୀ ହେବା ପରେ ଜୁଲାଇ ୨୫ ତାରିଖରେ ସେ ପ୍ରଥମଥର ପାଇଁ ଦିଲ୍ଲୀ ଆସୁଛନ୍ତି ବୋଲି ସୂଚନା ମିଳିଛି । ଏହି ଗସ୍ତ ସମୟରେ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ତମାମ୍ ବିରୋଧୀଦଳ ନେତାଙ୍କୁ ଭେଟି ୨୦୨୪ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ଉପରେ ଆଲୋଚନା କରିପାରନ୍ତି । ମମତାଙ୍କ ଦିଲ୍ଲୀ ଗସ୍ତ ସୂଚନା ପାଇବା ପରେ ରାଷ୍ଟ୍ରୀୟ ରାଜନୀତି ବେସ୍ ସରଗରମ ହେବାରେ ଲାଗିଛି ।

ବିିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମମତା ବାନାର୍ଜୀ ତାଙ୍କର ଏହି ଗସ୍ତ ସମୟରେ ସୋନିଆ ଗାନ୍ଧୀଙ୍କ ସମେତ ଏନସିପି ମୁଖ୍ୟ ଶରଦ ପାୱାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ,ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅନ୍ୟ କିଛି ବିରୋଧୀଦଳର ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

କହିରଖୁ କି ମମତା ବାନାର୍ଜୀ ଯେଉଁ ସମୟରେ ଦିଲ୍ଲୀ ଆସୁଛନ୍ତି ସେତେବେଳେ ସଂସଦରେ ମୌସୁମୀ ଅଧିବେଶନ ଚାଲିଥିବ । ଏହି ସମୟରେ ସରକାରଙ୍କୁ ଘେରିବାକୁ କଂଗ୍ରେସ ସହ ମିଶି କୋଭିଡ-୧୯ ବେଳେ ସରକାରଙ୍କ ବିଫଳତା, ମୂଲ୍ୟ ବୃଦ୍ଧି ସହିତ ଅନେକ ସମସ୍ୟା ଉପରେ ସରକାରଙ୍କୁ ଘେରିବାକୁ ଯୋଜନା କରିପାରନ୍ତି । କହିରଖୁ କି ସଂସଦର ପ୍ରତିଟି ଅଧିବେଶନ ପୂର୍ବରୁ ବିରୋଧୀମାନେ ଏକାଠି ହୋଇ ରଣନୀତି ପ୍ରସ୍ତୁତ କରିଥାନ୍ତି । ହେଲେ କୋଭିଡ ମହାମାରୀ ପାଇଁ ଚଳିତ ଅଧିବେଶନ ପୂର୍ବରୁ ବିରୋଧୀଦଳ ରଣନୀତି ପ୍ରସ୍ତୁତ ପାଇଁ ବୈଠକ କରିପାରି ନାହାନ୍ତି ।

ଏପଟେ ତୃଣମୂଳ କଂଗ୍ରେସ ଦଳର ଏକ ପ୍ରତିନିଧିମଣ୍ଡଳ (ଯାହା ମଧ୍ୟରେ ୬ ଜଣ ସାଂସଦ ସାମିଲ ଅଛନ୍ତି) ଆଜି ଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି ।